ନିର୍ବାଚନ ଡ୍ୟୁଟିରେ ପ୍ରାଣ ହରାଇଥିବା ୨ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଡ୍ୟୁଟି ସମୟରେ ଦୁଇଜଣ କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଥିଲା। ଉଭୟଙ୍କ ପରିବାର ଲୋକଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଏସପି ରାହୁଲ ଜୈନ ଦୁଇ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଗତ ବ୍ରଜରାଜନଗର ଉପ ନିର୍ବାଚନ ସମୟରେ ତାଲମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ଖଡ଼ିଆ ଦ୍ବିତୀୟ ପୋଲିଂ ଅଧିକାରୀ ଭାବରେ ବୁଥ୍ ନମ୍ବର ୧୬୯ ପଲସାଢ଼ିପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ନିର୍ବାଚନ କାର୍ଯ୍ୟରେ ମୁତୟନ ଥିଲେ। ଏହି ସମୟରେ କୌଣସି କାରଣରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ସେହିପରି ଝାରସୁଗୁଡ଼ା ସଦର ଥାନାର ହୋମଗାର୍ଡ ତ୍ରିଲୋଚନ ମହାନ୍ତି ବୁଥ୍ ନମ୍ବର ୨୩୮ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ମୃତ୍ୟୁବରଣ କରିଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମଞ୍ଜୁରୀକ୍ରମେ ଏହି ଦୁଇ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ମୂଳକ ସହାୟତା ସ୍ବରୂପ ୧୫ ଲକ୍ଷ ଟଙ୍କା ଲେଖାଏଁ ଉଭୟଙ୍କ ପତ୍ନୀଙ୍କୁ ଚେକ୍ ଆକାରରେ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନ, ରିଜର୍ଭ ଇନ୍ସପେକ୍ଟର୍ ନୀଳମାଧବ ସ୍ବାଇଁ ଓ ଉଡାନ ବାସ୍କେ ପ୍ରମୁଖ ଉପସ୍ଥିତ ଥିଲେ। ହରିହର ମାଝୀ ଓ ସାହେବଲାଲ ପଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.