ରଥଯାତ୍ରାଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ନିଜ ପତ୍ନୀଙ୍କୁ ଉପେକ୍ଷା କରି ନିଜର ଭାଇ ଓ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିର ଯିବାପରେ, ମହାଲକ୍ଷ୍ମୀ ରୋଷ ହୋଇ ଏହାର କାରଣ ପଚାରିବା ନିମନ୍ତେ ଏକ ସୁସଜ୍ଜିତ ପାଲିଙ୍କିରେ ଆଡ଼ପ ମଣ୍ଡପକୁ ଯାତ୍ରା କରିଥାନ୍ତି । ତେବେ ମହାଲକ୍ଷ୍ମୀଙ୍କ କ୍ରୋଧ ଜର୍ଜରିତ ରୂପ ଦେଖି ମହାପ୍ରଭୁଙ୍କ ସେବକମାନେ ଗୁଣ୍ଡିଚା ମନ୍ଦିରର ମୁଖ୍ୟଦ୍ୱାର ବନ୍ଦ କରିଦିଅନ୍ତି । ନାକଚଣା ବାଟ ଦେଇ ଜଗମୋହନକୁ ଯାଇ ବିମଳାଙ୍କ ପ୍ରଦତ୍ତ କର୍ପୁରରେ ଲକ୍ଷ୍ମୀ ଆଳତି କରନ୍ତି । ପତ୍ନୀଙ୍କ ରାଗ ଶାନ୍ତ କରିବା ପାଇଁ ମହାପ୍ରଭୁ ଦୁଇଦିନ ମଧ୍ୟରେ ଫେରିଯିବାର ପ୍ରତିଶ୍ରୁତି ଦେଇ ରଥ ଦକ୍ଷିଣ ମୋଡ଼ କରିବା ନିମନ୍ତେ ବରାଦ କରିଥାନ୍ତି ।
ଲୋକାଚାର ଦୃଷ୍ଟିରୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ସିଂହାସନ ପାଖକୁ ନ ନେବାରୁ କ୍ରୋଧ ଜର୍ଜରିତା ପତ୍ନୀ ରଥର କିଛି ଅଂଶ ଭାଙ୍ଗି ଦେଇ ହେରାଗୌରୀ ସାହି ବାଟେ ଫେରି ଆସନ୍ତି । ଜଗନ୍ନାଥ ନିଜ କଥା ରଖିବାରେ ଅସଫଳ ହେବାରୁ ଫେରିବା ଦିନ ବଳଭଦ୍ର ଓ ସୁଭଦ୍ରା ନିଳାଦ୍ରୀ ମଣ୍ଡପକୁ ବିଜେ କଲେ ମଧ୍ୟ ପ୍ରଭୁଙ୍କ ପାଇଁ ଦ୍ୱାର ବନ୍ଦ ରହେ । ଏହା ଲକ୍ଷ୍ମୀ ନାରାୟଣ କଳି ଭାବେ ପରିଚିତ ।
ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ହେରାପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ପାଳିତ ହୋଇଆସୁଅଛି । ଏହାପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା । ମାଦଳା ପାଞ୍ଜିର ବର୍ଣ୍ଣନାନୁସାରେ, ସେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀ ଜଗନ୍ନାଥଙ୍କୁ ଦୀପ ତଥା ଅନ୍ୟାନ୍ୟ ପବିତ୍ର ଦ୍ରବ୍ୟରେ ପୂଜା କରାଯାଉଥିଲା । ପରବର୍ତ୍ତୀ ସମୟରେ ରାଜା କପିଳେନ୍ଦ୍ର ଦେବଙ୍କଦ୍ୱାରା ମହାଲକ୍ଷ୍ମୀଙ୍କ ଏକ ସୁବର୍ଣ୍ଣ ପ୍ରତିମାନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା ।ଏହି ପବିତ୍ର ହେରାପଞ୍ଚମୀ ପାଳନ ମାଧ୍ୟମରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବିଳ ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଏହା ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳଣୀର ବାର୍ତ୍ତା ବହନ କରୁଛି ।
Comments are closed.