ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନକଲି ଶିକ୍ଷକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ , ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି , ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଗତ ତିନିବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକମାନଙ୍କର ସାର୍ଟିଫିକେଟ୍ ଏବଂ ପ୍ରମାଣପତ୍ର ଯାଞ୍ଚ କରାଯିବ । ରାଜ୍ୟ ବାହାରର ବିଶ୍ଵବିଦ୍ୟାଳୟ ଏବଂ ସଂପୃକ୍ତ ରାଜ୍ୟର ଶିକ୍ଷା ବିଭାଗକୁ ଏ ସଂପର୍କରେ ଯାଞ୍ଚ କରିବା ପାଇଁ ଚିଠି ଲେଖାଯିବ । ଆବଶ୍ୟକ ପଡ଼ିଲେ ଯାଞ୍ଚ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସ୍ଵତନ୍ତ୍ର ଅଧିକାରୀଙ୍କୁ ରାଜ୍ୟ ବାହାରର ବିଶ୍ଵବିଦ୍ୟାଳୟକୁ ପଠାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଚଳିତ ବର୍ଷରୁ ଡିଜିଲକ୍ ବ୍ୟବସ୍ଥା ପ୍ରଚଳନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ସାର୍ଟିଫିକେଟ୍‌କୁ ଡିଜିଟାଇଜେସନ୍ କରିବା ପାଇଁ ଆଇଟି ବିଭାଗର ସଚିବଙ୍କୁ ପତ୍ର ଲେଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା ସମସ୍ତ ଶିକ୍ଷକଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବ । ସମସ୍ତ ମାମଲାର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବା ସହିତ ଏଫ୍ଆଇଆର୍ ( FIR ) ଦରଜ କରାଯିବ । ଏଥି ସହିତ ଚିହ୍ନଟ ଶିକ୍ଷକମାନଙ୍କଠାରୁ ଦରମା ଅର୍ଥ ଅସୁଲ କରିବା ପାଇଁ ଚିଠି ଲେଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସିବିଏସ୍‌ଇ ବିଦ୍ୟାଳୟଗୁଡ଼ିକୁ ଏନ୍‌ଓସି ପ୍ରଦାନକୁ ସରଳ ଏବଂ ସ୍ଵୟଂକ୍ରିୟ କରାଯିବ ଓ ସେମାନଙ୍କ ଆବେଦନ ପତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରହଣ କରାଯିବ । ସ୍କୁଲ ଦ୍ଵାରା ପ୍ରଦତ୍ତ ତଥ୍ୟ ତ୍ରୁଟିପୂର୍ଣ୍ଣ ଥିଲେ ତିନିବର୍ଷ ପାଇଁ କୌଣସି ଏନ୍‌ଓସି ପ୍ରଦାନ କରାଯିବ ନାହିଁ । ସାମ୍‌ସ ଏବଂ ଦକ୍ଷତା ବିକାଶ ବିଭାଗରୁ ତଥ୍ୟ ସଂଗ୍ରହ ପରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରେ ଡ୍ରପ୍‌ଆଉଟ୍‌ଙ୍କ ସମ୍ବନ୍ଧରେ ବିଶ୍ଳେଷଣ କରାଯିବ । ଶିକ୍ଷକମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ ଏବଂ ଓସେପା ଦ୍ଵାରା ଦକ୍ଷତା ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୩୦ଟି ଜିଲ୍ଲାର ୩୦ଟି ସ୍କୁଲକୁ ଚିହ୍ନଟ କରାଯାଇ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Comments are closed.