ଗଞ୍ଜାମର ୨ ନିଶା ମାଫିଆଙ୍କ ୩ କୋଟିର ସମ୍ପତ୍ତି ଜବତ

ଭୁବନେଶ୍ୱର: ନିଶାର ସାମ୍ରାଜ୍ୟ ଖେଳାଇଥିବା ମାଫିଆଙ୍କ ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ। କେବଳ ଜେଲ ଦଣ୍ଡ ଭୋଗି ରହିଯିବେନି ନିଶା ମାଫିଆ। ପୋଲିସ, ଏସଟିଏଫ୍ (ସ୍ୱତନ୍ତ୍ର ଟାସ୍କ ଫୋର୍ସ) ପଞ୍ଝାରୁ ଆଉ ବର୍ତ୍ତିବ ନାହିଁ ସେମାନଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି। ସେସବୁ କାବୁ କରାଯିବ ଆଉ ସେମାନଙ୍କ ପ୍ରତିପତ୍ତିକୁ ଚୋଟ ପହଞ୍ଚାଯିବ। ରାଜ୍ୟ ସରକାର ତଥା ପୋଲିସ ବିଭାଗର ଏଭଳି ଅଭିଯାନରେ ଫସିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ଦୁଇ ନିଶା ମାଫିଆ। ଗଞ୍ଜେଇ ଓ ଅଫିମ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଏସଟିଏଫ୍ ଗିରଫ କରିଥିଲା ବୁଗୁଡ଼ା ରଘୁନାଥ ସାହିର ଦୁଇ ଭାଇ ବନମାଳୀ ପ୍ରଧାନ ଓ ଅରୁଣ କୁମାର ପ୍ରଧାନଙ୍କୁ। ଆଉ ସେମାନଙ୍କ ଦ୍ବାରା ବେଆଇନ ଭାବେ ଅର୍ଜିତ ୩ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ ମଧ୍ୟ କରାଯାଇଛି।

ଦୁଇ ଭାଇ ଗତ ଏପ୍ରିଲ ୨୯ ତାରିଖରେ ୧୦୬ କିଲୋ ଗଞ୍ଜେଇ ଓ ୫୧୭ ଗ୍ରାମ୍ ଅଫିମ ଚାଲାଣ କରୁଥିବା ବେଳେ ଏସ୍ଏଫ୍ ଦୁହିଁଙ୍କୁ କାବୁ କରିଥିଲା। ସ୍ୱତନ୍ତ୍ର ଟାସ୍କ ଫୋର୍ସ କେସ୍ ନମ୍ବର ୧୦ / ୨୦୨୨ ଅନୁସାରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଦୁଇ ଅଭିଯୁକ୍ତ ଭାଇଙ୍କ ନାମରେ ରହିଛି ବୁଗୁଡ଼ାରେ ୫ଟି କୋଠା, ୮ ଗୋଟି ଜମି, ୨ଟି ଗାଡ଼ି, ୫୯୫ ଗ୍ରାମ୍ ସୁନା ଓ ୧୯୦ ଗ୍ରାମ୍ ରୁପା ଆଦି। ଏସଟିଏଫ୍ ଏହି ସୂଚନା ପାଇବା ପରେ ଦୁଇ ଭାଇଙ୍କ କଳା କାରନାମା ଉପରେ ବଜ୍ରପାତ ଘଟାଇବାକୁ ପ୍ରସ୍ତୁତି କରିଥିଲା। ଏହି ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କୁ ତାଲିକା ପଠାଯିବ ବୋଲି ଏସଟିଏଫ୍ ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। କମ୍ପିଟେଣ୍ଟ ଅଥରିଟିକୁ ଯଦି ଅଭିଯୁକ୍ତଦ୍ବୟ ସେମାନଙ୍କ ସମ୍ପତ୍ତିର ସଠିକ୍ ଓ ଯୁକ୍ତିଯୁକ୍ତ ହିସାବ ଦେଇନପାରନ୍ତି ତାହେଲେ ସମ୍ପତ୍ତି ବାଜ୍ୟାପ୍ତ କରି ନିଆଯିବ।

ଏହା କେବଳ ଗୋଟିଏ ଘଟଣା ନୁହେଁ, ଗଞ୍ଜେଇ ଚୋରାଚାଲାଣକାରୀ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକର ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିଲା। କୋଦଳା ଥାନା ଅନ୍ତର୍ଗତ ଛଚିନାର କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ରସେନ ପରିଡ଼ାର ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଏପରିକି ଗୁଜରାଟ ରାଜ୍ୟର ସୁରଟ ସମେତ ଆଉ କିଛି ସ୍ଥାନରେ ଚିତ୍ରସେନର ଗଞ୍ଜେଇ କାରବାରରୁ ଉପାର୍ଜିତ ବେଆଇନ ସମ୍ପତ୍ତି ରହିଥିବା ଅନୁମାନ କରି ତାହାକୁ ମଧ୍ୟ ଜବତ କରିବାକୁ ପଦକ୍ଷେପ ନିଆଯାଇ ଥିଲା। ଖଲ୍ଲିକୋଟ ଅଞ୍ଚଳର ଗଞ୍ଜେଇ ମାଫିଆ ଅନିଲ ପାଣ୍ଡି ମଧ୍ୟ ଏହିପରି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲା। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ରାଧାକାନ୍ତ ନାୟକର ଅଡ଼ବା ଓ ବ୍ରହ୍ମପୁରରେ ଥିବା ୧ କୋଟି ୧୭ ଲକ୍ଷ ୫୭ ହଜାର ଟଙ୍କାର କଳା ସମ୍ପତ୍ତି ଜବତ କରାଯାଇ ଥିଲା।

Comments are closed.