ବରିଷ୍ଠ ଶିଳ୍ପୀ ଲଲାଟ ମୋ‌ହନ ପଟ୍ଟନାୟକଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ, ୫ ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଏକ ବର୍ଣ୍ଣାଢ୍ଯ ପରିବେଶ ମଧ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ‘ ଧର୍ମପଦ ’ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ୨୦୨୧ ବର୍ଷ ପାଇଁ ‘ ଧର୍ମପଦ ’ ପୁରସ୍କାର ପ୍ରଦାନ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଅସ୍ମିତା , କଳା , ସଂସ୍କୃତି ବଞ୍ଚାଇବା ପାଇଁ ‘ ୫ – ଟି ’ ଅଧୀନରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କଳା ଓ କଳାକାରମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ବଦ୍ଧପରିକର । ଚିତ୍ରଶିଳ୍ପୀମାନଙ୍କର ସ୍ଵପ୍ନ ଚାରି ଏକାଡେମୀ ମାଧ୍ୟମରେ ସାଧୁ ହେବ । ଓଡ଼ିଶାର ଶିଳ୍ପୀମାନେ କେବଳ ଓଡ଼ିଶାର ସମ୍ପରି ନୁହନ୍ତି ସେମାନେ ସାରା ଭାରତର ସମ୍ପତ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଆ ଶିଳ୍ପୀମାନଙ୍କର କଳାକୃତିର ବହୁ ଚାହିଦା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ଓଡ଼ିଶାର ସମସ୍ତ ଶିଳ୍ପୀ ସଫଳତାର ଶୀର୍ଷରେ ପହିଞ୍ଚି ପାରୁ ନାହାନ୍ତି । ତେଣୁ ମୁଖ୍ୟତଃ ଯୁବଶିଳ୍ପୀମାନଙ୍କ ପାଇଁ ଏକ ନିୟମିତ ରୋଜଗାର ବ୍ୟବସ୍ଥା କରିବାକୁ ବିଭାଗ ଚେଷ୍ଟା କରୁଛି । ଚିତ୍ର ଓ ମୂର୍ତ୍ତିଗୁଡ଼ିକର ଚାହିଦା ବଢ଼ିଲେ ହିଁ ଶିଳ୍ପୀମାନେ ଉପକୃତ ହେବେ । ସରକାର ଓ ବିଭାଗ ସହିତ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ ଉଲ୍ଲେଖ କରିଛନ୍ତି । ପଟ୍ଟନାୟକଙ୍କ ସମେତ ବିଶିଷ୍ଟ ଚିତ୍ରଶିଳ୍ପୀ ଜ୍ୟୋର୍ତିମୟୀ ମହାନ୍ତି , ବଳଦେବ ମହାରଥା , ଦୁର୍ଗାଚରଣ ପଣ୍ଡା , ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି । ଶିଳ୍ପୀ ପଟ୍ଟନାୟକଙ୍କୁ ‘ ଧର୍ମପଦ ‘ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା , ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ବେଳେ ଅନ୍ୟ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟଶିଳ୍ପୀଙ୍କୁ ୧ ଲକ୍ଷ ଟଙ୍କା , ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୪୮ ମସିହାରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଶାସନରେ ଜନ୍ମଗ୍ରହଣ କରି ଚିତ୍ରକଳା ତଥା ଡିଜାଇନ୍‌ରେ ଶୀର୍ଷ ସ୍ଥାନରେ ପଟ୍ଟନାୟକ ପହଞ୍ଚି ପାରିଛନ୍ତି । ସେ ଓଡ଼ିଶାର ବୁଣାକାରମାନଙ୍କୁ ନୂଆ ପଦ୍ଧତି , ନୂଆ ରଙ୍ଗ , ନୂଆ ନକ୍ସା ପ୍ରୟୋଗର ମାର୍ଗଦର୍ଶନ ଦେଇ ଅନୁପ୍ରାଣିତ କରି ଆସୁଛନ୍ତି । ଶିଳ୍ପୀ ମହାନ୍ତି ଜଣେ କଳା ଶିକ୍ଷୟିତ୍ରୀ ଭାବରେ ଅନେକ ଉଚ୍ଚକୋଟୀର ଚିତ୍ର ଆଙ୍କିବା ସହିତ ଅନ୍ୟମାନଙ୍କ ଦ୍ଵାରା ଚିତ୍ର ଅଙ୍କନ କରାଇ ନାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । ମହାରଥା ବି.କେ. ଚାରୁକଳା ମହାବିଦ୍ୟାଳୟରେ ଦୀର୍ଘ ଦିନ ଶିକ୍ଷାଦାନ ଦେଇ ଅନେକ ଶିଳ୍ପୀ ସୃଷ୍ଟି କରିବା ସହିତ ସମସାମୟିକ କଳା ପୃଷ୍ଠଭୂମିରେ ଜଣେ ଅଗ୍ରଣୀ ଚିତ୍ରଶିଳ୍ପୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସେହିପରି ଶିଳ୍ପୀ ପଣ୍ଡା ଚିତ୍ରକଳା ବ୍ୟତୀତ ଓଡ଼ିଶାର ସ୍ଥାପତ୍ୟ , ମନ୍ଦିର ଭାସ୍କର୍ଯ୍ୟ ଉପରେ ଅନେକ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଚିତ୍ରଗୁଡ଼ିକରେ ବହୁଳ ଭାବରେ ଲୋକକଳା ଏବଂ ଲୋକସଂସ୍କୃତିର ଝଲକ ଦେଖିବାକୁ ମିଳେ । ଶ୍ରୀ ସୁର ଖଲ୍ଲିକୋଟସ୍ଥିତ ସରକାରୀ କଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଅନେକ ଛାତ୍ରଙ୍କ ଜୀବନ ଗଢ଼ିଛନ୍ତି । କୋଲାଜରେ ନିଜର ଏକ ସ୍ଵତନ୍ତ୍ର ଚିତ୍ରଶୈଳୀ ସୃଷ୍ଟି କରି ସୁଖ୍ୟାତି ଅର୍ଜନ କରିଛନ୍ତି । ପୁରୀର ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର ପାରମ୍ପରିକ ପ୍ରସ୍ତର ଭାସ୍କର୍ଯ୍ୟରେ ନିଜ କଳା ଦକ୍ଷତାକୁ ପ୍ରତିପାଦନ କରିବା ସହିତ ଜଣେ ଦକ୍ଷ ପାରମ୍ପରିକ କଳା ଗୁରୁ ଭାବରେ ବେଶ୍ ପରିଚିତ । ନିଜ ନିଜ କ୍ଷେତ୍ରରେ ଦକ୍ଷତାର ଶୀର୍ଷରେ ପହଞ୍ଚିବା ସହିତ ଓଡ଼ିଶାର କଳାକ୍ଷେତ୍ରକୁ ଏହି ଶିଳ୍ପୀମାନେ ଋଦ୍ଧିମନ୍ତ ଓ ଗୌରବାନ୍ଵିତ କରିଆସୁଛନ୍ତି । ସମ୍ମାନିତ ଅତିଥି ଭାବରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ , ଏକାଡେମୀର ସଭାପତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ , ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ , ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମଶ୍ରୀ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ , କଳାନୁରାଗୀ ଓ ଛାତ୍ରୀଛାତ୍ରୀମାନେ ଉପସ୍ଥିତ ଥିଲେ ।

Comments are closed.