ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷା : ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର – ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ କ୍ଷେତ୍ର ଏବେ ସମୁଦ୍ର ମଧ୍ୟରେ ସକ୍ରିୟ ଥିବାରୁ ସୋମବାର ବର୍ଷା ପରିମାଣ ବଢ଼ିଛି । ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷା ସ୍ଥିତି ଆହୁରି ସପ୍ତାହେ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ଦୁଇଦିନ ତଳେ ଉତ୍ତର ଆନ୍ଧ୍ର ଓ ଓଡ଼ିଶାର ସ୍ଥଳଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ ଓ ବଲାଙ୍ଗୀର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାରି କରାଯାଇଛି।

ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୨୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼଼ିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଗୋଟିଏ ଲଘୁଚାପ କେନ୍ଦ୍ରୀଭୂତ ରହିଥିବା ବେଳେ ଆସନ୍ତା ୧୪ ତାରିଖ ସୁଦ୍ଧା ଉତ୍ତରବଙ୍ଗୋପସାଗର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜୁଲାଇ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ‌। ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.