ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କର ଅମାପ ଆୟ ବହିର୍ଭୂତ ସଂପତ୍ତି ଠାବ

ଭୁବନେଶ୍ୱର- ଭିଜିଲାନ୍ସ ଚଢ଼ାଉ ବେଳେ ପୁରୀ ଜିଲ୍ଲା ନିମାପଡ଼ା ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅମାପ ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇ ମୋଟ ୩ କୋଟି ୫୪ ଲକ୍ଷ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ଏଥିମଧ୍ୟରେ ରହିଛି ୨୮ ପ୍ଲଟ୍‌ । ଆଜି ଭିଜିଲାନ୍ସ ପକ୍ଷରୁ ଖୋର୍ଦ୍ଧା, ପୁରୀ ଓ ଢେଙ୍କନାଳ ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଦେହୁରୀଙ୍କ ୨୮ଟି ପ୍ଲଟ୍ ଥିବା ଜଣାପଡ଼ିଥିଲା। ଏହି ୨୮ଟି ପ୍ଲଟ୍ ମଧ୍ୟରୁ ୭ଟି ଭୁବନେଶ୍ୱରରେ ରହିଛି। ବାକି ୨୧ଟି ପ୍ଳଟ୍ ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ରହିଛି। ଏହି ସବୁ ପ୍ଲଟ୍‌ ଗୁଡ଼ିକର ଆର୍‌ଏସ୍‌ଡି ମୂଲ୍ୟ ୧.୪୫ କୋଟି ଟଙ୍କା। ତେବେ ଏହାର ପ୍ରକୃତ ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

ସଦୁଷ୍ମନ୍ତ ଦେହୁରୀଙ୍କର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ତିନି ମହଲା କୋଠା ରହିଛି। ଏହାର ମୂଲ୍ୟ ପାଖାପାଖି ୯୨ ଲକ୍ଷ ଟଙ୍କା ହେବ। ଢେଙ୍କାନାଳ ସହରରେ ତାଙ୍କର ୨ଟି ଏକ ମହଲା ବିଶିଷ୍ଟ କୋଠା ରହିଛି। ଏହି ଘର ଗୁଡ଼ିକର ମୂଲ୍ୟ ୨୦.୭୭ ଲକ୍ଷ ଟଙ୍କାରୁ ଅଧିକ। ଢେଙ୍କାନାଳର ମାତଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡେଇରେ ତାଙ୍କର ଏକ ମହଲା ବିଶିଷ୍ଟ ଗୋଟିଏ ଘର ଅଛି, ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଭୁବନେଶ୍ୱରର କଳାରାହାଙ୍ଗ ଓ ଆଇଗିଣିଆରେ ତାଙ୍କର ଦୁଇଟି ଆଉଟ୍‌ହାଉସ୍ ରହିଛି। ଏଗୁଡ଼ିକର ମୂଲ୍ୟ ୧୨.୩୪ ଲକ୍ଷ ଟଙ୍କା ହେବ। ତାଙ୍କର ୪୭.୬୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଜମା ରହିଛି। ଏହାଛଡା ଦେହୁରୀଙ୍କ ଠାରୁ ନଗଦ ୧ ଲକ୍ଷ ୬୨ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଯାନ, ଦୁଇଟି ଦୁଇ ଚକିଆ ଯାନ ରହିଛି।

Comments are closed.