ବିବାଦୀୟ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ସସପେଣ୍ଡ

ସୋନପୁର – ବିବାଦୀୟ ଇନ୍‌ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ ହୋଇଛନ୍ତି । ସୁନାଙ୍କ ନିଲମ୍ବନ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ନିକଟରେ କାର୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦରେ ଥିବା ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ କରିଛି ତରଭା ପୁଲିସ। ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ଏହାସହ ସ୍ନିଗ୍ଧାରାଣୀ ସୁନାଙ୍କୁ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି ।

ଅନ୍ୟପକ୍ଷରେ ସ୍ନିଗ୍ଧାରାଣୀଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି । ଅଜୟଙ୍କୁ ତରଭା ଜେଏମ୍‌ଏଫ୍‌ସିରୁ ଜାମିନ ମିଳିଥିବା ତାଙ୍କ ଓକିଲ ଆଦିକନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରୁଥିଲେ। ସୋନପୁର-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ଏକ ବୋଝେଇ ଅଟୋ ଓ ବାଇକ୍‌କୁ ସେମାନଙ୍କ କାର୍ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍‌ ଡ୍ରାଇଭର ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପରେ ସେମାନେ ଧରାପଡ଼ିଥିଲେ।

Comments are closed.