ଅନବସର ପନ୍ଦର ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମସ୍ତ ଫଳ ମିଳିଥାଏ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣସର ଲୀଳା ଏକ ବୈଚିତ୍ରମୟ ଲୀଳା। ଦୀର୍ଘ ପନ୍ଦର ଦିନ ମହାପ୍ରଭୁ କରିଥାନ୍ତି ସଙ୍ଗୋପନ ଲୀଳା। ତାଙ୍କର ଏହି ଲୀଳା କୁ ପ୍ରତ୍ୟକ୍ଷ ଦର୍ଶନ କରିବାକୁ ଶାସ୍ତ୍ରରେ ରହିଛି ବାରଣ। ଯଦିବି କେହି ଏହାକୁ ଦେଖିବା କୁ ଚେଷ୍ଟା କରନ୍ତି ତେବେ ତାଙ୍କର ଅହିତ ସାଧନ ହିଁ ସାର। କିନ୍ତୁ ବିଶ୍ଵବ୍ରହ୍ମାଣ୍ଡ ନାୟକ ଭକ୍ତକୁ ନିଜର ସ୍ୱରୂପ ଦର୍ଶନ ର ଆନନ୍ଦ ଦେବାକୁ ବିରାଜମାନ କରିଥାଆନ୍ତି ଶ୍ରୀ ଅଲାରନାଥ ସ୍ଵରୂପରେ। ଭକ୍ତବୃନ୍ଦ ଏହି ରୂପକୁ ଦର୍ଶନ କରି ନିଜର ଦର୍ଶନ ଲାଳସା ପୂର୍ଣ କରିଥାନ୍ତି।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଦାରୁବିଗ୍ରହ ୧୦୮ ପବିତ୍ର ଜଳରେ ସ୍ନାନ କଲାପରେ ପନ୍ଦର ଦିନ ନିଭୃତ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଏହି ପନ୍ଦର ଦିନ ଲୋକାଚାର ମତରେ ଶ୍ରୀବିଗ୍ରହ ମାନେ ଜ୍ଵରରେ ପଡ଼ିଥାନ୍ତି। ଏହି ସମୟରେ ଅଣସର ପିଣ୍ଡିରେ ଶ୍ରୀ ଦାରୁବିଗ୍ରହଙ୍କ କିଛି ଗୁପ୍ତସେବା ଅନୁଷ୍ଠିତ ହୋଇଥାଏ। କେବଳ ଦଇତା ସେବକଙ୍କ ବ୍ୟତୀତ ଅନ୍ୟ ସେବକ ତଥା ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ବନ୍ଦ ରହିଥାଏ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କୁ ଶ୍ରୀଅଲାରନାଥ ରୂପରେ ଦର୍ଶନ କରିଥାନ୍ତି।

ପୁରୀ ଠାରୁ ପ୍ରାୟ କୋଡିଏ କିଲୋମିଟର ଦୂର ବ୍ରହ୍ମଗିରି ଠାରେ ରହିଛି ପ୍ରସିଦ୍ଧ ଶ୍ରୀଅଲାରନାଥ ଦେବଙ୍କ ମନ୍ଦିର। ଅନବସର ପନ୍ଦର ଦିନ ଏହାଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ର ସମସ୍ତ ଫଳ ମିଳିଥାଏ ବୋଲି ଲୋକ ଵିଶ୍ଵାସ ରହିଛି। ପୁରୁଷୋତ୍ତମ ଚନ୍ଦ୍ରିକା ବର୍ଣ୍ଣନା ଅନୁଯାୟୀ ଏକଦା ଶ୍ରୀ ସମ୍ପ୍ରଦାୟର ଅଲବନ୍ଦାଚାର୍ଯ୍ୟ ଅନବସର ସମୟରେ ପୁରୀ ଆସି ଶ୍ରୀଜୀଉ ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।ସିଏ ସୁଖ୍ମରେ ନିଜ ତନ୍ତ୍ରବଳରେ ଏକ ମାଛି ରୂପରେ ଅଣସର ଘରେ ପ୍ରଵେଶ କରି କିଛି ଦେଖି ପାରିନଥିଲେ । କେବଳ ଅଷ୍ଟଦଳ ପଦ୍ମପାଖୁଡ଼ାରେ ଅଷ୍ଟ ସଖୀ ତାଙ୍କୁ ଉପହାସ କରୁଥିବା ଦେଖିବାକୁ ପାଇଲେ। ପ୍ରଭୁଙ୍କ ଦର୍ଶନ ବିରହରେ ସମୁଦ୍ର ରେ ଝାସ ଦେବାକୁ ଯିବାବେଳେ ଭୁଲ ବଶତଃ ଦକ୍ଷିଣ ଦିଗକୁ ଚାଲି ଆସିଥିଲେ। ଏହିସ୍ଥାନଟି ଥିଲା ବ୍ରହ୍ମଗିରି ନାମକ ଏକ ପର୍ବତ। ଏହିଠାରେ ଭକ୍ତ ଅଲବନ୍ଦାଚାର୍ଯ୍ୟ ଙ୍କୁ ସ୍ୱୟଂ ଜଗନ୍ନାଥ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ଠାକୁରଙ୍କ ନାମ ରହିଲା ଅଲବିନ୍ଦା ନାଥ। ଯାହା ବର୍ତ୍ତମାନ ଅପଭ୍ରଂଶ ରେ ହୋଇଛି ଅଲାରନାଥ।

ଶ୍ରୀଅଲାରନାଥ ଦେବଙ୍କ ସମ୍ବନ୍ଧରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଯାହା ଜନ ମାନସରେ ବେଶ ପ୍ରସିଦ୍ଧ। ଶ୍ରୀଅଲାରନାଥ ହେଉଛନ୍ତି କ୍ଷୀରି ପ୍ରିୟ ଠାକୁର। ଶ୍ରୀଅଲାରନାଥଙ୍କ ପୂଜକ ଥରେ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ନିଜର ଛୋଟ ସନ୍ତାନ ଶ୍ରୀକେତନ ଙ୍କୁ ସେବାଭାର ଦେଇଥିଲେ। ଛୋଟ ନିର୍ବୋଧ ଶିଶୁ ର ଅନୁରୋଧ ରକ୍ଷାକରି ପ୍ରଭୁ ସବୁଦିନ ଖିରି ଭୋଗ ପାନ କରି ତାର ମନ ରଖୁଥିଲେ। ଶିଶୁ ଟି ସବୁଦିନ ଭୋଗ ସମୟରେ କହୁଥିଲା ‘ ଆସ ଦିଅଁ ଖାଅ ଖିରି, ବାପା ଯାଇଛନ୍ତି ବିଦେଶ କରି’ । ସରଳ ହୃଦୟ ର ଏହି ମନ୍ତ୍ରରେ ପ୍ରଭୁ ଖିରି ପାନ କରୁଥିଲେ। ଘରକୁ ପ୍ରତଦିନ ଖିରି ପ୍ରସାଦ ଆସୁନଥିବାରୁ ସମସ୍ତେ ଭାବୁଥିଲେ ପିଲାଲୋକ ଭୋଗ ପରେ ଖିରି ନିଜେ ଖାଇ ଠାକୁରଙ୍କ ନାମ ଦେଉଛି। ପରୀକ୍ଷା ପାଇଁ ଦିନେ ଠାକୁରଙ୍କ ଭୋଗ ସମୟରେ ହଠାତ ଦ୍ୱାର ଖୋଲି ଦିଆଯାଇ ଥିଲା। ପ୍ରଭୁ ତର ତର ହୋଇ ସିଂହାସନ ଉପରକୁ ଯିବା ସମୟରେ ତତଲା ଖିରି ପଡି ପ୍ରଭୁଙ୍କ ମୁହଁ, ଛାତି ଓ ହାତ ପାପୁଲି ରେ ଫୋଟକା ହୋଇଗଲା। ଯାହା ଆଜିବି ଶ୍ରୀବିଗ୍ରହରେ ଦର୍ଶନୀୟ। ସ୍ୱୟଂ ଶ୍ରୀବିଗ୍ରହ ଯେ ଜୀବନ୍ତ ଏହା ତାର ପ୍ରତ୍ୟକ୍ଷ ପ୍ରମାଣ।

ପଞ୍ଚଦଶ ଶତାବ୍ଦୀରେ ଏହି ପୀଠ ଦର୍ଶନରେ ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ। ପ୍ରଭୁ ଅଲାରନାଥ ଙ୍କ ଅପରୂପ ରୂପଲାବଣ୍ୟ ଦେଖି ବିମୋହିତ ହୋଇ ପଡ଼ିଥିଲେ। ତାଙ୍କର ଭାବର ତରଙ୍ଗରେ ପ୍ରଭୁଙ୍କ ସମ୍ମୁଖ ପଥର ତରଳି ଯାଇଥିଲା। ସେହି ପଥର ଗାତ୍ରରେ ଆଜିବି ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟାଙ୍ଗ ଶରୀର ଚିହ୍ନମନ୍ଦିର ବେଢାରେ ବିଦ୍ୟମାନ। ଶ୍ରୀଶ୍ରୀରାଧା ରମଣ ଦେବଙ୍କ ନିର୍ଦେଶ ରେ ଶ୍ରୀପାଦ ରାମଦାସ ବାବାଜୀ ମହାରାଜ ଏହି ସ୍ମୃତିଶିଳା ପାଇଁ ସୁନ୍ଦର ମନ୍ଦିର ନିର୍ମାଣ କରି ପୂଜାର ବ୍ୟବସ୍ଥା କରିଛନ୍ତି।

ପ୍ରବାଦ ରହିଛି ଏହି ସମୟରେ ପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ଫଳ ଦାୟକ। ଭକ୍ତ ଅନବସର ସମୟରେ ପ୍ରଭୁ ଶ୍ରୀଅଲାରନାଥ ଦେବଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ର ସମସ୍ତ ଫଳ ଲାଭ କରିବା ସହ ନିଜ ଜୀବନକୁ ଧନ୍ୟ ମନେକରିଥାଏ।

( ସଂଗୃହିତ )

Comments are closed.