ଶ୍ରୀମନ୍ଦିର ସମେତ ଦାଣ୍ଡମୁକୁନ୍ଦ ପୁରରେ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ଯାତ୍ରା ଅନୁଷ୍ଠିତ

ପବିତ୍ର ଚମ୍ପକ ଦ୍ୱାଦଶୀ ଅବସର ରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଗୁଆଲି ନୀତି ସମ୍ପର୍ଣ୍ଣ ହୋଇଛି। ସୁସଜ୍ଜିତ ପାଲିଙ୍କିରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିଥିଲେ । ଚଳିତବର୍ଷ କୋଭିଡ ସ୍ଥିତି ନଥିବାରୁ ମହାପ୍ରଭୁ ବିରାଟ ପଟୁଆରରେ ନଗର ପରିକ୍ରମ କରିଥିଲେ ।

ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କରେ ପ୍ରଥମେ ଶୀନହରକୁ ବିଜେ କରିଥିଲେ । ବନ୍ଦପନା ନୀତି ପରେ ଜମ୍ବେଶର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ସଂପୂର୍ଣ୍ଣ ହୋଇଥିଲା ।ସେପଟେ ସ୍ନାନଯାତ୍ରା ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଗତକାଲି ଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିଛନ୍ତି । ଗତକାଲି ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିଛନ୍ତି।

ସ୍ନାନଯାତ୍ରା ପହଣ୍ଡି ପାଇଁ କୋଠସୁଆଂସିଆ ସେବକମାନେ ଆଜି ରତ୍ନସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ମାନେ ସେନାପଟା ଲାଗି କରିବେ। ଏସମସ୍ତ ନିତୀ ପାଇଁ ଦଇତାପତି ମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ର ବ୍ୟବସ୍ଥା କରିଛନ୍ତି।

ସେହିପରି ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଶ୍ରୀ ଜୟଗୋପାଳ ଦେବଙ୍କ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣଯାତ୍ରା ମହା ସମାରୋହରେ ସମ୍ପନ୍ନ ହୋଇଛି। ଏଥିପାଇଁ ତିନିଦିନ ଧରି ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା। ରବିବାର ଅପରାହ୍ନରେ କାଠଚକ୍ର ବାଣଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୧୦ ହଜାରରୁ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା ।

ପରମ୍ପରା ଅନୁଯାଇ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ତଥା ଶନିବାର ସକାଳେ ପ୍ରଭୁ ଶ୍ରୀ ଜୟଗୋପାଳ ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ଧୁମଧାମରେ ସମ୍ପନ୍ନ ହୋଇଥିଲା । ହଜାର ହଜାର ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିବା ବେଳେ ବିବାହ ଉତ୍ସବକୁ ଶ୍ରଦ୍ଧାଳୁ ମାନେ ମନଭରି ଉପଭୋଗ କରିଥିଲେ । ଶନିବାର ରାତ୍ରୀରେ ଏକ ସୁସଜ୍ଜିତ ବିମାନରେ ଜୟଗୋପାଳ ଦେବଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନ ମୋହନ, ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଓ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଶୋଭା ଯାତ୍ରା ସମୟରେ ଘଣ୍ଟ,ଘଣ୍ଟା, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ରାଜରାସ୍ତା ପ୍ରକମ୍ପିତ ହୋଇଥିଲା ।

ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଦ୍ୱାରିଭୋଗ ଅର୍ପଣ କରାଯିବା ପରେ ବିଳମ୍ବିତ ରାତ୍ରୀରେ ଠାକୁର ମାନଙ୍କୁ ଗ୍ରାମର ବାଣମରା ଛକ (ଦଣ୍ଡାମୁଣ୍ଡ ଛକ) ଠାରେ ଖୁଣ୍ଟି ଲାଗି କରାଯାଇଥିଲା । ତ୍ରୟୋଦଶୀ ତିଥି ତଥା ରବିବାର ଅପରାହ୍ନରେ ଠାକୁର ମାନଙ୍କ ସମ୍ମୁଖରେ ପାରମ୍ପରିକ କାଠଚକ୍ର ବାଣ ପ୍ରଦର୍ଶନ କରାଯାଇଥିଲା । ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ ଏହି ବାଣଗୁଡିକ ପ୍ରଚୁର ନିଆଁ ଓ ଧୁଆଁ ମଧ୍ୟରେ ବିରାଟ ଗର୍ଜ୍ଜନ କରି ଏକ ଲୌହଦଣ୍ଡ ଉପରେ ବୁଲିବା ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଏଥିରେ ମୋଟ୍ ୩୪ଟି କାଠଚକ୍ର ବାଣ ସମେତ ବିଭିନ୍ନ ପ୍ରକାର ଆତସବାଜି ପ୍ରଦର୍ଶନ କରାଯାଇଥିଲା । ବାଣ ଦୁର୍ଘଟଣାକୁ ଏଡାଇବା ପାଇଁ କାଠଚକ୍ର ବାଣ ଚତୁଃପାର୍ଶରେ ଷ୍ଟିଲ ଜାଲି ଲଗାଯାଇଥିଲା । ପିପିଲି ଅଗ୍ନିଶମ ବାହିନୀ ଓ ପିପିଲି ପୁଲିସ ସେଠାରେ ମୂତୟନ ରହିଥିଲେ। ଏହି ଯାତ୍ରାରେ ଖୋଲାଯାଇଥିବା ଶତାଧିକ ଅସ୍ଥାୟୀ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥଲା।

ଐତିହାସିକ ମାନଙ୍କ ମତ ଅନୁସାରେ ଦାଣ୍ଡମୁକୁନ୍ଦ ପୁର ଗ୍ରାମରଏହି ପୁରାଣ ପ୍ରସିଦ୍ଧ ମନ୍ଦିରକୁ ଓଡିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନ ୧୫୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଆରମ୍ଭ କରିଥିଲେ । ମାତ୍ର ୧୫୬୮ରେ ଗୋହିରାଟିକିରି ଯୁଦ୍ଧକ୍ଷେତ୍ରରେ ତାଙ୍କର ମୃତ୍ୟୁ ପରେ ରାଣୀ ନାଟମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରିଥିବା ଜଣାଯାଏ । ୧୫୬୬ରୁ ୧୫୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୪୫୨ ବର୍ଷରୁ ଉର୍ଦ୍ଧକାଳ ଧରି ପାଳିତ ହୋଇଆସୁଥିବାରୁ ଏହାକୁ ଜାତୀୟ ପର୍ବର ମାନ୍ୟତା ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।
ଲୋକ ସମାଗମକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Comments are closed.