ଆସନ୍ତା ସୋମବାରରୁ ବୋଲବମ୍ ଭକ୍ତ କରିବେ ମହାଦେବଙ୍କ ଜଳଲାଗି

ବ୍ରହ୍ମପୁର: ଆକାଶରେ ମେଘର ରାଜୁତି ସହ ଆଗମନ କରିଛି ବର୍ଷର ଅନ୍ୟତମ ପବିତ୍ର ମାସ ଶ୍ରାବଣ। ପୃଥିବୀପୃଷ୍ଠକୁ ଧୋଇଦେବାକୁ ବସିଛି ଏଇ ମାସ ଆଉ ଏଇ ବୃଷ୍ଟିପାତ। ଆକାଶରୁ ଝରି ଆସୁଥିବା ଜଳଦର ଜଳବିନ୍ଦୁରେ ଧରିତ୍ରୀ ସିକ୍ତ ହେବା ପରେ ଚଳଚଞ୍ଚଳ ହୋଇ ଉଠିଛି କୃଷକ। ହଳଲଙ୍ଗଳ ଧରି ଚାଷଜମିମୁହାଁ ଚାଷୀ। କଠୋର ପରିଶ୍ରମ କରିବ ଆଉ ସୁନାର ଫସଲ ଅମଳ କରିବ। ସେପଟେ ଏହି ପବିତ୍ର ମାସରେ ଶ୍ରଦ୍ଧାଳୁଙ୍କ ମନ ମଧ୍ୟରେ ଭକ୍ତିର ଭାବରେ ଉଦ୍‌ବୁଦ୍ଧ। ଜଗତର ନାଥ ଠାକୁର ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପରେ ଏବେ ମହାଦେବଙ୍କ ଭକ୍ତ ଆସନ୍ତା ସୋମବାରରୁ ଆରମ୍ଭ କରିବେ ବୋଲବମ୍ ଯାତ୍ରା। କରୋନା ହେତୁ ପ୍ରାୟ ୨ ବର୍ଷ ହେବ ବନ୍ଦ ପ୍ରାୟ ଥିବା ବୋଲବମ୍ ଯାତ୍ରା ପୁଣି ଆରମ୍ଭ ହେବ। କାଉଡ଼ିଆଙ୍କ ବୋଲବମ୍ ଶବ୍ଦର ବାରମ୍ବାର ଉଚ୍ଚାରଣ ସହ କାନ୍ଧରେ ବାଉଁଶର ଭାରରେ ଜଳପୂର୍ଣ୍ଣ କଳସୀ ବୋହି ନେଉଥିବାର ଦୃଶ୍ୟ ପୁଣି ରାସ୍ତାଘାଟ ଓ ଶୈବପୀଠରେ ସାଧାରଣ ଦୃଶ୍ୟ ପାଲଟିଯିବ। ଦୂରଦୂରାନ୍ତରୁ ଖାଲି ପାଦରେ ଚାଲି ଚାଲି ମୁହଁରେ ବୋଲବମ୍ ଜପି ଜପି ଆସୁଥିବା ଶିବ ଭକ୍ତଙ୍କୁ ଦେଖି ମନ ପୁଣି ଥରେ ମହାଦେବଙ୍କ ଭକ୍ତିରେ ଆଚ୍ଛନ୍ନ ହୋଇ ଉଠିବ।

ଯଦିଓ ବୋଲବମ୍ ଯାତ୍ରା ଓଡ଼ିଶାର ନିଜସ୍ଵ ନୁହେଁ, ଉତ୍ତର ଭାରତରୁ ଆମ ରାଜ୍ୟକୁ ଆସି ଗତ କିଛି ବର୍ଷ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇ ଉଠିଛି ଏହି ଧାର୍ମିକ ଚଳଣୀ। ରାଜ୍ୟର ଉଣାଅଧିକେ ସବୁ ଅଞ୍ଚଳରେ ଏବେ ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ସାଧାରଣ କଥା ପାଲଟିଛି। ହିମାଳୟ ନିବାସୀ, ଦୁଷ୍ଟଙ୍କ ସଂହାରକର୍ତ୍ତା ପ୍ରଭୁ ଶଙ୍କରଙ୍କୁ ପାଇବାକୁ ହେଲେ ମନ ସହ ଶରୀରର କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ତେଣୁ ଦୂର କେଉଁ ପବିତ୍ର ଜଳସ୍ରୋତରୁ ଶୁଦ୍ଧପୁତ ମନ ଓ ଶରୀର ସହ ଜଳପୂର୍ଣ୍ଣ କୁମ୍ଭ କାନ୍ଧରେ ବୋହି ବୋହି ଆଣି ସ୍ଵୟଂଭୁ ଲିଙ୍ଗ (ଯେଉଁଠି ମହାଦେବଙ୍କ ଲିଙ୍ଗ ସ୍ୱତଃ ଉଭା ହୋଇଥିବ) ସେହି ଶୈବପୀଠରେ ଜଳଲାଗି କଲେ ଶିବଶଙ୍କର ପ୍ରସନ୍ନ ହୁଅନ୍ତି ବୋଲି ଭକ୍ତଙ୍କ ମନରେ ରହିଛି ଅମାପ ବିଶ୍ଵାସ। ଆଉ ସେହି ବିଶ୍ଵାସ ଆଧାରରେ ଖାଲି ପାଦରେ ବହୁ ଦୂର ଅତିକ୍ରମ କରି ଚାଲନ୍ତି କାଉଡ଼ିଆ ଭକ୍ତ। ଯାତ୍ରା ବେଳର କ୍ଲାନ୍ତି, ପରିଶ୍ରମକୁ ଦୂର କରିବା ପାଇଁ ମନ ଆଉ ମୁହଁରେ ଥାଏ ବୋଲବମ୍ ହର ହର ବମ୍, ଭୋଲା ବାବା ପାର୍ କରେଗା, ପାର୍ବତୀ ପତି ପାର୍ କରେଗା, ଗଣପତି ପିତା ପାର୍ କରେଗା… ଆଦି ଭକ୍ତିଭାବର କେଇ ପଦ ଶବ୍ଦ।

ତେଣେ ଶ୍ରାବଣର ଆଗମନ ସହ ଆରମ୍ଭ ହୋଇଯାଇଛି ବୋଲବମ୍ ଯାତ୍ରାର ପ୍ରସ୍ତୁତି। ବାଟେଘାଟେ ଶୁଭିବ ବୋଲବମ୍ ହର ହର ବମ୍। ନିଜକୁ ଯାତ୍ରା ପାଇଁ ପ୍ରସ୍ତୁତ କରୁଥିବା କାଉଡ଼ିଆଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଏବେ ବଜାରରେ ଉପଲବ୍ଧ। ଆଜିକାଲି ତ ରେଡିମେଡ୍ ଯୁଗ। ଏଣୁ ଶିବଙ୍କ ଛବି ଥିବା ବୋଲବମ୍ ଲେଖା ଥିବା ପୋଷାକରୁ ଆରମ୍ଭ କରି ବାଉଁଶର ବାହୁଙ୍ଗି, ମାଟିରୁ ଆରମ୍ଭ କରି ପିତଳ ଓ ପ୍ଲାଷ୍ଟିକ୍ କୁମ୍ଭ, ଓଁ ଲେଖା- ଶିବ ଲିଙ୍ଗ- ତ୍ରିଶୂଳର ପ୍ରତିକୃତି- ଗେରୁଆ ବାନା, ରୁଦ୍ରାକ୍ଷ ମାଳି, ଘଣ୍ଟି ଆଦି ସାମଗ୍ରୀର ବିକ୍ରିବଟା ବଜାରରେ ଆରମ୍ଭ ହୋଇଗଲାଣି। ଜଳ ଲାଗି ନିମନ୍ତେ ଦରକାର ଚନ୍ଦନ, ମହୁ, ଗଙ୍ଗାଜଳ, କଉଡ଼ି, ଗୁଆ, ହରଡ଼ା, ବେଣାଚେର, ଲବଙ୍ଗ, ଅଳେଇଚ, ଶ୍ରୀକର୍ପୁର, କେଶର, ଲାଲ୍ କପଡ଼ା, ଦଉଡ଼ି, ପଇତା ଭଳି ୨୧ ପ୍ରକାର ପୂଜା ସାମଗ୍ରୀର ପୂର୍ବରୁ ପ୍ରସ୍ତୁତ ପ୍ୟାକେଟ୍ ଅନେକ ଦୋକାନରେ ଏବେ ବିକ୍ରି ହେଉଛି। ଆସନ୍ତା ଶ୍ରାବଣ ପ୍ରଥମ ସୋମବାର ପାଳିରେ ଠାକୁରଙ୍କ ଠାରେ ଜଳଲାଗି କରିବାକୁ ଇଚ୍ଛୁକ ଭକ୍ତ ୩- ୪ ଦିନ ଆଗରୁ ଜଳସ୍ରୋତ ତଥା ପବିତ୍ର ନଦୀରୁ ପୁଣ୍ୟତୋୟା ମୁହାଣରୁ ଜଳ ଭାର ଧରି ଯାତ୍ରାରମ୍ଭ କରିବେ। ମହାଦେବଙ୍କ ଠାରେ ମାନସିକ ରଖି ଆରମ୍ଭ ହେବ ଅନେକ ଦୂର ପାର ହେବାକୁ ଥିବା ପଦଯାତ୍ରା। ତେଣୁ ବ୍ୟବସାୟୀ ସେଥିପାଇଁ ଆବଶ୍ୟକ ସାମଗ୍ରୀ ବିକ୍ରିରେ ଆଉ ମାନସିକଧାରୀ ତାହାକୁ କିଣିବାରେ ତତ୍ପର।

ରେଶମ ସହର ନିକଟସ୍ଥ ଲାଠି ସମେତ ଗଞ୍ଜାମ ଏବଂ ମୌଳାଭଞ୍ଜ ଅଞ୍ଚଳରୁ ପାଣି ଉଠାଇ ସହର ଉପକଣ୍ଠ ଭାବିନୀପୁର, ସୁକୁଣ୍ଡା ଏବଂ କୋଳଥିଗାଁ ଠାରେ ଥିବା ଅଷ୍ଟଶମ୍ଭୁରେ ଜଳ ଅର୍ପଣ କରିଥାନ୍ତି ବହୁତ ବୋଲବମ୍‌ ଭକ୍ତ। ସାମୂହିକ ଭାବେ ଦଳ ଦଳ ହୋଇ ଯାତ୍ରାରେ ମହାଦେବଙ୍କ ଭକ୍ତମାନେ ସାମିଲ ହେଉଥିବାରୁ ବେଶ୍ କିଛି ଦିନ ଆଗରୁ ସେମାନଙ୍କ ପ୍ରସ୍ତୁତି ଏବେ ଦେଖିବାକୁ ମିଳୁଛି। ଚଳିତ ବର୍ଷ କରୋନା କଟକଣା ନଥିବାରୁ ଆନନ୍ଦ ମନରେ ଶ୍ରଦ୍ଧାଳୁ ବୋଲବମ୍ ଯାତ୍ରା ପାଇଁ ସଜବାଜ ହେଉଛନ୍ତି। ବେପାରୀମାନେ ମଧ୍ୟ ଭଲ କାରବାର ନେଇ ଆଶା ବାନ୍ଧିଛନ୍ତି। ମୋଟାମୋଟି ଭାବେ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଏଥର ରଥଯାତ୍ରା ପରେ ପରେ ବୋଲବମ୍ ଯାତ୍ରା ମଧ୍ୟ ବେଶ୍ ଜମିବ ବୋଲି ଆଶା କରାଯାଉଛି।

Comments are closed.