ସଇନ୍ତଳା ପାଳଗଦାରୁ ନରକଙ୍କାଳ ଉଦ୍ଧାର ମାମଲାରେ ସ୍କେଚ୍‌ ଜାରିକଲା ପୋଲିସ

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନାର ଜାତୀୟ ରାଜପଥ-୨୬ ନବୀନ ଛକ ନିକଟ ଏକ ଚାଷଜମିର ପୋଡ଼ା ପାଳଗଦା ଭିତରୁ ୨୦୨୧ ମସିହା ନରକଙ୍କାଳ ଜବତ ମାମଲାରେ ସ୍କେଚ ଜାରି କରିଛି ପୋଲିସ । ତଦନ୍ତରୁ କଙ୍କାଳର ଖପୁରିକୁ ଆଧାର କରି ଅବିକଳ ଚେହେରାର ଦୁଇଟି ଫଟୋ ଜାରି କରିଛି ପୁଲିସ। ଫଟୋରେ ଝିଅର ବୟସ ୧୮ରୁ ୨୫ ଭିତରେ ଥିବା ଅନୁମାନ କରାଯାଉଛି। ତାଙ୍କ ସଂପର୍କରେ କେହି ଜାଣିଲେ ପୋଲିସକୁ ଫୋନ୍‌ ନମ୍ବର- ୦୬୬୫୨-୨୩୨୩୦୦ରେ ସୂଚନା ଦେବାକୁ ଏସ୍‌ପି ଅନୁରୋଧ କରିଛନ୍ତି। ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ଏବଂ ନାମ ଗୋପନ ରଖାଯିବ ବୋଲି ଘୋଷଣା କରାଯାଇଛି। ୨୦୨୧ରେ ନବୀନ ଛକ ନିକଟରେ ଥିବା ବିବିନା ଗ୍ରାମର ସଂଜୟ ଓରଫ ରାହାସ ମୁନାଙ୍କ ଚାଷଜମିରୁ ନରକଙ୍କାଳ ଉଦ୍ଧାର ହୋଇଥିଲା। ମୁନା ପ୍ରଥମେ ନରକଙ୍କାଳ ଓ ପାଳଗଦା ପୋଡ଼ିଯାଇଥିବା ଦେଖି ପୋଲିସକୁ ଜଣାଇଥିଲେ। ସଇନ୍ତଳା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିଥିଲା। ତଦନ୍ତ ସମୟରେ ଘଟଣାସ୍ଥଳରୁ ପୋଡ଼ିଯାଇଥିବା ଖପୁରି, କିଛି ହାଡ଼, ୧୪ଟି ଚୁଡ଼ି ଓ ପାଉଁଜି ଜବତ କରିଥିଲା ପୁଲିସ। ଏବେବି ହତ୍ୟାକାରୀ କିଏ ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି। ନରକଙ୍କାଳ ବି କାହାର ଜଣାପଡ଼ି ନଥିବାରୁ ପୁଲିସ ଏହି ସ୍କେଚ୍‌ ଜାରି କରିଥିବା କହିଛି।

Comments are closed.