କନ୍ଧମାଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ୨୦୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ ଉତ୍ତରପ୍ରଦେଶକୁ ଚୋରାଚାଲାଣ ବେଳେ ୨୦୩ କିଲୋ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ୍ (ୟୁପି୭୩ଏ-୩୬୨୭) ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍। ଦାରିଙ୍ଗବାଡି ଥାନାଧିକାରୀ କୌଶିକ ମାଝୀଙ୍କ ସୂଚନା ମୁତାବକ ଫିଲ୍ମ ପୁଷ୍ପା ଷ୍ଟାଇଲରେ ଉକ୍ତ ଟ୍ରକ୍ ଡାଲା ତଳେ ଏକ ଗୁପ୍ତ ଚ୍ୟାମ୍ବର୍ କରାଯାଇ ସେଠାରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା।

ଉତ୍ତରପ୍ରଦେଶ ରାଜ୍ୟ କୌସମ୍ବି ଜିଲ୍ଲା ସାଇନି ଥାନା ଅଞ୍ଚଳର ଶାହରୁଖ ଖାନ ଓ ଫତେପୁର ଜିଲ୍ଲା ଖାଖେରୁ ଥାନା ଇଲାକାର ଅଜୟ କୁମାର ପାଲ ଅନ୍ୟମାନଙ୍କୁ ଭ୍ରମିତ କରି ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଦୁହେଁ ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ଧରି ଉତ୍ତରପ୍ରଦେଶକୁ ଏଭଳି ଚୋରାରେ ଚାଲାଣ କରୁଥିଲେ ଯେପରି ଅନ୍ୟମାନେ ଜାଣିପାରିବେ ନାହିଁ। ହେଲେ ପୋଲିସ ତାହାକୁ ଧରିବାରେ ସକ୍ଷମ ହୋଇଛି। ଦାରିଙ୍ଗବାଡି ନିକଟ ଆମ୍ବଖାଲିଆ ଘାଟିରେ ପାଟ୍ରୋଲିଂ ବେଳେ ଟ୍ରକ୍ ଅଟକାଇ ଯାଞ୍ଚ ବେଳେ ସିକ୍ରେଟ୍ ଚ୍ୟାମ୍ବର୍ ଉପରେ ପୋଲିସର ନଜର ପଡ଼ିଥିଲା। ପୋଲିସ କେସ୍ ନମ୍ବର୍ ୧୦୦/୨୨ ରୁଜୁ କରି ଯାଞ୍ଚ ଚଳାଇଛି। ଏହି ଟ୍ରକ୍ ଉତ୍ତରପ୍ରଦେଶରୁ ବିଭିନ୍ନ ସାମଗ୍ରୀ ଆଣି ବ୍ରହ୍ମପୁରରେ ଅନଲୋଡ୍ କରି ବାଲିଗୁଡ଼ା ଅଞ୍ଚଳକୁ ଆସି ଏଠାରୁ ଉତ୍ତରପ୍ରଦେଶକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିଲା।

Comments are closed.