ନକଲି ନୋଟ୍‌ କାରବାର ପର୍ଦ୍ଦାଫାସ, ଏସଟିଏଫ୍ ପଞ୍ଝାରେ ୨ ଅପରାଧୀ, ୧୪ ଲକ୍ଷରୁ ଅଧିକ ଜାଲ୍‌ ଟଙ୍କା ଜବତ

ବରଗଡ଼: ନକଲି‌ ନୋଟ୍‌ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର(୪୫)।

ସୂଚନା ମତେ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳ‌ରେ ଏକ ନକଲି ନୋଟ୍‌ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବରଗଡ଼ ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଭାବେ ଯୋଜନା କରିଥିଲା। ଏସ୍‌ଟିଏଫ ଚଢ଼ଉ ସମୟରେ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି ବେଆଇନ୍‌ କାମରେ ନିୟୋଜିତ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ପରୱାନୀ ଥାନା ଅଞ୍ଚଳର ରାମ ଲଖନଙ୍କ ପୁଅ ପଟ୍ଟୁ ଯାଦବ (ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସିକିରିରେ ରହୁଛନ୍ତି) ଓ ବରପାଲି ଥାନା ଅନ୍ତର୍ଗତ ମହତ୍ତମପଡ଼ାର ପଣ୍ଡରୁ ମେହେରଙ୍କ ପୁଅ ବଳରାମ ମେହେରଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ବ୍ୟାପକ ପରିମାଣରେ ଜାଲ୍‌ ନୋଟ୍‌ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ବରଗଡ଼ ପୁଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

Comments are closed.