କାଶୀପୁର ଝାଡାବାନ୍ତି ଓ କୋରୋନା ବୃଦ୍ଧି ପ୍ରସଙ୍ଗରେ ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ପ୍ରଭାବିତ ଗାଁଗୁଡିକରେ ଏବେ ସ୍ୱାସ୍ଥ୍ୟ ଟିମ କ୍ୟାମ୍ପ କରି ରହିଛି । ୩ଟି ମେଡିକାଲ ଦଳ ଗାଁ ଗାଁ ବୁଲୁଛନ୍ତି । ଆଖପାଖ ଗାଁରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସିଫ୍ଟ କରାଯାଉଛି। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେହି ଅଞ୍ଚଳ ବୁଲିବାକୁ ଆଜି ଯାଉଛନ୍ତି। ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ୍ ମଧ୍ୟ ପଠାଯାଇଛି। ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ସାରା ଦେଶରେ କୋଭିଡ ସଂକ୍ରମଣ ବଢ଼ୁଛି। କିନ୍ତୁ ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି। କିନ୍ତୁ ଓଡ଼ିଶା ପାର୍ଶ୍ଵବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ବଢ଼ୁଛି। ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ୁଛି। କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି। ଏବେ ରାଜ୍ୟରେ ୫ ହଜାର ଉପରେ ସକ୍ରିୟ ମାମଲା ଥିବା ବେଳେ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଅଛନ୍ତି। ଏହାର ଅର୍ଥ ଲୋକଙ୍କଠାରେ ଲକ୍ଷଣ ଦେଖାଯାଉନି ବା ସ୍ୱଳ୍ପ ଲକ୍ଷଣ ରହୁଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed.