ଜେଲ ଗଲେ ଲାଞ୍ଚୁଆ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ- ଜଣେ ପଥର କ୍ୱାରୀ ଲିଜ୍‌ଧାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଛି । ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ। ବିଭିନ୍ନ ସମୟରେ ମଳୟ କିଶୋର ନାୟକ ପଥର ଖାଦାନ ଲିଜ୍‌ଧାରୀ ଓ କ୍ରସର ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି। ସେ ଅନେକ ଥର ସସପେଣ୍ଡ ମଧ୍ୟ ହୋଇଛନ୍ତି । ସେ ଫୋନ ପେ’ ଓ ଗୁଗଲ ପେ’ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। କଟକ ଡିଭିଜନ ଭିଜିଲାନ୍ସ ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗିରଫ ଏସ୍‌ଡିପିଓ ନିଜ ଆକାଉଣ୍ଟ ନ ହେଲେ ନିଜ ଝିଅ ବା ପରିବାରର ଅନ୍ୟ କୌଣସି ସଦସ୍ୟ କିମ୍ବା ଅନ୍ୟ ଚିହ୍ନାଜଣାଙ୍କ ଆକାଉଣ୍ଟରେ ଫୋନ୍ ପେ’ ଓ ଗୁଗଲ ପେ’ରେ ଲାଞ୍ଚ ଟଙ୍କା ନେଉଥିଲେ। ଅନ୍ୟମାନଙ୍କ ଆକାଉଣ୍ଟକୁ ଯାଉଥିବା ଟଙ୍କାକୁ ସେ ପରବର୍ତ୍ତୀ ସମୟରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ଅବା ସେହି ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲେ।

ଗତକାଲି ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ଘର ସହିତ ଅନୁଗୋଳ, ଭୁବନେଶ୍ୱର, ସମ୍ବଲପୁର ଓ ପୁରୀରେ ମୋଟ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏଯାବତ୍ ତଦନ୍ତରୁ ତାଙ୍କର ୫ଟି ଘର ଥିବା ଜଣାପଡ଼ିଛି। ସେହିପରି ସେ ୨ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।

Comments are closed.