କର୍ଣ୍ଣଗଡ଼ : ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ ହେଉଛି “କର୍ଣ୍ଣଗଡ଼ ” । ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦ ମାନଙ୍କ ମତରେ ଏହା ପ୍ରାୟ ଛଶହ ବର୍ଷ ପୁରୁଣା ।
ଗ୍ରାମର ଉତ୍ତରପାର୍ଶ୍ୱରେ ଏକ ଗଡ଼ର ଭଗ୍ନାବଶେଷ । ୧୭୫୭ ରେ ପଲାସୀ ଯୁଦ୍ଧ ପରେ ଇଂରେଜ ମାନେ ଏଇ ଅଞ୍ଚଳ ନିଜ ଅଧୀନକୁ ନେଇଥିଲେ । ସ୍ମରଣଯୋଗ୍ୟ ଏହା ଯେ ୧୭୨୦ ବେଳକୁ ବଙ୍ଗ ବିହାର ଓଡ଼ିଶାର ନବାବ ମୁର୍ଷିଦ କୁଲି ଖାଁ ମେଦିନୀପୁର ଅଞ୍ଚଳକୁ ଓଡ଼ିଶାରୁ ଅଲଗା କରି ବଙ୍ଗଳାରେ ମିଶାଇ ଦେଇଥିଲେ । ଇଂରେଜ ମାନେ ସେ ଜାଗା ଅଧିକାର କରି ନିଷ୍କର ପାଇକାଳି ଜମି ଉପରେ କରଧାର୍ଯ୍ୟ କରିଥିବାରୁ ୧୭୭୦ ରୁ ୧୭୯୯ ପ୍ରଜା ବିଦ୍ରୋହ ଚାଲିଥିଲା । ଏହା “ଚୁଆର ବିଦ୍ରୋହ ” ନାମରେ ଖ୍ୟାତ ।
ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୮୦ ଫୁଟ ଓସାର ଶହେ ଫୁଟ ଲମ୍ବା ଏକ ଆୟତାକାର କ୍ଷେତ୍ରରେ ତିନୋଟି ପ୍ରାଚୀନ ମନ୍ଦିର । ସମଗ୍ର ଅଞ୍ଚଳ ତିନିଫୁଟ ଓସାର ଓ ପାଞ୍ଚଫୁଟ ଉଚ୍ଚ ମାଙ୍କଡ଼ା ପଥର କାନ୍ଥ ଦ୍ଵାରା ପରିବେଷ୍ଟିତ । ଉତ୍ତର ପାର୍ଶ୍ୱରେ ସୁନ୍ଦର ଉଚ୍ଚ ସୁସଜ୍ଜିତ ପ୍ରବେଶ ପଥ । ଦକ୍ଷିଣ ପାର୍ଶ୍ୱ ପ୍ରବେଶ ପଥ ଅସମ୍ପୂର୍ଣ। ପ୍ରଥମ ମହଲ ସମାପ୍ତ, ତା ପରେ ପ୍ରାୟ ପାଞ୍ଚଫୁଟ ଉଚ୍ଚ ସ୍ତମ୍ଭ । କାନ୍ଥ ଓ ପ୍ରବେଶ ଦ୍ଵାର ନିର୍ମାଣ ଶୈଳୀ ଦେଖିଲେ ପ୍ରସିଦ୍ଧ “କୁରୁମ ବେଡ଼ା ” ର କ୍ଷୁଦ୍ର ସଂସ୍କରଣ ପରି ଏହା ମନେହୁଏ । ଯଦିଓ ପ୍ରବେଶ ଦ୍ଵାର ଉଚ୍ଚ ଓ ପାହାଚ ଯୁକ୍ତ । ସମଗ୍ର ଚତ୍ୱରରେ କୌଣସି ଶିଳାଲିପି ନାହିଁ । ଏଣୁ ଇତିହାସ ଅଜ୍ଞାତ । ତେବେ ପୂର୍ବ ଦିଗ ପାଚିରୀରେ ଆଠ ଇଞ୍ଚ କୁ ଦୁଇ ଫୁଟ ଏକ ସ୍ଥାନ ରେ ସମ୍ଭବତଃ ଏକ ଶିଳାଲିପି ଥିଲା । ବର୍ତମାନ ନାହିଁ । ଦୁଇ ପ୍ରବେଶ ଦ୍ଵାର ନିର୍ମାଣ ସମ୍ପୂର୍ଣ୍ଣ ଉତ୍କଳୀୟ ଶୈଳୀ । ତେବେ ସ୍ଥାନୀୟ ଅଧିବାସୀଗଣ ନିର୍ମାଣ ସମୟ କିମ୍ବା ନିର୍ମାତାଙ୍କ ବିଷୟରେ ଅନଭିଜ୍ଞ । କେବଳ ଶ୍ରୀ ସୁଦିପ ଜାନା କହିଥିଲେ ଯେ ମନ୍ଦିର ନିର୍ମାଣ ପାଇଁ ତାଙ୍କ ପୂର୍ବ ପୁରୁଷ ମାନେ ଓଡ଼ିଶାରୁ ଆସିଥିଲେ । କାହା କାହା ମତରେ ଉତ୍କଳୀୟ ସୋମବଂଶୀ ରାଜା କର୍ଣ୍ଣକେଶରୀ ଏ ମନ୍ଦିର ସମୂହର ନିର୍ମାତା ।
ଦକ୍ଷିଣ ପ୍ରବେଶ ଦ୍ଵାର ନିକଟରେ ଏକ ସରଳ ରେଖାରେ ତିନୋଟି ମନ୍ଦିର ମଧ୍ୟରେ ପ୍ରାୟ ଷାଠିଏ ଫୁଟ ଉଚ୍ଚ ଏକ ଶିବ ମନ୍ଦିର ରହିଛି । ତାହା ଅଧିଷ୍ଠାତା ଅନାଦି ଲିଙ୍ଗ ବାବା “ଦଣ୍ଡେଶ୍ୱର ” ନାମରେ ପ୍ରସିଦ୍ଧ । କେବଳ ମାତ୍ର ଶକ୍ତିପୀଠ । ଏଠାରେ ବାବା ଗୁପ୍ତ ଭାବରେ ବିରାଜିତ ।
ପରବର୍ତ୍ତୀ ସମୟରେ ମନ୍ଦିରରେ ଅନ୍ୟ ଏକ ଶିବଲିଙ୍ଗ ସ୍ଥାପିତ ହୋଇଛନ୍ତି। ଯାହାଙ୍କୁ ବାବା ଖଡ଼ଗେଶ୍ୱର ନାମରେ ନାମିତ କରାଯାଇଛିl ଦଣ୍ଡେଶ୍ୱର ଜୀଉଙ୍କ ବାମପାର୍ଶ୍ୱରେ ଦେବୀ ମହାମାୟା ବା ବଗଳାମୁଖୀଙ୍କ ଆସ୍ଥାନ ।
ବାସ୍ତବରେ କର୍ଣ୍ଣଗଡ଼ ଦେବୀ ମହାମାୟାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ । ତିରିଶ ଫୁଟ ଉଚ୍ଚ ମନ୍ଦିର ମଧ୍ୟରେ ଏକ ଅନୁଚ୍ଚ ପ୍ରସ୍ତର ସିଂହାସନ ଉପରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚ ଦେବୀଙ୍କ ମଣିମୟ ବିଗ୍ରହ ବିରାଜମାନ କରିଛନ୍ତି । ନିକଟରେ ଆଉଜଣେ ଦେବୀ ଅଭୟା ଦକ୍ଷିଣ କାଳୀ ନାମରେ ସ୍ଥାପିତ ।
ଦଣ୍ଡେଶ୍ୱର ମହାଦେବଙ୍କ ଦକ୍ଷିଣପାର୍ଶ୍ୱରେ ଏକ ହନୁମାନ ମନ୍ଦିର । ମନ୍ଦିର ପୁରାତନ କିନ୍ତୁ ବିଗ୍ରହ ପରବର୍ତ୍ତୀ କାଳୀନ । ସମ୍ଭବତଃ ମୂଳ ହନୁମାନ ବିଗ୍ରହ ମାଙ୍କଡ଼ା ପଥରରେ ତିଆରି ହୋଇ ପୂଜା ପାଉଥିଲେ । ବର୍ତମାନ ସେଇ ମୂର୍ତ୍ତି ବାହାରେ ଅଛନ୍ତି । ଦଣ୍ଡେଶ୍ୱର ଓ ମହାମାୟାଙ୍କ ମଧ୍ୟବର୍ତ୍ତୀ ସ୍ଥାନରେ ପାଚିରୀକୁ ଲାଗି ଦେବୀ ଯୋଗମାୟା ମନ୍ଦିର ।
ପ୍ରାୟ ଦେଢ଼ଶହ ବର୍ଷ ତଳେ ଶ୍ରୀ ରଘୁଦାସ ନାମକ ଜଣେ ବାବାଜୀଙ୍କ ଉଦ୍ୟମରେ ମନ୍ଦିର କିଛି ସଂସ୍କାର ଓ ରୀତିନୀତି ପ୍ରଚଳିତ ହୋଇଥିଲା । ଏଇ ଦେବୀ ସାଧକଙ୍କ ସ୍ମୃତିରେ ତାଙ୍କ ମୂର୍ତ୍ତି ସମ୍ବଳିତ ଅନ୍ୟ ଏକ ନୂତନ ମନ୍ଦିର ମହାମାୟା ମନ୍ଦିର ସମ୍ମୁଖରେ ନିର୍ମିତ । ଏହାଙ୍କ ଉଦ୍ୟମରେ ବାବା, “ଖଡ଼ଗେଶ୍ୱର ‘ ସ୍ଥାପିତ ହୋଇଛନ୍ତି ।
ଶାରଦୀୟ ନବରାତ୍ରି,ବାସନ୍ତିକ ନବରାତ୍ରି, ଶିରାତ୍ରି ପ୍ରମୁଖ ପର୍ବ ଏଠାରେ ପାଳନ କରାଯାଏ ।
ତେବେ ବାବାଙ୍କ ନାମ “ଦଣ୍ଡେଶ୍ୱର ” କାହିଁକି ? ପ୍ରାଚୀନ କାଳରେ ଏ ମେଦିନୀପୁର ଅଞ୍ଚଳ “ଦଣ୍ଡଭୁକ୍ତି ” ନାମରେ ପରିଚିତ ଥିଲା । ଅନ୍ତତଃ ପକ୍ଷେ ଗଜପତି ପ୍ରତାପରୁଦ୍ରଙ୍କ ସମୟ ପର୍ଯ୍ୟନ୍ତ । ଦଣ୍ଡଭୁକ୍ତିର ଇଶ୍ୱର ସଂକ୍ଷେପରେ ବୋଧେ “ଦଣ୍ଡେଶ୍ୱର ” ହୋଇଛନ୍ତି ।
( ସଂଗୃହିତ )
Comments are closed.