ଅନାଥଙ୍କ ମୁହଁରେ ହସ ଫୁଟାଇଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଯେଉଁମାନଙ୍କ ପିତାମାତା ଥାଆନ୍ତି, ସେମାନେ ଛୁଆଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇ ନିଅନ୍ତି, ଖେଳନାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ କିଣି ଦିଅନ୍ତି, ସନ୍ତାନସନ୍ତତିଙ୍କ ବିଭିନ୍ନ ଇଚ୍ଛା ଓ ଆଗ୍ରହ ପୂରଣ କରିବାକୁ ଚେଷ୍ଟା କରିଥାଆନ୍ତି। ହେଲେ ଯେଉଁମାନେ ଅନାଥ, ବାପା ମାଆ ଛେଉଣ୍ଡ ସେମାନଙ୍କ କଥା ପଚାରେ କିଏ। ଯଦିବା ଅନାଥାଶ୍ରମରେ ରୁହନ୍ତି ତଥାପି କେବଳ ସାମାନ୍ୟ ଜୀବନ ବଞ୍ଚିବା ବ୍ୟତୀତ ବିଶେଷ କିଛି ଅଧିକ ଆଶା କରିପାରି ନଥାନ୍ତି ସେମାନେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବେଦନଶୀଳ ପ୍ରଶାସନ ଆଭିମୁଖ୍ୟରେ ପ୍ରେରିତ ହୋଇ ଗଜପତି ଜିଲ୍ଲା ପ୍ରଶାସନ ଅନାଥ ଛୁଆଙ୍କ ନିମନ୍ତେ କିଛି ଭିନ୍ନ କରିବାକୁ ପ୍ରୟାସ କରିଛି। ସେମାନଙ୍କୁ ବଜାର ବୁଲାଇ, ମନ ପସନ୍ଦର ପୋଷାକ କିଣିବାକୁ ସୁଯୋଗଟିଏ ଆଣି ଦେଇଛି। ଫଳରେ ଏଇ ଅନାଥ ପିଲାଙ୍କ ମୁହଁରେ ଫୁଟି ଉଠିଛି ହସ, ଯାହା ଅନେକ ଦିନ ପର୍ଯ୍ୟନ୍ତ ସେମାନଙ୍କ କଷ୍ଟ ଓ ପରିବାର ନଥିବାର ଅଭାବବୋଧକୁ ଦୂର କରିବାରେ ସହାୟକ ହେବ।

ନିକଟରେ ଏଭଳି ଏକ ଭିନ୍ନ ପ୍ରୟାସ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ସେମାନଙ୍କ ମନ ଭିତରେ ଥିବା ଇଛା ପୂରଣ କରିବାକୁ ସୁଯୋଗଟିଏ ଆଣି ଦେଇଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲା ସୁରକ୍ଷା ଅଧିକାରୀ ଅରୁଣକାନ୍ତ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓଙ୍କ ତତ୍ତ୍ୱାବଧାନରେ ପାରଳାଖେମୁଣ୍ଡିର ବାଳିକା ଶିଶୁ ଯତ୍ନ କେନ୍ଦ୍ରର ପ୍ରାୟ ୪୦ ଜଣ ଅନ୍ତେବାସୀଙ୍କୁ ପାରଳା ବଜାର ବୁଲାଇ ନିଆଯାଇଥିଲା। ପ୍ରାୟତଃ କେବେ ଅନାଥାଶ୍ରମର ଚାରି କାନ୍ଥରୁ ବାହାରକୁ ଯିବାର ବିଶେଷ ସୁଯୋଗ ପାଉ ନଥିବା ଝିଅ ପିଲାଙ୍କ ମନରେ ଆରମ୍ଭରୁ ହିଁ ଖୁସି ଭରି ଯାଇଥିଲା। ସେମାନେ ବଜାର ବୁଲିଥିଲେ, ବିଭିନ୍ନ ଜିନିଷ ଓ ଦୋକାନ ଦେଖିଥିଲେ। କେବଳ ଏତିକି ନୁହେଁ ଏକ ସପିଙ୍ଗ୍ ମଲରେ ନିଜ ମନ ପସନ୍ଦର ରଙ୍ଗବେରଙ୍ଗ ଫ୍ରକ୍, ଚୁଡିଦାର ଆଦି ପୋଷାକ ମଧ୍ୟ କିଣିଥିଲେ। ଏସବୁ ପୋଷାକର ଦାମ ୫୦୦ ଟଙ୍କାରୁ ଅଧିକ ଥିଲେ ହେଁ ସମସ୍ତ ଖର୍ଚ୍ଚ ବହନ କରିଥିଲା ଜିଲ୍ଲା ପ୍ରଶାସନ। କାରଣ ପିଲାଙ୍କ ଖୁସି ଆଗରେ ଅର୍ଥ ଏକ ବଡ଼ କଥା ନଥିଲା। ପିଲାଙ୍କ ମୁହଁର ଖୁସି ଦେଖିବାର ଭଳି ଥିଲା, ଦେଖିଲା ଲୋକ ମଧ୍ୟ ଆତ୍ମତୃପ୍ତ ହୋଇ ଯାଇଥିଲେ। ଜୀବନରେ ଏହା ଥିଲା ସେମାନଙ୍କ ପାଇଁ ପ୍ରଥମ ଥର ଯେତେବେଳେ କି ସେମାନେ ବଜାର ବୁଲିଲେ, ନିଜ ଇଚ୍ଛା ମୁତାବକ ପୋଷାକ କିଣିଲେ। ଦୋକାନରେ ସେମାନେ ଯେତେ ସମୟ ରହିବାକୁ ଚାହିଁଥିଲେ ଏବଂ ଯାହା ଦେଖିବାକୁ ଚାହିଁଥିଲେ ଦୋକାନୀ ସବୁ ଦେଖାଇଥିଲେ।

ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ ବାପା, ମାଆ ଛେଉଣ୍ଡ ପିଲାଙ୍କୁ ସମସ୍ତଙ୍କ ଭଳି ବଞ୍ଚିବାର ଅଧିକାର ଅଛି। ଅନାଥ ପିଲା ଭାବି ସମସ୍ତ ଇଛାକୁ ମନରେ ମାରି ରଖନ୍ତି ସେମାନେ। କିନ୍ତୁ ସେମାନଙ୍କ ମନରେ ଖୁସି ଭରିଦେବାକୁ ଏହା ଏକ ଛୋଟିଆ ପ୍ରୟାସ ଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ କହିଛନ୍ତି ଯେ ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ। ଏଭଳି କାର୍ଯ୍ୟକ୍ରମ ପାଇଁ କୌଣସି ସହୃଦୟ ବ୍ୟକ୍ତି ଆଗେଇ ଆସିଲେ ପ୍ରଶାସନ ତାକୁ ମଧ୍ୟ ସୁଯୋଗ ଦେବ। ସେହିପରି ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ପାଇଁ ଆମେ ଅତ୍ୟନ୍ତ ଖୁସି, ଜିଲ୍ଲାପାଳଙ୍କୁ ଧନ୍ୟବାଦ ବୋଲି କହିଛନ୍ତି ପ୍ରାଉଡ୍ ଏନ୍‌ଜିଓ ପରିଚାଳିତ ଏହି ଅନାଥାଶ୍ରମ ପରିଚାଳକ ତଥା ରାଜ୍ୟ ଶିଶୁ ସୁରକ୍ଷା ସମିତି କର୍ମକର୍ତ୍ତା ପ୍ରୀତିକାନ୍ତ ପଣ୍ଡା। ଏହି ଅନାଥ ପିଲାମାନଙ୍କ ସମସ୍ତ ଦେଖାଶୁଣା କରୁଛି ପ୍ରଶାସନ। ବଦାନ୍ୟ ବ୍ୟକ୍ତିଙ୍କ ଦାନ ଓ ଜିଲ୍ଲା ପ୍ରଶାସନ ଅନୁଦାନରେ ପରିଚାଳିତ ହେଉଛି ଏହି ଶିଶୁ ଯତ୍ନ କେନ୍ଦ୍ର। ପିଲାମାନଙ୍କ ଇଛା ପୂରଣ କରିବାକୁ ସମ୍ବଳ ସୀମିତ। ତଥାପି ସେଥିରେ କିଛି ନୂତନତ୍ଵ ଭରି ଦେଇଥିଲା ଗଜପତି ଜିଲ୍ଲା ପ୍ରଶାସନ। ବାସ୍ତବିକ ପ୍ରଶାସନର ଏଭଳି କାର୍ଯ୍ୟ କୁନି ଝିଅମାନଙ୍କ ବହୁ ଦିନର ଆଶା ପୂରଣ କରିପାରିଛି।

Comments are closed.