ବାରବାଟୀରେ ମ୍ୟାଚ ନ ହେବା ଆଶଙ୍କା ଟଳିଲା

କଟକ- ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ ସଂପର୍କିତ ମାମଲା ଆଜି ଖାରଜ କରିଛନ୍ତି ହାଇକୋର୍ଟ। ମାମଲା ଖାରଜ ସହ ବାରବାଟୀ ଟି-୨୦ ମ୍ୟାଚ୍‌ ଉପରୁ ଆଶଙ୍କା ହଟିଛି ।ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ନେଇ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ସେ ଜଣାଇଥିଲେ ।ଏଜିଙ୍କ ଆଶ୍ୱାସନା ଭିତ୍ତିରେ ମାମଲା ଖାରଜ କରିଛନ୍ତି ହାଇକୋର୍ଟ।

ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଂଜୟ ନାୟକ ହାଇକୋର୍ଟରେ ଆବେଦନ କରିଥିଲେ। ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ସେ ଆବେଦନରେ ଦର୍ଶାଇଥିଲେ। ଆଜି ଏହି ମାମଲାର ବିଚାର ହୋଇଥିଲା। ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଭର୍ଚୁଆଲରେ ଉପସ୍ଥିତ ଥିବା ଏଜି ସୁରକ୍ଷା ମ୍ୟାଚ୍‌ କରିବାକୁ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ଏଜିଙ୍କ ଆଶ୍ୱାସନା ପାଇବା ପରେ କୋର୍ଟ ମାମଲା ଖାରଜ କରିଥିଲେ।

Comments are closed.