ଆଜି ଓଡ଼ିଶା ଆସୁଛନ୍ତି ମାଟିର ଝିଅ ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋଡ଼ିବେ ସହଯୋଗ

ଭୁବନେଶ୍ବର -ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ସମସ୍ତ ବିଧାୟକ ଓ ସାଂସଦଙ୍କ ପୂର୍ଣ୍ଣ ସମର୍ଥନ ଲୋଡିବାକୁ ଆଜି ଓଡିଶା ଆସୁଛନ୍ତି । ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ଶାସକ ବିଜେଡି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ସକାଳ ସାଢେ ୧୦ଟାରେ ହେବାକୁ ଥିବା ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ବାଗତ କରିବ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଜିତାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମାଟିର ଝିଅଙ୍କୁ ଜିତାଇବାକୁ ଆଲୋଚନା କରିଥଲେ ।

ଏହାପରେ କଂଗ୍ରେସର ବାକି ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଥିଲେ ବିଜେଡିର ବରିଷ୍ଠ ନେତା । ସେହିପରି ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ିଛି ବିଜେଡି । ରାୟଗଡ଼ା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ହୋଇ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

Comments are closed.