ପାରିବାରିକ କଳହର କରୁଣ ପରିଣତି : ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର- ପାରିବାରିକ କଳହର ଆଉ ଏକ କରୁଣ ପରିଣତି ରାଜଧାନୀରେ ଦେଖିବାକୁ ମିଳିଛି । ତଣ୍ଟି କାଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏଥିସହ ନିଜ ୬ ବର୍ଷର ଝିଅକୁ ବି ଛାଡ଼ିନି ପିଶାଚ ବାପା । ଅଭିଯୁକ୍ତ ଜଣକ ଝିଅର ବି ତଣ୍ଟି କାଟି ଦେଇଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ବର୍ବର କାଣ୍ଡ ଘଟଣା ଘଟାଇ ଅଭିଯୁକ୍ତ ସଞ୍ଜୀତ ଦାସ ଫେରାର ହୋଇ ଯାଇଛି । ମୃତକ ମହିଳା ହେଲେ ସରସ୍ୱତୀ ଦାସ । ପ୍ରାପ୍ତ ସୂଚନା ଅନୁଯାୟୀ, ସଞ୍ଜୀତ ଦାସଙ୍କ ପରିବାର ଆର୍ଥିକ ଭାବେ ବେଶ୍‌ ସ୍ୱଚ୍ଛଳ ଥିବା ବେଳେ ଘାଟିକିଆ ଅଞ୍ଚଳରେ ସେମାନଙ୍କର ନିଜ ଘର ରହିଛି। ମାତ୍ର ସଞ୍ଜୀତ ନିଜେ କିଛି ରୋଜଗାର ନ କରି ସବୁବେଳେ ନିଶାଗ୍ରସ୍ତ ରହୁଥିଲେ। ତାଙ୍କ ପତ୍ନୀ ସରସ୍ୱତୀ ଦାସ ନର୍ସ ଭାବେ କାମ କରୁଥିଲେ । ଉଭୟଙ୍କର ୬ ବର୍ଷୀୟା ଝିଅ ଥିବା ବେଳେ ୪ ଦିନ ହେଲା ଆଉ ଏକ ସନ୍ତାନ ହୋଇଛି। ଆଜି କୌଣସି ଘଟଣାକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଏହା ଉଗ୍ର ରୂପ ନେଇଥିଲା। ହିତାହିତ ଜ୍ଞାନ ହରାଇ ସଞ୍ଜୀତ ଏକ ଧାରୁଅ ଅସ୍ତ୍ରରେ ପତ୍ନୀ ଓ ଝିଅଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି।

ଖବର ପାଇ ଭୁବନେଶ୍ୱର ଡିସିପି ଓ ପୋଲିସ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.