ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି। ପୁରାଣ ଚରିତ୍ର ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁ କରିଥିଲେ। ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପାଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।
ହିନ୍ଦୁ ଧର୍ମ ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରାରେ ଗୁରୁ କରିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି । ଆଧୁନିକ ଭାରତରେ ଗୁରୁ ଶବ୍ଦକୁ ମୁଖ୍ୟତଃ ଶିକ୍ଷକ ହିସାବରେ ବ୍ୟବହାର କରାଯାଉଛି । ଗୁରୁ ଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର) ସେ ହେଉଛନ୍ତି ଗୁରୁ।
ମାତା ସତ୍ୟବତୀ ଏବଂ ଋଷୀ ପରାଶରଙ୍କ ପୁତ୍ର ହେଉଛନ୍ତି ଭଗବାନ ବେଦବ୍ୟାସ। ହେଲେ ପରବର୍ତ୍ତି ସମୟରେ ମାତା ସତ୍ୟବତୀ କୁରୁକୁଳ ନରେଶ ସାନ୍ତନୁଙ୍କୁ ବିବାହ କରି କୁରୁବଂଶର ମାତା ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ। ଆସନ୍ତୁ ଜାଣିବା ଦୈପାୟନ ବ୍ୟାସଙ୍କ ଜନ୍ମକଥା।
ଅଦ୍ରିକା ନାମକ ଜଣେ ଅପସରା ଅଭିଷାପ ପାଇଁ ମାଛ ଜନ୍ମ ପାଇଥିଲେ। ଯାହାଙ୍କର କନ୍ୟା ଥିଲେ ଦେବୀ ସତ୍ୟବତୀ। ଅପସରାଙ୍କ କନ୍ୟା ହୋଇଥିବାରୁ ସେ ଅପୂର୍ବ ସୁନ୍ଦରୀ ଥିଲେ। କିନ୍ତୁ ମତ୍ସ ଗର୍ଭରୁ ଜାତ ହୋଇଥିବାରୁ ତାଙ୍କ ଦେହରୁ ମାଛର ଦୁର୍ଗନ୍ଧ ବାହାରୁଥିଲା। ଯେଉଁଥିପାଇଁ ସମସ୍ତେ ତାଙ୍କୁ ମତ୍ସଗନ୍ଧା ବୋଲି କହୁଥିଲେ।
ମତ୍ସକୂଳର କୁମାରୀ ହୋଇଥିବାରୁ ସତ୍ୟବତୀ ସର୍ବଦା ଲୋକମାନଙ୍କୁ ଡଙ୍ଗା ପାର୍ କରାଉଥିଲେ। ଦିନେ ପରାଶର ଋଷୀ ଡଙ୍ଗା ପାର ହେଉଥିବା ବେଳେ ସତ୍ୟବତୀଙ୍କ ଉପରେ ମୁଗ୍ଧ ହୋଇ ତାଙ୍କ ସହ ସମ୍ଭୋଗ କଲେ ଏବଂ ଆଶିର୍ବାଦ ଭାବେ ପୁତ୍ର ସନ୍ତାଟିଏ ଦେଲେ । ପରାଶରଙ୍କ ସହ ମିଳନ ହେବା ପରେ ଦେବୀ ସତ୍ୟବତୀଙ୍କ ଦେହରୁ ସୁଗନ୍ଧ ବାହାରିଲା। ଯେଉଁଥିପାଇଁ ସେ ପାଲଟିଲେ ଯୋଜନଗନ୍ଧା ଓ ପରବର୍ତ୍ତି ସମୟରେ କୁରୁରାଜ ସାନ୍ତନୁଙ୍କୁ ବିବାହ କରି ସେ ହେଲେ କୁରୁବଂଶର ରାଜମାତା।
ମାତା ସତ୍ୟବତୀ ଓ ପରାଶରଙ୍କ ପୁତ୍ର ହେଉଛନ୍ତି ଭଗବାନ ବେଦବ୍ୟାସ। ଦୀପ ମଧ୍ୟରେ ଜନ୍ମ ହୋଇଥିବାରୁ ତାଙ୍କର ନାମ ବେଦବ୍ୟାସ ରହିଲା। ଭଗବାନ ବିଷ୍ଣୁଙ୍କ ୨୪ ଅବତାର ମଧ୍ୟରୁ ଭଗବାନ ବେଦବ୍ୟାସ ଜଣେ। ଯିଏ ମହାଭାରତ ରଚନା କରିଥିଲେ। କୁରୁ ବଂଶର ରକ୍ଷା ପାଇଁ ଭଗବାନ ବେଦବ୍ୟାସଙ୍କ ଭୂମିକା ସର୍ବାଚ୍ଚ ସ୍ଥାନରେ ।
ସେ ଅମର ଓ ପରମଜ୍ଞାନୀ ଭାବେ ଆମ ହିନ୍ଦୁ ଶାସ୍ତ୍ରରେ ଗୃହୀତ ହୋଇଛନ୍ତି। ବେଦରଭାଷ୍ୟ ରଚନା କରିଥିବାରୁ ତାଙ୍କୁ ବିଶ୍ୱରେ ପ୍ରଥମ ଗୁରୁ ଆଖ୍ୟା ପ୍ରଦାନ କରାଯାଇଛି। କାରଣ ଗୁରୁ ଶବ୍ଦ ଏକ ବ୍ୟାପକ ଅର୍ଥବୋଧକ ଶବ୍ଦ।
ଗୁରୁ ଶବ୍ଦର ଅର୍ଥ ହେଲା ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ଗୁ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ରୁ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ । ଭଗବାନ ବେଦବ୍ୟାସ ପ୍ରଥମେ ଏ ନଶ୍ୱର ଶରୀର ରେ ଅବତୀର୍ଣ୍ଣ ହୋଇ ସକଳ ପ୍ରାଣୀଙ୍କୁ ଏ ଭବସାଗର ରୁ ଉଦ୍ଧାର କରିବା ପାଇଁ ଈଶ୍ୱରୀୟ ଚେତନା ଏ ଜଗତରେ ଶାସ୍ତ୍ର ପୁରାଣ ମାଧ୍ୟମରେ ବିତରଣ କରିଥିଲେ। ସେହି ହେତୁ ତାଙ୍କୁ ଜଗତଗୁରୁ ଭାବରେ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଗ୍ରହଣ କରିଛନ୍ତି। ତାଙ୍କର କୃତିତ୍ୱ ଓ ନିଷ୍ଠା ପାଇଁ ତାଙ୍କୁ ବହୁ ନାମରେ ନାମିତ କରାଯାଇଛି।
ସେହି ନାମ ଗୁଡିକ ମଧ୍ୟରେ ରହିଛି :-
• ବେଦବ୍ୟାସ: ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ।
ପୁରାଣାନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗକାରୀ ୨୮ ଜଣ ଋଷି ବେଦବ୍ୟାସ ଭାବେ ପରିଚିତ । ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ । ପ୍ରଥମ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱିତୀୟ ଦ୍ୱାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହଷ୍ପତି ବେଦଭାଷ୍ୟ ରୂପେ ପରିଚିତ ହୁଅନ୍ତି । ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ ବା ଯମ, ଇନ୍ଦ୍ର, ବସିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ ବା ତ୍ରିବୃଷ, ସୁତେଜା ବା ଭାରଦ୍ୱାଜ, ଅନ୍ତରିକ୍ଷ ବା ଧର୍ମ, ବ୍ପୁବନ୍ ବା ସୁଚକ୍ଷୁ, ତ୍ରଯ୍ୟାରୁଣି, ଧନଞ୍ଜୟ, କୃତଞ୍ଜୟ, ଋତଞ୍ଜୟ, ଭରଦ୍ୱାଜ, ଗୌତମ, ଉତ୍ତମ ବା ହର୍ଯ୍ୟତ୍ମା, ବାଚଶ୍ରବା ବା ନାରାୟଣ ବା ବେଣ, ସୋମମୁଖ୍ୟାୟନ ବା ତୃଣବିନ୍ଦୁ, ଋକ୍ଷ ବା ବାଲ୍ମୀକି, ଶକ୍ତି, ପରାଶର, ଜାତୁକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତିର୍ଣ୍ଣ ହୋଇଥାଆନ୍ତି ।
• ଦ୍ୱୈପାୟନ: ଗଙ୍ଗା ନଦୀମଧ୍ୟସ୍ଥ ଦ୍ୱୀପରେ ଏହାଙ୍କ ଜନ୍ମ ହୋଇଥିବାରୁ
• କୃଷ୍ଣ ଦ୍ୱୈପାୟନ: ଏହାଙ୍କ ଦେହର ବର୍ଣ୍ଣ କଳା ହୋଇଥିବାରୁ ଓ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିବାରୁ
• କାନୀନ: ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିବାରୁ
• ସତ୍ୟଭାରତ: ମହାଭାରତର ପ୍ରଣେତା ହୋଇଥିବାରୁ
• ପାରାଶର୍ଯ୍ୟ: ପରାଶରଙ୍କ ପୁତ୍ର ହୋଇଥିବାରୁ
• ବାଦରାୟଣ,• ସତ୍ୟବ୍ରତ,• ସତ୍ୟରତ।
ଆଜି ଭଗବାନ ବେଦବ୍ୟାସ ଙ୍କ ପୁଣ୍ୟ ଆବିର୍ଭାବ ତିଥି। ଯାହାକୁ ସମଗ୍ର ଭାରତ ବର୍ଷରେ ଆମେ ଗୁରୁ ପୂର୍ଣ୍ଣିମା ତିଥି ଭାବରେ ପାଳନ କରିଥାଉ। ସମସ୍ତ ମଠ ମନ୍ଦିର ଆଶ୍ରମରେ ଭଗବାନ ବେଦବ୍ୟାସଙ୍କୁ ସ୍ମରଣ କରିବା ସହିତ ନିଜ ନିଜର ଗୁରୁ ବୃନ୍ଦକୁ ଶ୍ରଦ୍ଧାଳୁ ମାନେ ଆରାଧନା କରି ଆମ ସଂସ୍କୃତି ଆମ ପରମ୍ପରା ର ମହତ୍ୱକୁ ଜଗତରେ ପ୍ରତିପାଦିତ କରିଥାନ୍ତି।
Comments are closed.