ପୁରୀ ବଡ଼ଦାଣ୍ଡର ସାତଟି ବିଭାଗ ରହିଛି। ସେଥି ମଧ୍ୟରୁ ପ୍ରଥମ ଚାରିଟି ହେଉଛି- ଚାରିଖଳା। ତାହା ହେଉଛି- ୧. ବିଜେଖଳା, ୨. ମହାଖଳା, ୩. ଲୀଳାଖଳା ଓ ୪. ସେବାଖଳା।
୧. ବିଜେଖଳା: ଶ୍ରୀମନ୍ଦିର ସିଂହଦ୍ୱାରର ଉରରେ ଥିଲା ବଡ଼ଛତା ମଠର ବରଗଛ ଓ ସାଧୁଗାଦି, ଉତ୍ତରପାର୍ଶ୍ୱ ମଠ ଓ ମା’ ଚର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ। ପୂର୍ବରେ ଦୋଳମଣ୍ଡପ ସାହିର ଷୋଳପୁଅ ମା’ ମଧ୍ୟ ଏହି ଭୂମିର ଅନ୍ତର୍ଭୁକ୍ତ ଥିଲା । ଏଠାରେ ରଥଯାତ୍ରାର ପହଣ୍ଡି ସହିତ ଇନ୍ଦ୍ରଧ୍ୱଜ ପୂଜା ଓ ଚନ୍ଦନଯାତ୍ରାର ମେଳଣ ହେଉଥିଲା। (ପରବର୍ତ୍ତୀ କାଳରେ ପୂର୍ବର ଦୋଳମଣ୍ଡପ ସାହି ପରିବର୍ତ୍ତେ ଏହି ସ୍ଥାନରେ ହୋଇଛି ଦୋଳବେଦୀ)
୨. ମହାଖଳା: ମା’ ଚର୍ଚ୍ଚିକାଙ୍କ ଠାରୁ ମର୍ଚ୍ଚିକା ଠାକୁରାଣୀଙ୍କ ବିଜେସ୍ଥଳୀ ମରିଚିକୋଟ ପର୍ଯ୍ୟନ୍ତ ଥିଲା ମହାଖଳାର ଭୂମି। ସେଇଠି ହେଉଥିଲା ତ୍ରିରଥ ନିର୍ମାଣର କମାରଶାଳ, କରତିଶାଳ ଓ ଜଉଶାଳ। (ଆଜି ବି ସେଠାରେ ରଥନିର୍ମାଣ ହେବା ସହ ତାହା ‘ମହାଖଳା’ ରୂପେ ପରିଚିତ ହେଉଛି)। ମାଲ ମହନ୍ତ ଆଖେଡ଼ା ଓ ଅକ୍ରୁରଭେଟ ନୀତିପାଇଁ ମଧ୍ୟ ତାହା ଉଦ୍ଦିଷ୍ଟ ଥିଲା। ଜଗନ୍ନାଥବଲ୍ଲଭ ଥିଲା ତାହାର ସୀମା ଏବଂ ତାହା ‘ମଧୁପୁରୀ’ ରୂପେ ବିବେଚିତ ହେଉଥିଲା। ବଡ଼ ଆଖଡ଼ା ମଠ ଥିଲେ ତାହାର ତ୍ଵାବଧାରକ।
୩. ଲୀଳାଖଳା: ମରିଚିକୋଟ ଠାରୁ ବଡ଼ଦ୍ୱାର (ଆଜିର ମାର୍କେଟଛକ) ଓ ନରେନ୍ଦ୍ର କୋଣ ପର୍ଯ୍ୟନ୍ତ ଥିଲା ଲୀଳାଖଳାର ବିସ୍ତୃତି। ତାହା ମଧ୍ୟରେ ଥିଲା ନାରାୟଣ ଛତା। ବଡ଼ଦ୍ୱାରଠାରେ ଥିବା ଜଗନ୍ନାଥବଲ୍ଲଭ ମଠ ଥିଲା ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ। ସେଠାରେ ଥିଲା ଚୂଡ଼ଙ୍ଗ ମହାବୀର ଓ ସାନ ମହାବୀରଙ୍କ ବିଜେସ୍ଥଳୀ। ତାହାର ଅପରପାର୍ଶ୍ୱରେ ବଳଭଦ୍ରବଲ୍ଲଭ। ବଡ଼ ଦ୍ୱାରରେ ଗୋଟିଏ ବଡ଼ ତୋରଣ ଥିଲା ଏବଂ ତାହା ରାତିରେ ସର୍ବସାଧାରଣଙ୍କପାଇଁ ବନ୍ଦ ରହୁଥିଲା। ଦୃଶ୍ୟତଃ ପୁରୀ ନଗର ସେହି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ନିର୍ମୋହି ଆଖଡ଼ା ନିର୍ବାଣୀ ତାହାର ତତ୍ତ୍ୱାବଧାରକ ଥିଲେ।
୪. ସେବାଖଳା: ବଡ଼ଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଥିଲା ସେବାଖଳା। (ଏହା ବଡ଼ଗଣ୍ଡି ବା ବଡ଼ଗଣ୍ଡ ନାମରେ ମଧ୍ୟ କଥିତ)। ତାହାର ଅନ୍ତର୍ଭୁକ୍ତ ଥିଲା ମାଜଣା ଜାଗା, ଯେଉଁଠାରେ ଗୁରୁବାର ମାଜଣା ନୀତି ହେଉଥିଲା। ସେଇଠି ମଧ୍ୟ ଥିଲା ଶ୍ରୀମନ୍ଦିରର ବାହାର ରୋଷଶାଳା। ରଥ ଯାଇ ସେଠାରେ ରହିବାବେଳେ ସେହିଠାରେ ଠାକୁରଙ୍କର କୋଠଭୋଗ ପ୍ରସ୍ତୁତ ହେଉଥିଲା। ସେହି ବଳଗଣ୍ଡିଠାରେ ତନ୍ତ ବସି ଫେଟା ବସ୍ତ୍ର ବୁଣା ହେଉଥିଲା ଏବଂ ତାହା ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯୋଗାଣ ହେଉଥିଲା। ବଳଗଣ୍ଡି ଛତା ଥିଲା ଏହାର ଦକ୍ଷିଣ ସୀମା।
ମାଉସୀମା’ (ଅର୍ଦ୍ଧଶୋଷିଣୀ ବା ଅର୍ଦ୍ଧାଶନି ଦେବୀ) ସେଠାର ପୀଠ ଦେବୀ। ସେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ରୂପେ ବିଦିତା। ବାହୁଡ଼ାଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ବେଳେ ସେହିଠାରେ ଶ୍ରୀଜଗନ୍ନାଥ ପୋଡ଼ପିଠା ଖାଇଥାଆନ୍ତି। ଖାକି ଆଖଡ଼ା ମଠ ଥିଲେ ଏହି ସେବାଖଳା କ୍ଷେତ୍ରର ତତ୍ତ୍ୱାବଧାରକ।
ସାତଭାଗରେ ବିଭକ୍ତ ବଡ଼ଦାଣ୍ଡର ଏହି ଚାରିଖଳା ବ୍ୟତୀତ, ଅନ୍ୟ ତିନିଭାଗ ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ଏହା ସଂକ୍ଷେପରେ ଏହିପରି-
୫. ପାଟଣା: ବଳଗଣ୍ଡିଠାରେ ମାଳିନୀ ନଦୀ ରଥର ପଥକୁ ବିଭକ୍ତ କରି ପ୍ରବାହିତ ହେଉଥିଲା ଏବଂ ସେହିଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପାଟଣା ଓ ମାଳିସାହି। (ପାଟଣା- ‘‘ଇନ୍ଦ୍ରଦ୍ୟୁମ୍ନ ପାଟଣା’ର ସଂକ୍ଷିପ୍ତ ନାମ। ସେଠାରେ ଶ୍ରୀଗୁଣ୍ଡିଚାଯାତ୍ରାର ଆଉ ତିନିଟି ରଥ ନିର୍ମାଣ ହେଉଥିଲା।) ପ୍ରଥମ ତିନି ରଥରେ ଯାଇ ଚାପରେ ନଈପାରି ହେବା ପରେ ଠାକୁରମାନେ ସେହି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଉଥିଲେ। ସନ୍ନିକଟର୍ବୀ ଅଞ୍ଚଳ ଥିଲା ମାଳିସାହି। ସେଠାରୁ ପ୍ରତିଦିନ ଶ୍ରୀମନ୍ଦିରକୁ ଫୁଲମାଳ ଯାଉଥିଲା। ସେହି ଅଞ୍ଚଳର ଚାଉଳିଆ ମଠରୁ ଶ୍ରୀଜଗନ୍ନାଥଙ୍କ ଭୋଗ (ବଲ୍ଲଭ ଭୋଗ) ପାଇଁ ଫଳ (ପିଜୁଳି ଆଦି। ପିଜୁଳିର ଅନ୍ୟନାମ ଚାଉଳିଆ) ପଠା ହେଉଥିଲା। ଏହି ବଡ଼ଶଙ୍ଖ କ୍ଷେତ୍ରର ତତ୍ତ୍ୱାବଧାରକ ଥିଲେ ବାଲସ୍ୱାମୀ ମଠ।
୬. କାନ୍ତାର: ବଡ଼ଶଙ୍ଖର ପରବର୍ତ୍ତୀ ଅଞ୍ଚଳ ଥିଲା ନିର୍ଜନ। ତେଣୁ ତାହା ‘କାନ୍ତାର’ ନାମରେ ପରିଚିତ ହେଉଥିଲା। ସେହି ଅଞ୍ଚଳରେ ଏକଦା ତଣ୍ଟିକଟା ଖଣ୍ଟମାନଙ୍କର ରାଜୁତି ଥିଲା। ବଡ଼ଶଙ୍ଖର ଆରପଟ ‘ତଣ୍ଟିକଟା ଗୋହିରୀ’ ରୂପେ ମଧ୍ୟ କୁଖ୍ୟାତ ହୋଇଥିଲା। କିନ୍ତୁ ସେହି ‘କାନ୍ତାର’ ଏବେ ନଗରରେ ପରିଣତ ହୋଇଯାଇଛି।
୭. ଶରଧା ବାଲି: ବଡ଼ଦାଣ୍ଡର ଅନ୍ତିମ ଭାଗ ଥିଲା ଶରଧାବାଲି। ସେଇଠାକୁ ଯାଉଥିଲା ତିନି ରଥ। ଏହି ସ୍ଥାନରେ ରହିଛି ପ୍ରସିଦ୍ଧ ଗୁଣ୍ଡିଚା ମନ୍ଦିର ବା ମହାପ୍ରଭୁଙ୍କ ଜନ୍ମବେଦୀ। ନବାଦୀନାତ୍ମକ ଯାତ୍ରାର ଏହା ପ୍ରଧାନ କ୍ଷେତ୍ର।
ଏହି ସପ୍ତକ୍ଷେତ୍ର ସମୁଦାୟ କୁ ପୁରୀ ବଡ଼ଦାଣ୍ଡ କୁହାଯାଏ। ଏହାର ପ୍ରତ୍ୟେକଟି ରେଣୁ ଅତ୍ୟନ୍ତ ପବିତ୍ର ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଅନେକ ଅଵତାରୀ ପୁରୁଷ, ସନ୍ଥ ମାହାତ୍ମା ଙ୍କ ପଦରଜ ରେ ଅନୁରଞ୍ଜିତ ଏହାର ପବିତ୍ର ଧୂଳି।
Comments are closed.