ସମ୍ବଲପୁର: ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା । ସାମାଜିକ ରୀତିନିତିରେ ବିବାହ ଉତ୍ସବର ଏକ ସ୍ବତନ୍ତ୍ର ସ୍ଥାନ ରହିଛି, ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ବିଶେଷ କରି ପଶ୍ଚିମ ଓଡିଶା ସମ୍ବଲପୁରର ଶିବ ବିବାହ ବଡ଼ ନିଆରା।
ଘଣ୍ଟ, ଘଣ୍ଟା, ମୃଦଙ୍ଗର ତାଳ ସାଙ୍ଗକୁ ପାରମ୍ପାରିକ ସଂଗୀତରେ ପ୍ରକମ୍ପିତ ହୋଇଥାଏ ସମ୍ବଲପୁର ସହର । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିଥାନ୍ତି ଦେବ ଦେବ ମହାଦେବ । ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପରମ୍ପରା ମଧ୍ୟରୁ ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା ଏକ ଅନନ୍ୟ ପରମ୍ପରା । ଯାହା ମାନବୀୟ ଶୃଙ୍ଖଳା ସହ ଜଡିତ ବୋଲି ଏହି ଦେବ ବିବାହ ପ୍ରମାଣ କରେ । ପ୍ରାୟ ୪୦୦ବର୍ଷ ପୂର୍ବେ ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରା ଅର୍ଥାତ ଶିବ ବିବାହ ପାଳନ ଆରମ୍ଭ ହୋଇଥିବା ଐତିହାସିକ ମାନେ ମତରଖନ୍ତି ।
ଶୀତଳଷଷ୍ଠୀ ଯାତ୍ରାର ଅର୍ଥ ହେଉଛି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହର ସମ୍ପୂର୍ଣ୍ଣ ପ୍ରକ୍ରିୟା । ଦେବ ଦମ୍ପତିଙ୍କ ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାର କରାଯାଇଥାଏ । ୧୬୭୮ ମସିହାରେ ସମ୍ବଲପୁରର ମହାରାଜା ବୀର ବଳିୟାର ସିଂ, ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇ ଥିବାବେଳେ ନିଜ ରାଜ୍ୟର ସୁପରିଚାଳନା ପାଇଁ ସେଠାରୁ କେତେକ ଉତ୍କଳୀୟ ବ୍ରାହ୍ମଣ ପରିବାରଙ୍କୁ ସମ୍ବଲପୁରକୁନେଇ ଆସିଥିଲେ।ଉତ୍କଳୀୟ ବ୍ରାହ୍ମଣମାନେ ନିଜସହ ନିଜର ଭାଷା,ସଂସ୍କୃତି ଓ ପରମ୍ପରାକୁ ଏଠାରେ ଉଜ୍ଜୀବିତ ରଖିବାକୁ ପ୍ରୟାସ କରିଥିଲେ। ଯେହେତୁ ଶୀତଳଷଷ୍ଠୀ ବା ଶିବ ବିବାହ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ଭାବରେ ସେମାନେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଳନ କରିବାକୁ ମନସ୍ଥ କଲେ।ସେତେବେଳେ ସମ୍ବଲପୁରର ବାଲିବନ୍ଧା ଠାରେ ଗୋଟିଏ ମାତ୍ର ଶିବାଳୟ ଥିଲା, ଯାହାକୁ ସୋମନାଥ ବାବା ବା ସାମିଆଁ ବାବା ମନ୍ଦିର କୁହାଯାଉଥିଲା ।
ରାଜାଙ୍କ ଅନୁମତି କ୍ରମେ ୧୬୭୯ ମସିହାରେ ଏହି ଉତ୍କଳୀୟ ବ୍ରାହ୍ମଣମାନେ ଏଠାରେ ଆରମ୍ଭ କରି ଥିଲେ ଶୀତଳଷଷ୍ଠୀ ଯାତ୍ରା । ପରବର୍ତ୍ତୀ ସମୟରେ ମହାରାଜା ଅଜିତ ସିଂଙ୍କ ସମୟରେ ମହାନଦୀ କୁଳ ନନ୍ଦପଡାରେ ରହୁଥିବା ଏହି ଉତ୍କଳୀୟ ବ୍ରାହ୍ମଣମାନେ ଯାତାୟାତରେ ଅସୁବିଧା ହେଉଥିବା କହି ନନ୍ଦପଡା ଠାରେ ଭଗବାନ ଶିବଙ୍କ ଏକ ମନ୍ଦିର ନିର୍ମାଣର ଦାବି ରଖିଥିଲେ। ରାଜା ଅଜିତ ସିଂ ମଧ୍ୟ ଏଥିରେ ରାଜି ହୋଇ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେତେବେଳେ ରାଜ୍ୟରେ ହଠାତ ଗୃହଯୁଦ୍ଧ ହେବାରୁ ମନ୍ଦିର ନିର୍ମାଣ ଅଧାରେ ରହିଯାଇଥିଲା । ପରବର୍ତ୍ତୀ ସମୟରେ ମହାରାଜା ଜୟନ୍ତ ସିଂଙ୍କ ସମୟରେ ନନ୍ଦପଡାରେ “ବମ ବରାଡ଼ ବାଲୁଙ୍କେଶ୍ୱର ବାବା’ ଶିବ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ଓ ଉତ୍କଳୀୟ ବ୍ରାହ୍ମଣମାନେ ଶୀତଳଷଷ୍ଠୀ ଯାତ୍ରାକୁ ମହା ଆଡମ୍ବରରେ କରିବା ଆରମ୍ଭ କରିଥିଲେ । ଏହା ପରେ ପାଖରେ ଝାଡୁଆପଡାରେ ରହୁଥିବା ଆରଣ୍ୟକ ବ୍ରାହ୍ମଣମାନେ ମଧ୍ୟ ଏଠାରୁ ପ୍ରେରଣା ପାଇଁ ଲୋକନାଥ ବାବା ମନ୍ଦିର ନିର୍ମାଣ କରି ସେମାନେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ ।
ଏହିଭଳି ଭାବେ ସମ୍ବଲପୁରରେ ଧୀରେ ଧୀରେ ଶୀତଳଷଷ୍ଠୀ ଯାତ୍ରା ବିଭିନ୍ନ ପଡାକୁ ପରିବ୍ୟାପ୍ତ ହୋଇଥିଲା । ଶେଷରେ ଦେବ ବିବାହ ଏହା ଏକ ଗଣପର୍ବରେ ପରିଣତ ହୋଇଛି।ଏହି ପରାମ୍ପରା ର ଏକ ଅନନ୍ୟ ନିଦର୍ଶନ ମଧ୍ୟ ରହିଛି।ମହାଦେବଙ୍କ ବରଯାତ୍ରୀରେ ନର-ନାରୀ, କୀଟ, ପତଙ୍ଗ, ଜାତି, ଧର୍ମ, ବର୍ଣ୍ଣ ଏବଂ ଲିଙ୍ଗଗତ ଭେଦଭାଦକୁ ଏଡାଇ ସମସ୍ତେ ଯୋଗ ଦେଇଥାନ୍ତି । କିନ୍ନରମାନେ ମହାଦେବଙ୍କ ବରଯାତ୍ରୀରେ ସାମିଲ ହେଲେ ପରଜନ୍ମରେ ଏଥିରୁ ମୁକ୍ତି ମିଳେ ବୋଲି ଲୋକ ବିଶ୍ବାସ ରହିଛି । ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର କିନ୍ନର ମାନେ ଏହି ପରମ୍ପରାରେ ନିଜକୁ ସାମିଲ କରିଥାନ୍ତି । ପରବର୍ତ୍ତୀ ସମୟରେ ଏହି ଦେବ ବିବାହ ଉତ୍ସବ ପଶ୍ଚିମ ଓଡିଶାର ଏକ ବୃହତ ଗଣଉତ୍ସବ ର ରୂପ ନେଇ ଆମ ସଂସ୍କୃତି ଓ ଆମ ପରମ୍ପରା ର ଏକ ଅଙ୍ଗ ଭାବରେ ଦଣ୍ଡାୟମାନ ହୋଇଛି।
Comments are closed.