ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ ସ୍କୁଲ ରୂପାନ୍ତରିତ: ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ବପ୍ନରେ ଡେଣା ଯୋଡିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଜି ରାଜ୍ୟର ୫ଟି ଜିଲ୍ଲା – ଖୋର୍ଦ୍ଧା, ବୌଦ, ମାଲକାନଗିରି, ସୋନପୁର ଓ ମୟୁରଭଂଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ପିଲାମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ରୂପାନ୍ତର ଆମର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।

ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମ୍ୱାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ବଚ୍ଛତା ହେଉଛି ୫-ଟି କାର୍ଯ୍ୟକ୍ରମର ବଡ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ମନ୍ତ୍ରୀ ସୁଦାମ mandri , ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ରମେଶ ମାଝୀ ଓ ବିଧାୟକ, ପ୍ରଦୀପ ଅମାତ ପ୍ରମୁଖ ଉଦବୋଧନ ଦେଇ 5T school transformation ପିଲାଙ୍କ ଭିତରେ କିପରି ଉତ୍ସାହ ସୃଷ୍ଟି କରିଛି ତା ଉପରେ ଆଲୋକପାତ କରିଥିଲେ ।

ମୟୁରଭଞ୍ଜ ରୁ ପୁର୍ଣିମା., ସୋନପୁର ରୁ ମୌସୁମୀ ବୌଦ ରୁ ରାଜଶ୍ରୀ ମାଲକାନଗିରି ରୁ ହିତାକାଂକ୍ଷୀ ଓ ଖୁରଧା ରୁ ପର୍ଶୁରାମ ଆଦି ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବକ୍ତବ୍ୟ ରେ
ସ୍କୁଲ transformation କିପରି ସେମାନଙ୍କ ମନରେ ଆଶା ଓ ବିଶ୍ୱାସ ଭରି ଦେଇଛି ତାହା ବର୍ଣନା କରିବା ସହିତ ସେମାନଙ୍କ ସ୍କୁଲ ଏବେ ଭୁବନେଶ୍ୱର ର ସ୍କୁଲ ମାନଙ୍କ ଠାରୁ କିଛି କମ ନୁହେଁ ବୋଲି ଆନନ୍ଦ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ ଆଜି ଗୋଟିଏ ଦିନରେ ପାଞ୍ଚ ଟି ଜିଲ୍ଲାର ରେକର୍ଡ 532ଟି ହାଇସ୍କୁଲ ଲୋକାର୍ପିତ ହେଲା । ମୟୁରଭଞ୍ଜ ରେ ସର୍ବାଧିକ 339ଟି ସୋନପୁରରେ 41 ଟି ବୌଦ୍ଧ ରେ 24ଟି ମାଲକାନଗିରି ରେ 47ଟି ଓ ଖୁରୁଧା ରେ 81ଟି ହାଇସ୍କୁଲ ଲୋକାର୍ପିତ ହେଲା ଏହା ଜୁନ ଦଶ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.