ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ ପବିତ୍ର ରଥଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ ।

ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ । ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦି ରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ ।ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ।ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତହୋଇ ଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି । ଏହି ରଥ ଯାତ୍ରାର ନାମ କରଣର ମଧ୍ଯ କିମ୍ବଦନ୍ତୀ ଅଛି l ଯେଉଁ ସବୁ ନାମରେ ନାମିତ ଏହି ରଥଯାତ୍ରା ସେହି ସବୁ ନାମର ଅନେକ ଗୂଢ ରହସ୍ୟ ରହିଛି। ଯେପରି:-

୧.ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା ।
୨.ଆଡ଼ପମଣ୍ଡପ_ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ।
୩. ଜନ୍ମବେଦୀବାଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା ।
୪. ଦଶାବତାର_ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା ।
୫. ପତିତପାବନ_ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା ।
୬. ନବଦିନାତ୍ମକ_ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା ।
୭. ଗୁଣ୍ଡିଚା_ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା ।

ପୌରାଣିକ ତଥ୍ୟ ଓ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ଵାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ଵୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ଵାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ଵାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।

ବିଭିନ୍ନ ପୁରାଣରେ ମହାପ୍ରଭୁମାନଙ୍କର ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ଵର ଏକ ସହସ୍ର ଅଶ୍ଵମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ । ତେଣୁ ପୁରାଣ ମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ l

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି – ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ଵଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ଵନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ଵଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ଵଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ । ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ଵଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ଵିତୀୟ ଅଙ୍ଗ- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା l

ନୀଳାଦ୍ରି ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିର କୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ଵର୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ଵର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ l ଅର୍ଥାତ ସ୍ଵର୍ଣପୁରୀରେ ଦେବଦୂତ ଦ୍ଵୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ଵାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଇଥିଲେ । ରଥର ଚକ ଗୁଡାକ ଲୁହାରେ ତିଆରି କରିଥିଲେ । ରଥଚକର ଅର ଗୁଡିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାର ମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ଵ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନା ରେ ଘୋଡା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ଵଳ ଆକୃତି ର ଦୁଇଟି ନିଧି ସେହି ରଥ ରେ ମଣ୍ଡିତ କଲେ । ତିନି ଲୋକ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରଯାଇଥିଲା । ସେଥିମଧ୍ୟରୁ -ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି “ଗରୁଡ ଧ୍ଵଜ”, ଜଗତଜନନୀ ମା’ ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ “ପଦ୍ମ ଧ୍ଵଜ”, ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ “ତାଳ ଧ୍ଵଜ” l

ସମୟର କରାଳ ଗତିରେ ଅନେକ କିଛି ପରିବର୍ତ୍ତନ ହୋଇ ଆଜି ଆମେ ସେହି ପ୍ରାଚୀନ୍ନ ସ୍ମୃତି ବହନ କରୁଥିବା ରଥଯାତ୍ରା ପାଳନ କରୁଛୁ। ଯାହା ଆମ ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ବହନ କରୁଛି। ଆଗକୁ ଏହିଧାରା ଜାରି ରହୁ ଆମର ପ୍ରୟାସ।

Comments are closed.