ମେଣ୍ଢାଶାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ଜଳିଗଲେ ୩୦ ମେଣ୍ଢା

ବରଗଡ: ମେଣ୍ଢାଶାଳରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଜୀଅନ୍ତା ଜଳିଗଲେ ୩୦ ମେଣ୍ଢା । ଏ ଘଟଣା ଘଟିଛି ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶିରଗିଡା ଗାଁରେ । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଶିରଗିଡା ଗାଁର ହେମ ସାଗର ସାହୁ । ମେଣ୍ଢା ଚାଷ କରି ଗୁଜୁରାଣ ମେଣ୍ଟାନ୍ତି । ଶିରଗିଡା ଗାଁରେ ସେ ଏକ ମେଣ୍ଢାଶାଳ ନିର୍ମାଣ କରି ସେଠାରେ 40ରୁ ଅଧିକ ମେଣ୍ଢା ରଖିଥିଲେ। ତେବେ ହେମ ସାଗରଙ୍କର ଏହି ମେଣ୍ଢା ଶାଳରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ ।

ମେଣ୍ଢାଶାଳରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ମେଣ୍ଢାଶାଳଟି ସମ୍ପୂର୍ଣ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ 30ଟି ମେଣ୍ଢାଙ୍କ ଜୀବନ ଏହି ଅଗ୍ନିକାଣ୍ଡରେ ଚାଲିଯାଇଥିଲା । ତେବେ ଏନେଇ ସୋହେଲା ଥାନାରେ ଏକ ମାମଲା ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.