ସିଞ୍ଜୋ ଆବେଙ୍କ ଭଳି ହତ୍ୟାର ଶିକାର ହୋଇଥିଲେ ଏହି ସବୁ ଲୋକପ୍ରିୟ ବିଶ୍ବନେତା

ନିର୍ବାଚନ ପ୍ରଚାର ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା ଘଟଣା ବିଶ୍ୱକୁ ସ୍ତବ୍ଧ କରିଛି । ଏହି ଘଟଣା ପରେ ପୁଣି ଥରେ ବିଶ୍ୱ ନେତାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ବିଶ୍ୱସ୍ତରୀୟ ନେତାଙ୍କୁ ମରଣାନ୍ତକ ଆକ୍ରମଣ ଅବା ହତ୍ୟା କରାଯିବା ଏହା ପ୍ରଥମ ଘଟଣା ନୁହେଁ।

ଇତିହାସର ପୃଷ୍ଠା ଓଲଟାଇଲେ ଏପରି ଅନେକ ଛାତିଥରା ଦୃଷ୍ଟାନ୍ତ ମିଳିବ । ଅଧିକାଂଶ ଲୋକପ୍ରିୟ ରାଜନେତାଙ୍କୁ ନିର୍ବାଚନ ରାଲି ବା ଜନ ସଭାରେ ଆକ୍ରମଣ ହୋଇଛି । ଆସନ୍ତୁ ନଜର ପକାଇବା ଏପରି ୧୦ ବିଶ୍ୱସ୍ତରୀୟ ତଥା ଲୋକପ୍ରିୟ ନେତା ଯିଏ ହତ୍ୟାର ଶିକାର ହୋଇଥିଲେ ।

ଜନ୍ ଏଫ୍ କେନେଡି

ଜନ୍ ଏଫ୍ କେନେଡି: ଆମେରିକାର ୩୫ ତମ ତଥା ଦ୍ୱିତୀୟ କନିଷ୍ଠ ରାଷ୍ଟ୍ରପତି ଥିଲେ କେନେଡି । ୧୯୬୧ ମସିହାରେ ମାତ୍ର ୪୩ ବର୍ଷ ବୟସରେ ସେ ରାଷ୍ଟ୍ରପତି ହୋଇଥିଲେ । କେନେଡି ଦାୟିତ୍ୱ ଗ୍ରହଣ କରିବାର ଦୁଇ ବର୍ଷ ପରେ ୧୯୬୩ ମସିହା ନଭେମ୍ବର ୨୨ରେ ତାଙ୍କୁ ଉତ୍ତର ଟେକ୍ସାସର ଡାଲାସ୍ ସହରରେ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟାର ଶିକାର ହେବା ପୂର୍ବରୁ ସେ ତାଙ୍କ ପତ୍ନୀ ଜନ୍ ବି ଜ୍ୟାକଲିନ୍ କେନେଡି, ଟେକ୍ସାସର ଗଭର୍ଣ୍ଣର ଏବଂ ତାଙ୍କ ପତ୍ନୀଙ୍କ ସହ ଏକ ଖୋଲା କାରରେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଦିନ ପ୍ରାୟ ୧୨:୩୦ ବେଳେ ତାଙ୍କ କାର୍ ଏକ ପ୍ଲାଜା ନିକଟରେ ପହଞ୍ଚିବା ପରେ ତାଙ୍କ ଉପରେ ତିନି ରାଉଣ୍ଡ ଗୁଳିମାଡ଼ ହୋଇଥିଲା । ଘଟଣାସ୍ଥଳରେ କେନେଡିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ହତ୍ୟାକାରୀ ଥିଲେ ଲି ହାର୍ଭେ ଓସଓ୍ବାଲ୍ଡ, ଯାହାଙ୍କୁ ତତ୍କାଳ ଗିରଫ କରାଯାଇଥିଲା ।

ଆବ୍ରାହାମ ଲିଙ୍କନ୍

ଆବ୍ରାହାମ ଲିଙ୍କନ୍: ୧୮୬୧ ରୁ ୧୮୬୫ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଆମେରିକାର ୧୬ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ ସବୁଠାରୁ ବଡ ସଙ୍କଟ ଗୃହଯୁଦ୍ଧରୁ ଆମେରିକାକୁ ଉଦ୍ଧାର କରିଥିଲେ ଏବଂ ଦାସତ୍ୱ ପ୍ରଥାର ଅନ୍ତ ଘଟାଇଥିଲେ । ହତ୍ୟାର ଚାରି ଦିନ ପୂର୍ବରୁ ଅର୍ଥାତ୍ ୧୧ ଏପ୍ରିଲ ୧୮୬୫ ରେ ତାଙ୍କ ଅଭିଭାଷଣରେ ସେ କହିଥିଲେ, ‘ସମୟ ଆସିଛି ଯେତେବେଳେ ଆଫ୍ରିକୀୟ-ଆମେରିକୀୟମାନଙ୍କୁ ମଧ୍ୟ ଭୋଟ୍ ଦେବାର ଅଧିକାର ଦିଆଯିବ’। ଏହାର ଅର୍ଥ ସେ ନିଗ୍ରୋ ଲୋକଙ୍କୁ ସମାନ ମାନ୍ୟତା ଦେବାକୁ ଚାହୁଁଥିଲେ, ଯାହା କେତେକଙ୍କ ପାଇଁ ଗ୍ରହଣୀୟ ନଥିଲା | ଏପ୍ରିଲ ୧୫, ୧୮୬୫ରେ ଆବ୍ରହମ ଲିଙ୍କନ୍ ୱାଶିଂଟନର ଫୋର୍ଡ ଥିଏଟରରେ ଏକ ନାଟକ ଦେଖୁଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

ମାର୍ଟିନ ଲୁଥର୍ କିଙ୍ଗ:

ମାର୍ଟିନ ଲୁଥର୍ କିଙ୍ଗ: ମାର୍ଟିନ ଲୁଥର୍ କିଙ୍ଗ ଆମେରିକାରେ କୃଷ୍ଣକାୟଙ୍କ ଅଧିକାର ପାଇଁ ଆଜୀବନ ସଂଗ୍ରାମ କରିଥିଲେ। ତାଙ୍କୁ ଆମେରିକାର ଗାନ୍ଧୀ ମଧ୍ୟ କୁହାଯାଏ। ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସମୟରେ ସେ ନିଜ ଭାଷଣରେ ବର୍ଣ୍ଣ ବୈଷମ୍ୟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ୪ ଏପ୍ରିଲ ୧୯୬୮ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଆଲଡୋ ମୋରୋ

ଆଲଡୋ ମୋରୋ: ଆଲଡୋ ମୋରୋ ୧୯୬୩ ରୁ ୧୯୬୮ ପର୍ଯ୍ୟନ୍ତ ଇଟାଲୀର ୩୮ତମ ରାଷ୍ଟ୍ରପତି ଥିଲେ । ୧୯୭୮ ମେ ୯ ରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କୁ ଏକ ବାମପନ୍ଥୀ ଗୋଷ୍ଠୀ ଅପହରଣ କରି ନେଇଥିଲେ। ଆଲଡୋ ମୋରୋଙ୍କ ମୁକ୍ତି ବଦଳରେ ସେମାନେ ନିଜ ବନ୍ଦୀ ସହଯୋଗୀଙ୍କୁ ଛାଡ଼ିବାକୁ ଇଟାଲୀ ସରକାର ସେମାନଙ୍କୁ ମୁକ୍ତ କରିବାକୁ ମନା କରିଦେଇଥିଲେ । ତେବେ ଇଟାଲୀ ସରକାର ସେମାନଙ୍କ ଦାବି ଅଗ୍ରାହ୍ୟ କରିଦେଇଥିଲେ । ମୋରୋଙ୍କୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ବନ୍ଧକ ରଖାଯାଇଥିଲା। ପରେ ତାଙ୍କୁ ୧୦ ରୁ ଅଧିକ ଥର ଗୁଳି କରି ହତ୍ୟା କରାଯାଇଥିଲା।

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ: ଅହିଂସାର ପ୍ରତୀକ ମୋହନଦାସ କରମଚାନ୍ଦ ଗାନ୍ଧୀ ଓରଫ୍ ମହାତ୍ମା ଗାନ୍ଧୀଙ୍କୁ ୩୦ ଜାନୁଆରୀ ୧୯୪୮ରେ ନୂଆଦିଲ୍ଲୀର ବିର୍ଲା ଭବନରେ ଗୁଳିକରି ହତ୍ୟା କରାଯାଇଥିଲା। ସେ ପ୍ରତିଦିନ ଏଠାରେ ପ୍ରାର୍ଥନା କରୁଥିଲେ। ସେହି ଦିନ ସନ୍ଧ୍ୟାରେ ସେ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ନାଥୁରାମ ଗଡସେ ତାଙ୍କ ପାଦ ଛୁଇଁବା ପରେ ତାଙ୍କୁ ତିନି ରାଉଣ୍ଡ ଗୁଳି କରିଥିଲେ। ଏହି ଘଟଣାରେ ସେଠାରେ ଉପସ୍ଥିତ ବହୁ ସଂଖ୍ୟକ ଲୋକ ସ୍ତବ୍ଧ ହୋଇଯାଇଥିଲେ ।

ଇନ୍ଦିରା ଗାନ୍ଧୀ

ଇନ୍ଦିରା ଗାନ୍ଧୀ: ଭାରତର ଲୋକପ୍ରିୟ ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ହତ୍ୟାର ଶିକାର ହୋଇଥିଲେ । ୩୧ ଅକ୍ଟୋବର ୧୯୮୪ରେ ନୂଆଦିଲ୍ଲୀର ସଫଦରଜଙ୍ଗ ରୋଡରେ ଥିବା ତାଙ୍କ ସରକାରୀ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା। ସେ ସକାଳ ପ୍ରାୟ ୮:୩୦ ସମୟରେ ତାଙ୍କ ବାସଭବନର ଲନକୁ ଆସିଥିଲେ। ସେତେବେଳେ ତାଙ୍କର ଶିଖ୍ ଅଙ୍ଗରକ୍ଷୀ ସତଓ୍ବନ୍ତ ସିଂ ଏବଂ ବିୟନ୍ତ ସିଂ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ସେତେବେଳେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବ୍ଲୁ ଷ୍ଟାର ଏବଂ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଭିତରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଶିଖମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା | ଏହି କାରଣରୁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଶିଖ ଅଙ୍ଗରକ୍ଷୀମାନେ ହତ୍ୟା କରିଥିଲେ।

ରାଜୀବ ଗାନ୍ଧୀ:

ରାଜୀବ ଗାନ୍ଧୀ: ଇନ୍ଦିରା ଗାନ୍ଧୀଙ୍କ ବଡ଼ପୁଅ ରାଜୀବ ଗାନ୍ଧୀ ଏବଂ ଫିରୋଜ ଗାନ୍ଧୀ ପେଶାରେ ପାଇଲଟ୍ ଥିଲେ। ୧୯୮୧ ମସିହାରେ ସାନଭାଇ ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ସେ ମାଆ ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ କରିବାକୁ ରାଜନୀତିରେ ପ୍ରବେଶ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଭାରତରେ ଦୂରସଂଚାର ବିପ୍ଳବର ଜନକ ଭାବରେ ମଧ୍ୟ ବିବେଚିତ ହେଉଥିଲେ । ଏହାଛଡ଼ା ଭୋଟରଙ୍କ ବୟସ ୨୧ ରୁ ୧୮ ବର୍ଷକୁ ହ୍ରାସ କରିବା ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ମଧ୍ୟ ରାଜୀବଙ୍କ ଅବଦାନ | ତେବେ ୨୧ ମଇ ୧୯୯୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ରାଲିରେ ତାମିଲ ଏଲାମ୍ (ଏଲଟିଟିଇ) ର ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା ।

ବେନଜିର ଭୁଟ୍ଟୋ

ବେନଜିର ଭୁଟ୍ଟୋ : ୨୭ ଡିସେମ୍ବର ୨୦୦୭ରେ ପାକିସ୍ତାନର ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା ବେନଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ସେ ରାୱଲପିଣ୍ଡିରେ ଏକ ରାଜନୈତିକ ରାଲି କରୁଥିଲେ। ଏହି ସମୟରେ ତାଙ୍କୁ ଆତ୍ମଘାତୀ ବିସ୍ଫୋରଣ ଓ ଗୁଳି ଚଳାଇ ହତ୍ୟା କରାଯାଇଥିଲା। ବେନଜିର ଯେକୌଣସି ମୁସଲମାନ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ।

ୟିଝାକ୍ ରାବିନ

ୟିଝାକ୍ ରାବିନ: ୟିଝାକ୍ ରାବିନ ଜଣେ ଇସ୍ରାଏଲ୍ ରାଜନେତା ଥିଲେ । ସେ ପ୍ରଥମେ ୧୯୭୪ ରୁ ୧୯୭୭ ଏବଂ ପରେ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ଇସ୍ରାଏଲର ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ସେ ଶାନ୍ତି ଏବଂ ସ୍ବାଧୀନ ପାଲେଷ୍ଟାଇନର ଜଣେ ସମର୍ଥକ ଥିଲେ | ତେବେ ଏକ ଶାନ୍ତି ସଭାରେ ଯୋଗଦେଇ ଫେରୁଥିବା ବେଳେ ୟିଗାଲ ଆମୀର ନାମକ ଜଣେ ଦକ୍ଷିଣପନ୍ଥୀ ଇହୁଦୀ ଛାତ୍ର ରାବିନଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଶେଖ ମୁଜିବୁର ରହମାନ

ଶେଖ ମୁଜିବୁର ରହମାନ : ସ୍ବାଧୀନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ଶେଖ ମୁଜିବୁର ରହମାନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୫ ଅଗଷ୍ଟ ୧୯୭୫ ରେ ରାଷ୍ଟ୍ରପତି ଭବନରେ ହତ୍ୟା କରାଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲା ବାଂଲାଦେଶ ସେନାବାହିନୀ (ବାଂଲାଦେଶ ସେନା) ର ଯୁବ ଗୋଷ୍ଠୀ । ଶେଖ ମୁଜିବୁର ରହମାନ ବାଂଲାଦେଶର ଜନକ କୁହାଯାଏ । ତାଙ୍କୁ ବଙ୍ଗବନ୍ଧୁ ଆଖ୍ୟା ଦିଆଯାଇଥିଲା। ମୁଜିବୁର ରହମାନଙ୍କ ହତ୍ୟା କ୍ଷମତା ପରିବର୍ତ୍ତନ ସହ ସାମରିକ ଶାସନ ଲାଗୁ କରିବା ଉଦ୍ଦେଶ୍ୟରେ କରାଯାଇଥିଲା।

Comments are closed.