ଶିଳ୍ପ ଅନୁନ୍ନତ ଜିଲ୍ଲାରେ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା ଉପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୁରୁତ୍ଵ

ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି । ବୃହତ୍‌ଶିଳ୍ପ ପାଇଁ ଜମି ଅଧୁଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଅପେକ୍ଷାକୃତ ସହଜ ଓ ସରଳ । ଏହି ଶିଳ୍ପ ଅନେକ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ସହ ସେମାନଙ୍କୁ ନିଜ ଅଞ୍ଚଳରେ ଆତ୍ମନିର୍ଭର ହେବାର ବାଟ ଦେଖାଇବ । ତେଣୁ ଶିଳ୍ପ ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା କରି ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉପରେ ଶିଳ୍ପ , ଶକ୍ତି , ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ , ଗୃହ ( ରାଷ୍ଟ୍ର ) ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି ।

ବିଭାଗ ପକ୍ଷରୁ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ୫– ‘ ଟି ’ ବୈଠକରେ ଯୋଗଦେଇ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କହିଲେ ଯେ ଏବେ ହୋଇଥିବା ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ସାଧାରଣ ଲୋକେ ପାଇପାରିବେ ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପ୍ରଧାନ ଆଭିମୁଖ୍ୟ । ତେଣୁ ଲୋକଙ୍କ ଆସ୍ଥାଭାଜନ ହେବା ଭଳି ଯୋଜନା ପ୍ରଣୟନ ସହ ବିଭିନ୍ନ ବିଭାଗ ସହିତ ଯୋଗସୂତ୍ରରେ ରହି ରାଜ୍ୟରେ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତି ନେଇ ମନ୍ତ୍ରୀ ବିଭାଗୀୟ ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ‘ ମୋ ସରକାର’ରେ କିପରି ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେଥିନେଇ ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ସମେତ ଅତିରିକ୍ତ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.