ବ୍ରହ୍ମପୁରରେ ମିଶନ୍ ପ୍ଲାଷ୍ଟିକ୍ ବର୍ଜନ, ସ୍ଥାପିତ ହେଲା ରିଭର୍ସ ଭେଣ୍ଡିଂ ମେସିନ୍

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଅଞ୍ଚଳରେ ପ୍ଲାଷ୍ଟିକ୍ ଓ ପଲିଥିନ୍‌ ବର୍ଜନ ମିଶନ୍‌କୁ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି ପ୍ରଶାସନ। କେବଳ ବ୍ରହ୍ମପୁର ନୁହେଁ, ଗୋପାଳପୁର ଓ ଛତ୍ରପୁର ଠାରେ ମଧ୍ୟ ଏକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ତାହା ହେଉଛି ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ। ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହି ୩ଟି ମେସିନ୍ ଯାହାର ପ୍ରତ୍ୟେକର ଦାମ୍ ୩ ଲକ୍ଷ ଟଙ୍କା ତାହାକୁ ୩ଟି ସହରରେ ସ୍ଥାପନ କରାଯାଇଛି। ଏପରିକି ସହରବାସୀଙ୍କୁ ଏହି ମେସିନ୍ ଜରିଆରେ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରିହାତି ବ୍ୟବସ୍ଥା ମଧ୍ୟ କରିଛି ପ୍ରଶାସନ। ପ୍ରଥମ କରି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ୍ ଠାରେ ଏଭଳି ଏକ ମେସିନ୍ ସ୍ଥାପନ ତଥା ଉଦ୍‌ଘାଟନ ମଧ୍ୟ କରାଯାଇଛି।

ବିଏମ୍‌ସିକୁ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଆଗେଇ ଆସିଛି ପରିବେଶ ଶିକ୍ଷା କେନ୍ଦ୍ର (ସିଇଇ) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍। ଏହି ମେସିନ୍ ଜରିଆରେ ପରିବେଶକୁ ପ୍ରଦୂଷିତ କରୁଥିବା ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ନଷ୍ଟ କରାଯାଇ ପାରିବ। ଯେଉଁ ବ୍ୟକ୍ତି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍‌କୁ ଏହି ଷ୍ଟଲ୍‌ରେ ପ୍ରଦାନ କରିବେ ସେମାନଙ୍କୁ ପ୍ରତି ବଦଳରେ ବ୍ୟାଗ୍ କିମ୍ବା ମାସ୍କ ପ୍ରଦାନ କରାଯିବ। ଯେଉଁମାନେ ରିଭର୍ସ ଭେଣ୍ଡିଂ ମେସିନ୍ ସହାୟତାରେ ନଷ୍ଟ କରିବେ ସେମାନଙ୍କୁ ମିଳିବ ଡିସ୍‌କାଉଣ୍ଟ୍ କୁପନ୍। ଉକ୍ତ କୁପନ୍ ବ୍ୟବହାର କରି ପୂର୍ବ ନିର୍ଦ୍ଧାରିତ ରେଷ୍ଟୁରାଣ୍ଟ ଓ କେତେକ ଫୁଡ୍ ଡେଲିଭରି କମ୍ପାନୀ ଠାରୁ ଉକ୍ତ ବ୍ୟକ୍ତିବିଶେଷ ପାଇପାରିବେ ୫ ପ୍ରତିଶତ ରିହାତି। ଏନେଇ ବ୍ୟାଙ୍କ୍ ସହ ରେଷ୍ଟୁରାଣ୍ଟ ଓ ସ୍ବିଗି ଭଳି ଖାଦ୍ୟ ବିତରକ ସଂସ୍ଥା ସହ ବୁଝାମଣା ହୋଇଛି।

 

ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ମେସିନ୍ ଓ ଷ୍ଟଲ୍‌ କାର୍ଯ୍ୟକ୍ଷମ ରହିବ। ଏହି ଷ୍ଟଲ୍‌ରେ ସିଇଇ ଓ ବିଏମ୍‌ସି କର୍ମଚାରୀ ନିୟୋଜିତ ହେବେ। ସେମାନେ ମେସିନ୍ ବାବଦରେ ଲୋକଙ୍କୁ ଅବଗତ କରାଇବେ। ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିବା ଏହି ଯୋଜନା ଆଗାମୀ ଦିନରେ ଜିଲ୍ଲାସାରା କାର୍ଯ୍ୟକାରୀ କରାଯିବାର ଯୋଜନା ରହିଛି। ଉଲ୍ଲେଖଯୋଗ୍ୟ ଆମ ଦେଶରେ ନୂଆଦିଲ୍ଲୀ, ପାଟଣା, ସମସ୍ତିପୁର ଆଦି ସହରରେ ଏହି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟ କରୁଛି। ପରିବେଶ ଅନୁପଯୋଗୀ ପଲିଥନ୍ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍‌ ବ୍ୟବହାର ରୋକିବା ନେଇ ଏଭଳି ଅଭିଯାନ ବେଶ୍ ସହାୟକ ହେବ ବୋଲି ସମସ୍ତେ ଆଶାବାଦୀ।

ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଏକ ମେସିନ୍‌କୁ ଉଦ୍‌ଘାଟନ କରିଥିଲେ ମେୟର ସଂଘମିତ୍ରା ଦଳାଇ, କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଉପଜିଲ୍ଲାପାଳ ଭି. କିର୍ତ୍ତି ଭାସନ୍ ପ୍ରମୁଖ। ଏହି ଅବସରରେ ‘ପ୍ଲାଷ୍ଟିକ୍ ଆଣନ୍ତୁ, ବ୍ୟାଗ୍ ଓ ମାସ୍କ ନିଅନ୍ତୁ’ ଆହ୍ବାନ ଦିଆଯାଇ ଥିଲା। ପ୍ଲାଷ୍ଟିକ୍‌କୁ ଏଣେ ତେଣେ ନ ଫିଙ୍ଗି ମେସିନ୍ ନିକଟ ଷ୍ଟଲରେ ଦେଇ ମାସ୍କ ଓ ବ୍ୟାଗ୍ ପାଇପାରିବେ ସହରବାସୀ। ସୂଚନା ଥାଉକି ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ପୁନଃବ୍ୟବହାର ଉପଯୋଗୀ କରିବା ଓ ରିସାଇକ୍ଲିଂ ପ୍ରତି ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ଫୋକସ୍ କରିବାରେ ଲାଗିଛି।

Comments are closed.