‘ମୋ ସ୍କୁଲ’ ଅଭିଯାନର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ସରକାରୀ ସ୍କୁଲ୍‌ର ପିଲାମାନଙ୍କୁ ଅଧିକ ଦକ୍ଷ କରିବାକୁ ରାଜ୍ୟ ସରକାର ‘ମୋ ସ୍କୁଲ୍‌ ଅଭିଯାନ’ ଅନ୍ତର୍ଗତ ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନ ମାଧ୍ୟମରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅଧିକରୁ ଅଧିକ ସ୍କୁଲ୍‌ ଏବଂ ଛାତ୍ରଛାତ୍ରୀ ଯେପରି ଉପକୃତ ହୋଇପାରିବେ ତାହାଉପରେ ଗୁରୁତ୍ୱ ଦିଆଯିବ । ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଜୁନ୍‌ ତୃତୀୟ ସପ୍ତାହରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ ବସିଥିଲା । ସ୍କୁଲ୍‌ଗୁଡ଼ିକରେ ପ୍ରତିଷ୍ଠିତ ତଥା ସଫଳ ବ୍ୟକ୍ତିବଶେଷଙ୍କୁ ନେଇ ଟକ୍‌ ସେସନ୍‌ର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ । ଏଥିସହ ସ୍କୁଲ୍‌ଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗ କରି ଭିଡ଼ିଓ କନ୍‌ଫରେନ୍ସିଂର ଆୟୋଜନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୨୬ଟି ଜିଲ୍ଲାର ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ମାସକ ମଧ୍ୟରେ ୧୩,୩୦୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୩୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୧ କୋଟି ୬୮ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୨୧ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି ।

Comments are closed.