ସୂଚନା ଓ ଲୋକସମ୍ପର୍କ ବିଭାଗରେ ଆତଙ୍କବାଦ ବିରୋଧୀ ଶପଥପାଠ

ଭୁବନେଶ୍ବର: ସମଗ୍ର ଦେଶରେ ଆତଙ୍କବାଦ ବିରୋଧୀ ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଆଜି ପୂର୍ବାହ୍ନରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଦେଶିତ ସମୟ ଅନୁସାରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆତଙ୍କବାଦ ବିରୋଧୀ ଶପଥପାଠ କରାଇଥିଲେ ।

ଅହିଂସା ଓ ସହନଶୀଳତା ପରମ୍ପରାରେ ବିଶ୍ବାସ ରଖୁଥିବା ଆମେ ଭାରତବାସୀ , ସବୁ ପ୍ରକାର ଆତଙ୍କବାଦ ଓ ହିଂସାକୁ ଦୃଢ ଭାବରେ ବିରୋଧ କରିବା ସହ , ଶାନ୍ତି ବଜାୟ ରଖି ପାରସ୍ପରିକ ଭାବଗତ ଐକ୍ୟ ଓ ବୁଝାମଣା ସହକାରେ ମାନବ ଜୀବନ ଓ ମାନବୀୟ ମୂଲ୍ୟବୋଧରେ ବାଧକ ସାଜୁଥିବା ସମସ୍ତ ବିଚ୍ଛିନ୍ନତାବାଦୀ ଶକ୍ତି ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବାକୁ ସମସ୍ତେ ଶପଥ ନେଇଥିଲେ । ପ୍ରକାଶ ଥାଉକି , ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସମସ୍ତଙ୍କୁ ଆତଙ୍କବାଦ ଓ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମଇ ମାସ ୨୧ ତାରିଖରେ ଆତଙ୍କବାଦୀ ବିରୋଧ ଦିବସ ପାଳନ ହୋଇଆସୁଛି ।

ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ , ଉପ – ନିର୍ଦ୍ଦେଶକ ଡଃ . ଜ୍ୟୋତିର୍ମତୀ ସାମନ୍ତରାୟ , ସ୍ମିତା କର , ବିଶ୍ବଜିତ ଦାଶ , ବସନ୍ତ କୁମାର ମହାନ୍ତି ଏବଂ ଉପ ଶାସନ ସଚିବ ମନ୍ୟୁ ପ୍ରକାଶ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଶାଖାର ପଦାଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ସହକାରୀ ନିର୍ଦ୍ଦେଶିକା ( କ୍ଷେତ୍ର ) ସୂଚେତା ପ୍ରିୟଦର୍ଶିନୀ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

Comments are closed.