ଆଜିଠାରୁ ବର୍ଦ୍ଧିତ ଜିଏସଟି ହାର ଲାଗୁ, ମହଙ୍ଗା ହେଲା ଏହିସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଗ୍ୟାସ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ସରକାର ପୁଣି ମହଙ୍ଗା ବୋଝ ଲଦିଛନ୍ତି । ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି । ନୂଆ ଜିଏସଟି ହାର ଆଜିଠାରୁ (ଜୁଲାଇ ୧୮) ଠାରୁ ଲାଗୁ ହୋଇଛି ।

ସୋମବାର ଠାରୁ ଲୋକଙ୍କୁ ଅଟା, ପନିର୍, ଚାଉଳ ଏବଂ କଦଳୀ ଭଳି ପ୍ୟାକେଜ୍ ସାମଗ୍ରୀ ଉପରେ ୫% ଜିଏସଟି ଦେବାକୁ ପଡ଼ିବ | ପୂର୍ବରୁ ପ୍ୟାକ୍ ଏବଂ ଲେବେଲ୍ ହୋଇଥିବା ଖାଦ୍ୟ ସାମଗ୍ରୀ ଯଥା ମାଛ, ମାଂସ, ଦହି, ପନିର ଏବଂ ମହୁ (ଫ୍ରୋଜେନ୍ ବ୍ୟତୀତ) ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ। ସେହିଭଳି ପୂର୍ବରୁ ପ୍ୟାକ ଓ ଲେବେଲ୍‌ ହୋଇଥିବା ଅଣବ୍ରାଣ୍ଡେଡ ଅଟା ଏବଂ ଚାଉଳ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ। ବର୍ତ୍ତମାନ କେବଳ ବ୍ରାଣ୍ଡେଡ ଅଟା ଓ ଚାଉଳ ଉପରେ ଜିଏସଟି ଲାଗୁ ହେଉଛି। ସେହିଭଳି ଡ୍ରଏଡ ଲହୁଣି, ମୁଡ଼ି ଉପରେ ୫ ପ୍ରତିଶତ ଜିଏସଟି ଆଦାୟ ହେବ।

ଜିଏସଟିର ବର୍ଦ୍ଧିତ ଦରରୁ ସ୍ବାସ୍ଥ୍ୟସେବାକୁ ମଧ୍ୟ ବାଦ୍ ଦିଆଯାଇ ନାହିଁ । ଏବେ ଡାକ୍ତରଖାନାରେ ଆଇସିୟୁ ବ୍ୟତୀତ ୫୦୦୦ ଟଙ୍କା ରୁ ଅଧିକ ଭଡା ଥିବା ହସ୍ପିଟାଲ୍ ରୁମ୍ ପାଇଁ ୫% ଟିକସ ଦେବାକୁ ପଡିବ।

ଏହାଛଡ଼ା ହୋଟେଲ ରହଣୀ ମଧ୍ୟ ମହଙ୍ଗା ହୋଇଛି । ଦୈନିକ ୧୦୦୦ ରୁ ଅଧିକ ଟଙ୍କା ଭଡା ଥିବା ହୋଟେଲ ରୁମ୍ ପାଇଁ ୧୨ ପ୍ରତିଶତ ହାରରେ ଜିଏସଟି ଦେବାକୁ ପଡିବ । ଏହା ବ୍ୟତୀତ ମାନଚିତ୍ର, ଆଟଲେସ୍ ଏବଂ ଚାର୍ଟ ଉପରେ ମଧ୍ୟ ୧୨% ଜିଏସଟି ଲାଗିବ । ଏଣିକି ବ୍ୟାଙ୍କ ଚେକ୍ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ ।

ଗତ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଏସଟି ପରିଷଦ ଅନେକ ସାମଗ୍ରୀ ଏବଂ ସେବା ଉପରେ ନୂଆ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଟିକସମୁକ୍ତ ଦ୍ରବ୍ୟର ତାଲିକା ହ୍ରାସ କରିଥିଲା।

ସେହିପରି ଗ୍ରେଡିଂ କରିବା ପାଇଁ ଉଦ୍ଦିଷ୍ଟ ମେସିନ, ମିଲିଂ ପାଇଁ ବ୍ୟବହୃତ ମେସିନ, ଏୟାର ବେସଡ୍ ଅଟା ଚକି ଏବଂ ୱେଟ୍ ଗ୍ରାଇଣ୍ଡର ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ ବ୍ୟାଙ୍କ ଚେକ୍ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ। ସୋଲାର ୱାଟର ହିଟର ଓ ସିଷ୍ଟମ ଉପରେ ୧୨ ପ୍ରତିଶତ, ଦିନକୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍ ରହଣି ଉପରେ ବି ୧୨ ପ୍ରତିଶତ ଟିକସ ଲାଗିବ । ରାସ୍ତା, ପୋଲ, ରେଳବାଇ, ମେଟ୍ରୋ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ଶ୍ମଶାନ ଆଦି ନିର୍ମାଣର ଠିକା କାର୍ଯ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ। ଐତିହାସିକ କାର୍ତ୍ତିରାଜି, କେନାଲ, ଡ୍ୟାମ, ପାଇପଲାଇନ, ଜଳ ଯୋଗାଣ ପ୍ଲାଣ୍ଟ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଆଦି ନିର୍ମାଣର ଠିକା କାର୍ଯ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ଆଦାୟ କରାଯିବ।

ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ସେବା ଉପରେ ଜିଏସଟି ଲାଗୁ ନିଷ୍ପତ୍ତିକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଇଛି।

Comments are closed.