ରେଶମ ସହରରେ ରଜ ଧୁମ୍: ଦୃଷ୍ଟିହୀନ ଖେଳିଲେ, ପରମ୍ପରାର ପ୍ରଦର୍ଶନ କଲେ

ବ୍ରହ୍ମପୁର: ରେଶମ ସହରରେ ରଜ ପର୍ବର ଧୁମ୍ ଦେଖିବାକୁ ମିଳିଛି। ରଜର ମଉଜ ଉଠାଇଛନ୍ତି ଦୃଷ୍ଟିହୀନ ବାଳିକା। ପୁଣି ଓଡ଼ିଶୀ ନୃତ୍ୟ, ଓଡ଼ିଆଣୀ ବେଶ ପୋଷାକ ଜରିଆରେ ଆମ ରାଜ୍ୟ ଓ ଆମ ନିଜସ୍ୱ ପରମ୍ପରାର ଝଲକ ଦେଖାଇଛନ୍ତି ମହିଳା। ପାରମ୍ପରିକ ପିଠା ଓ ପାନ ସାଙ୍ଗକୁ ପୁଚି ଖେଳ, ଦୋଳି ଝୁଲାରେ ରଜ ପର୍ବ ପାଳିଛନ୍ତି ରେଶମ ସହରବାସୀ।

ମହାନଗରରେ ରଜର ନିଆରା ଝଲକ ଦେଖିବାକୁ ମିଳିଥିଲା ଯେତେବେଳେ କର୍ପୋରେସନ୍ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଦୃଷ୍ଟିହୀନ ଝିଅମାନେ ରଙ୍ଗାରଙ୍ଗ ପରିବେଶରେ ଦୋଳି ଖେଳିଥିଲେ। ଓଡ଼ିଶା ସର୍ଭିସ୍‌ ସେଣ୍ଟର୍ ଫର୍ ଦ ବ୍ଲାଇଣ୍ଡ୍ ଛାତ୍ରୀମାନଙ୍କୁ ସ୍ବାଗତ କରିଥିଲା ପାର୍କର ବେଲୁନ୍, ଫୁଲ ଓ ଅନ୍ୟ ସାମଗ୍ରୀରେ ସୁସଜ୍ଜିତ ଝୁଲା ଦୋଳି। ବାହାର ଦୁନିଆକୁ ସାଧାରଣ ଲୋକଙ୍କ ଭଳି ଦେଖିବାରୁ ବଞ୍ଚିତ ଏଇ ଦୃଷ୍ଟିହୀନ ଝିଅମାନଙ୍କ ଖୁସିରେ ସାମିଲ ହୋଇଥିଲେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା ପ୍ରମୁଖ। ଅନୁଷ୍ଠାନର ସମ୍ପାଦକ ଭବାନୀ ଶଙ୍କର ପାଢ଼ୀଙ୍କ ନେତୃତ୍ବରେ ପ୍ରାୟ ଶହେ ଜଣ ଅନ୍ତେବାସୀ ଖୁସି ମନରେ ଦିନଟି ପାଳିଥିଲେ, ନାଚିଥିଲେ, ଦୋଳିରେ ଝୁଲିଥିଲେ, ପୁଚି ଖେଳିବା ସହ ମିଠା ଓ ପିଠା ଖାଇଥିଲେ।

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ହେଉ ବା ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲ୍ ପରିସର, ଉତ୍କଳ ଆଶ୍ରମର ମୁକ୍ତ ମଞ୍ଚ ଅଥବା ଟାଉନ୍ ହଲ୍… ଏସବୁ ସ୍ଥାନରେ ଦେଖିବାକୁ ମିଳିଥିଲା ରଜ ମଉଜ। ରଜ ପିଠା, ପୋଡ଼ ପିଠା, ହଳଦୀ ପତ୍ର ପ୍ରସ୍ତୁତି ପିଠା, କାକରା, ମଣ୍ଡା, ଆରିସା, ଛୁଞ୍ଚିପତ୍ର ପିଠା, ଚକୁଳି, ଚନ୍ଦ୍ରକାନ୍ତି ପିଠା ପ୍ରଦର୍ଶନୀ ଦେଖଣାହାରୀଙ୍କ ମନରେ ସୁଆଦିଆ ଖାଦ୍ୟର ତୃପ୍ତି ଆଣି ଦେଇଥିଲା। ଝୋଟି ଚିତା, ଓଡ଼ିଆଣୀ ବେଶ ଆଦି ପାରମ୍ପରିକ ପ୍ରତିଯୋଗିତା ହୋଇଥିଲା। ଓଡ଼ିଶୀ ନୃତ୍ୟ, ଲୋକ ନୃତ୍ୟ, କୁଚିପୁଡି ନୃତ୍ୟ, ପଶୁମୁଖା, ଘୁଡୁକି ଓ ସଖୀ ନାଚ ସାଙ୍ଗକୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

ନାବାଳିକାରୁ ଆରମ୍ଭ କରି କୁଆଁରୀ ଝିଅ, ବିବାହିତା ମହିଳା ସାମୂହିକ ରଜ ପର୍ବରେ ହସଖୁସିରେ ସାମିଲ ହୋଇଥିଲେ। ଏହି ଅବସରରେ ଦେଖିବାକୁ ମିଳିଥିଲା ମେହନ୍ଦି, ସାଧାରଣ ଜ୍ଞାନ, ପିଠା, ପୁଚି ଖେଳ, ମ୍ୟୁଜିକ୍ ଚେୟାର୍ ଭଳି ପ୍ରତିଯୋଗିତା। ଉତ୍କଳ ଆଶ୍ରମରେ ସାଂସ୍କୃତିକ ସନ୍ଧ୍ୟା ‘ଆ ରେ ମେଘ ଆ’ ଥିଲା ଅନ୍ୟତମ ଆକର୍ଷଣୀୟ କାର୍ଯ୍ୟକ୍ରମ। ଟାଉନ୍ ହଲ୍‌ରେ ରଜ ଗୀତର ତାଳରେ ନୃତ୍ୟ ସହ କବାଡ଼ି ଖେଳ ଓ ପୁଚି ଖେଳିଥିଲେ ମହିଳା। ହାଉସିଂ ବୋର୍ଡ ଜଗନ୍ନାଥ ବିହାର ଠାରେ ଝୋଟି ଅଙ୍କନ, ଅଳତା ଓ ମେହେନ୍ଦି ଲଗାଇବା, ପିଠା ଖୁଆଇବା, ଦୋଳି ଓ ପୁଚି ଖେଳିବା, ନାଚଗୀତ ସହ ଅନ୍ୟତମ ଆକର୍ଷଣ ଥିଲା ଗୃହିଣୀଙ୍କ ପାରମ୍ପରିକ ଶାଢ଼ୀ ପିନ୍ଧି ରାମ୍ପ୍ ୱାକ୍। ଏଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ରେଶମ ସହରବାସୀ ଆନନ୍ଦ ଉଲ୍ଲାସର ସହ ରଜ ପର୍ବ ପାଳିଛନ୍ତି।

Comments are closed.