ଜାମୁନିରେ ରାଜନୈତିକ ହିଂସା, ଜଣେ ମୃତ, ଜଣେ ଗୁରୁତର

ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ବ୍ଲକ୍ ଜାମୁନି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଜାମୁନି କେଉଟ ସାହିର ଯୋଗେଶ ବେହେରା (୨୪)। ସେହିପରି ସେହି ଗାଁ ଖଣ୍ଡିଆ ସାହିର ଅଜିତ ପାଣିଗ୍ରାହୀ (୨୨) ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ ବିଶାଖାପାଟଣାର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଏହା ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ବୋଲି ଅନୁମାନ କରାଯାଉଛି। ଦୁହେଁ ବର୍ତ୍ତମାନ ସରପଞ୍ଚଙ୍କ ଗୋଷ୍ଠୀର ସମର୍ଥକ। ପୂର୍ବରୁ ଗାଁ ସରପଞ୍ଚଙ୍କୁ ଆକ୍ରମଣ ବେଳେ ଯୋଗେଶ ତାଙ୍କୁ ରକ୍ଷା କରିଥିଲେ। ତାହାର ପ୍ରତିଶୋଧ ନେବାକୁ ଯାଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଯୋଗେଶଙ୍କ ମାଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଦୁହେଁ ରାତିରେ ଖାଇ ସାରି ମନ୍ଦିରକୁ ଯାତ୍ରା ଦର୍ଶନ ପାଇଁ ବାହାରିଥିଲେ। ହେଲେ ବଢ଼େଇ ସାହି ଛକରେ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ଥିଲା। ପୁଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ପ୍ରତିପକ୍ଷ ଗୋଷ୍ଠୀର ୪-୫ ଜଣଙ୍କୁ ଧରି ପୁଲିସ ପଚରାଉଚୁରା ଚଳାଇଛି।

Comments are closed.