୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୨ ଦେଶୀ ବନ୍ଧୁକ ଓ ୬ ଗୁଳି ଜବତ

ବ୍ରହ୍ମପୁର: ଗୋପାଳପୁର ଥାନା ପୁଲିସ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିଛି। ସେମାନେ ବେଆଇନ ବନ୍ଧୁକ ଚୋରାଚାଲାଣ କାରବାରରେ ଲିପ୍ତ ଥିବା ବେଳେ ଦୀର୍ଘଦିନ ହେଲା ସେମାନଙ୍କୁ ଖୋଜୁଥିଲା ପୁଲିସ। ସେମାନେ ହେଲେ ଆମ୍ବପୁଆର କାଳିଆ ରେଡ୍ଡୀ ଓରଫ ଗଣେଶ (୩୪) ଓ କହ୍ନେଇ ସେଠୀ (୩୧)। ସେମାନଙ୍କୁ ଠାରୁ ଜବତ ହୋଇଛି ୨ଟି ଦେଶୀ ବନ୍ଧୁକ, ୬ଟି ଗୁଳି ଓ ଗୋଟିଏ ବାଇକ୍। ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍. ବୁଧବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗୋପାଳପୁର ଥାନା ପୁଲିସ ପାଟ୍ରୋଲିଂ ବେଳେ କାଳିଆ, କହ୍ନେଇ ନିଜ ବିପକ୍ଷ ଗୋଷ୍ଠୀ ଉପରେ ଆକ୍ରମଣ କରିବା ପାଇଁ ଯାଉଥିବା ସୁରାକ୍ ପାଇଥିଲା ପୁଲିସ। ଏହାପରେ ଆମ୍ବପୁଆ ଆୟକର ଅଫିସ୍ ଛକ ନିକଟରେ ଚଢ଼ଉ କରି ଦୁହିଁଙ୍କୁ କାବୁ କରାଯାଇଥିଲା। ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ସଦଳବଳେ ଚଢ଼ଉ କରିବା ବେଳେ ଦୁହେଁ ବନ୍ଧୁକରୁ ପୁଲିସ ଉପରକୁ ଗୁଳିଚାଳନା ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଗୋପାଳପୁର ଥାନାରେ ଏ ନେଇ କେସ୍ ନମ୍ବର ୮୭ / ୨୦୨୨ ରୁଜୁ ହୋଇଛି। ଦୁଇଜଣଙ୍କ ନାମରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ବହୁ ଅପରାଧୀକ ମାମଲା ରହିଛି। ଏପରିକି ପଶ୍ଚିମବଙ୍ଗ ରାଜ୍ୟ ହୁଗୁଳି ଜିଲ୍ଲାରେ କାଳିଆ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ବ୍ରହ୍ମପୁରରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏହି ଅଭିଯୁକ୍ତଙ୍କ ଅପରାଧିକ କାର୍ଯ୍ୟକଳାପର ଚେର ଲମ୍ବିଥିବା ଜାଣିବାକୁ ପାଇଛି ପୁଲିସ। ତେବେ ଏମାନେ କେଉଁଠାରୁ ବନ୍ଧୁକ କିଭଳି ଆଣୁଥିଲେ ଓ କେଉଁଠାକୁ ଚାଲାଣ କରୁଥିଲେ ତାହାର ଖୋଳତାଡ଼ କରାଯାଉଥିବା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.