ଗଞ୍ଜାମ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ମଡେଲ୍

ଛତ୍ରପୁର: ବିପର୍ଯ୍ୟୟ ଯେକୌଣସି ସମୟରେ ପୂର୍ବ ସୂଚନା ନଦେଇ ଆସିପାରେ, ଏଣୁ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ରକ୍ଷା କରିବାର ଏକମାତ୍ର ମାଧ୍ୟମ। ପ୍ରାକ୍ ପ୍ରସ୍ତୁତି ହିଁ ଏଭଳି ଅଧିକାଂଶ କ୍ଷେତ୍ରରେ ମୁକାବିଲା ତଥା ପ୍ରତିକାରରେ ସହାୟକ ହୋଇଥାଏ। ଆଉ ଏଭଳି ପ୍ରାକ୍- ପ୍ରସ୍ତୁତିରେ ସାରା ଦେଶରେ ଆମ ରାଜ୍ୟ ଭଳି ରାଜ୍ୟରେ ଗଞ୍ଜାମ ଜିଲ୍ଲା ମଡେଲ୍ ପାଲଟିଛି। ଏଣୁ ଆମ ରାଜ୍ୟକୁ ଶାସନ ପ୍ରଶାସନର ବିଭିନ୍ନ କୌଶଳ ଶିଖିବାକୁ ଆସୁଥିବା ଭିନ୍ନ ଭିନ୍ନ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଏଭଳି ଆଗୁଆ ପ୍ରସ୍ତୁତି ବାବଦରେ ଜ୍ଞାନ ଆହରଣ କରିଛନ୍ତି। ଅପରପକ୍ଷରେ ଆଗାମୀ ବର୍ଷା ଋତୁ ପୂର୍ବରୁ ସମସ୍ତ ବିଭାଗ ନିଜର କାର୍ଯ୍ୟ ଖସଡ଼ା ଆଗୁଆ ପ୍ରସ୍ତୁତ କରି ନିଜ ନିଜ ସ୍ତରରେ ପ୍ରସ୍ତୁତ ରହିବାକୁ ଏକ ଆଭାସୀ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲା ପ୍ରଶାସନର ବିଭିନ୍ନ ସ୍ତରର ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ଜାରି ରହିଛି ସ୍ୱୟଂସିଦ୍ଧା ପ୍ରକଳ୍ପ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ରହିଛି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ କରିବା। ଏଥିପାଇଁ ମହିଳା ସଦସ୍ୟାଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ସହ ତୃଣମୂଳସ୍ତରରେ ସେମାନଙ୍କୁ ଯେକୌଣସି ସମୟରେ ଯେକୌଣସି ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ସହାୟକ ହେବା ଭଳି ଯୋଗ୍ୟ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ। ଗତ ମାସ ଶେଷ ଓ ଚଳିତ ମାସ ପହିଲାରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାକୁ ତିନିଦିନିଆ ଗସ୍ତରେ ଆସିଥିବା ଆଇଏଏସ୍ ଓ ରୟାଲ୍ ଭୁଟାନ ସିଭିଲ୍ ସର୍ଭିସ୍ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଉପକୂଳବର୍ତ୍ତୀ ଗଞ୍ଜାମ ବ୍ଲକ୍ ପରିଦର୍ଶନ କରିଥିଲେ। ସୁବଳୟା ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସାଙ୍ଗକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସ୍ୱୟଂସିଦ୍ଧା ସଦସ୍ୟଙ୍କ ଦ୍ବାରା ବିପର୍ଯ୍ୟୟ ପରିଚାଳନା ବାବଦରେ ମଧ୍ୟ ସେମାନେ ଅବଗତ ହୋଇଥିଲେ।

ଏହା ପୂର୍ବରୁ ଗତ ମାସ ଚତୁର୍ଥ ସପ୍ତାହରେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ (ଏପିଏସ୍‌ଡିଏମ୍ଏ) ପ୍ରତିନିଧି ଦଳ ଛତ୍ରପୁର, ରଙ୍ଗେଇଲୁଣ୍ଡା ବ୍ଲକ୍‌ ପରିଦର୍ଶନ କରିଥିଲା। ସେମାନେ ଗାଁର ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍‌ଜି ସଦସ୍ୟା, ଓଡ୍ରାଫ୍ ଟିମ୍ ସମେତ ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ବାତ୍ୟା ବିପର୍ଯ୍ୟୟ ମୁକାବିଲା କୌଶଳ ବାବଦରେ ଜ୍ଞାନ ଆହରଣ କରିଥିଲେ। ଜିଲ୍ଲା ଟାସ୍କ ଫୋର୍ସ ପକ୍ଷରୁ ସେମାନଙ୍କୁ ଗ୍ରାମ୍ୟସ୍ତରରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ମୁକାବିଲା ନେଇ ଅବଗତ କରାଯାଇଥିବା ସ୍ଥଳେ କିପରି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି ସେ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା ଆନ୍ଧ୍ର ସରକାରଙ୍କ ପ୍ରତିନିଧି ଦଳ। ମାର୍କଣ୍ଡିସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ହୋଇଥିବା ଡେମୋର ପ୍ରତ୍ୟକ୍ଷଦର୍ଶୀ ସାଜିଥିଲେ ସେମାନେ।

କେବଳ ଏତିକି ନୁହେଁ ନିକଟରେ ପାତିସୁନାପୁର ଉପକୂଳରୁ କିଛି ଦୂରରେ ସମୁଦ୍ର ମଧ୍ୟରେ ଅଚଳ ମୋଟର ଡଙ୍ଗାରେ ଫସିଥିବା ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର ହେଉ ବା ଛତ୍ରପୁର ନିକଟ ଜାତୀୟ ରାଜପଥରେ ଜ୍ବଳନଶୀଳ ଗ୍ୟାସ୍‌ ଭର୍ତ୍ତି ଟ୍ୟାଙ୍କର୍ ଓଲଟି ପଡ଼ିବା ପରେ ତ୍ଵରିତ ପ୍ରତିକାର ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଅଥବା ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ସଂଖ୍ୟକ ବାତ୍ୟାର ମୁକାବିଲା ବେଳେ ସମ୍ବେଦନଶୀଳ ସ୍ଥାନ ଓ ସମୁଦ୍ରତଟରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରି ସେମାନଙ୍କ ପାଇଁ ସମସ୍ତ ସୁବିଧା ଆୟୋଜନ କରିବା ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରତିପାଦିତ କରିଥିଲା। ସେଥିପାଇଁ ଗଞ୍ଜାମ ଜିଲ୍ଲା ଅନେକ ଥର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ତଥା ପୁରସ୍କୃତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍‌ର ଭେଙ୍କଟରାୟପୁର ଦେଶର ପ୍ରଥମ ଦୁଇଟି ‘ସୁନାମୀ ପ୍ରସ୍ତୁତ ଗ୍ରାମ’ ମଧ୍ୟରୁ ଗୋଟିଏ ଭାବେ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ମାନ୍ୟତା ପାଇସାରିଛି। ସୁନାମୀ ଭଳି ଅଚାନକ ସମୁଦ୍ର ମଧ୍ୟରୁ ଆସୁଥିବା ବିପଦର ମୁକାବିଲା କରି ଧନଜୀବନ ସୁରକ୍ଷା ପାଇଁ ଗ୍ରାମବାସୀ ବେଶ୍ ପ୍ରସ୍ତୁତ ହୋଇ ପାରିଛନ୍ତି। ଜିଲ୍ଲାବାସୀଙ୍କ ଦକ୍ଷତା ବିକାଶର ଏହା ଅନ୍ୟତମ ନଜିର।

ଏଭଳି ମୁକାବିଲା, ଥଇଥାନ ବାବଦ ପ୍ରାକ୍-ପ୍ରସ୍ତୁତି ଜନିତ ଅନୁଭୂତି ଓ ଅଭିଜ୍ଞତା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଭିନ୍ନ ସ୍ଥାନରୁ ଆମନ୍ତ୍ରଣ ମିଳୁଛି। ମହାରାଷ୍ଟ୍ର ରାଜ୍ୟ ରାୟଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ପାଇଁ ଭୁବନେଶ୍ଵରରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଜିଲ୍ଲା ପ୍ରଶାସନ ଦ୍ବାରା ତିତ୍‌ଲି ଓ ଫନି ବାତ୍ୟା ମୁକାବିଲା ସାଙ୍ଗକୁ ତୃଣମୂଳସ୍ତରରେ ପ୍ରଶାସନ ଜରିଆରେ ଦକ୍ଷତା ବୃଦ୍ଧି ବାବଦରେ ଜ୍ଞାନ ଅନ୍ୟମାନଙ୍କ ସହ ବାଣ୍ଟିଥିଲେ। ଏଥିରେ ଗୋଷ୍ଠୀଗତ ସମ୍ପୃକ୍ତି ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ଅଂଶଗ୍ରହଣ ବାବଦରେ ନିଜ ଅଭିଜ୍ଞତା ବାଣ୍ଟିଥିଲେ ଜିଲ୍ଲାପାଳ କୁଲାଙ୍ଗେ।

ଆସନ୍ତା ସପ୍ତାହ ଆଡ଼କୁ ଗଞ୍ଜାମ ଜିଲ୍ଲା ଦେଇ ରାଜ୍ୟରେ ମୌସୁମୀର ପ୍ରବେଶ ଘଟିବ। ଗତ କିଛି ବର୍ଷ ହେଲା ଦେଖାଦେଉଛି ଯେ ଏହି ସମୟରେ ବନ୍ୟା ସହ ବାତ୍ୟା ଆଶଙ୍କା ଲାଗି ରହୁଛି। ତେଣୁ ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରିବା ପାଇଁ ଜିଲ୍ଲାରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିପର୍ଯ୍ୟୟ ସମୟରେ ଯେଉଁ ସବୁ ପ୍ରତିବନ୍ଧକ ଦେଖାଯାଏ ତାହାକୁ ନଜରରେ ରଖି ପୂର୍ବରୁ ସଜାଡ଼ିବା ପାଇଁ ବିଡିଓ, ପୌର ନିର୍ବାହୀ ଅଧିକାରୀ, ମହାନଗର ନିଗମ କମିଶନରଙ୍କୁ ପରାମର୍ଶ ଦିଆଯାଇଛି। ସ୍ୱୟଂସିଦ୍ଧା ଅଭିଯାନରେ ଗୋଷ୍ଠୀ ସମେତ ସମସ୍ତ ପଞ୍ଚାୟତରେ ନିହାତି ଭାବେ ୨୦ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଜରୁରି। ସ୍କୁଲମାନଙ୍କରେ ପ୍ରତି ଶନିବାର ପ୍ରାର୍ଥନା ପରେ ନିହାତି ଅଧ ଘଣ୍ଟା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପର୍ଯ୍ୟୟ ସଚେତନତା ସୃଷ୍ଟି କରାଯିବ ବୋଲି ଗୁରୁବାର ବୈଠକରେ ନିଷ୍ପତ୍ତି ହୋଇଛି।

Comments are closed.