ଢେଙ୍କାନାଳ – ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ । ଆଉ କଟାମୁଣ୍ଡକୁ ଧରି ରାସ୍ତାରେ ବୁଲିଲା । ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପୁର ଗାଁରେ ଘଟିଛି ଏଭଳି ଲୋମହର୍ଷକ ଘଟଣା । ନାକଫୋଡି ମାଝୀ ନିଜ ସ୍ତ୍ରୀ ସୁଚଳା ମାଝୀର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି । କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିବା ପରେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଜଙ୍ଗିରା ନିକଟରେ ପହଞ୍ଚି କଟାମୁଣ୍ଡ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ନାକଫୋଡି ମାଝୀ ଦୀର୍ଘ ବର୍ଷ ପୂର୍ବେ ସୁଚଳା ମାଝୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ପୁଅ ଥିବା ବେଳେ ସେମାନେ ବାହାରେ ଚାକିରି କରୁଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ ପୁଅର ବିବାହ ସରିଛି।
ଗତ କିଛି ଦିନ ହେବ ସ୍ତ୍ରୀ ଚରିତ୍ର ଉପରେ ସନ୍ଦେହ କରୁଥିଲେ ନାକଫୋଡି ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଭୟଙ୍କର ରୂପ ନେଇଥିଲା। ରାତି ପ୍ରାୟ ୩ଟା ବେଳେ ନାକଫୋଡି ଏକ କଟୁରୀରେ ସୁଚଳାଙ୍କ ବେକକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁଚଳାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବି ନାକଫୋଡ଼ି ଏକ କଟୁରୀରେ ସୁଚଳାର ମୁଣ୍ଡକୁ ଶରୀରରୁ ଅଲଗା କରିଥିଲେ।
ଏହାପରେ ଭୋର ପ୍ରାୟ ୪ଟା ବେଳେ ଗୋଟିଏ ହାତରେ କଟୁରୀ ଓ ଅନ୍ୟ ହାତରେ କଟା ମୁଣ୍ଡ ଧରି ଘରୁ ବାହାରିଥିଲା ନାକଫୋଡି ମାଝୀ । ପ୍ରାୟ ୧୨ କିମିରୁ ଅଧିକ ବାଟ ଚାଲି ଚାଲି ଯିବା ପରେ ଜଙ୍ଖିରା ନିକଟରେ ତାଙ୍କୁ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା।
Comments are closed.