ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଓ ବିଜେପିର ବହୁ ବଡ଼ ନେତା ଉପସ୍ଥିତ ଥିଲେ । ଧନଖରଙ୍କ ନାମାଙ୍କନ ବେଳେ ଏନଡି ସହଯୋଗୀ ଦଳର ଅନେକ ନେତା ସହ ବିଜେଡ଼ି ସାଂସଦମାନେ ମଧ୍ୟ ଉପସ୍ଥିତ ରହିଥିଲେ । ବିଜେଡ଼ି ଧନଖରଙ୍କ ପ୍ରାର୍ଥୀତ୍ୱ ପ୍ରତି ସମର୍ଥନ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ଧନଖରଙ୍କ ପାଇଁ ସମର୍ଥନ ଲୋଡିଥିଲେ।

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖର ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଧନଖରଙ୍କ ବିରୋଧରେ ବିରୋଧୀ ଦଳ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ।

ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୧୯ | ଧନଖର ରାଜସ୍ଥାନର ଜାଟ୍ ସମ୍ପ୍ରଦାୟରୁ ଆସିଛନ୍ତି। ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଧନଖରଙ୍କୁ ପ୍ରାର୍ଥୀ କରି ବିଜେପି ଏକ ବଡ଼ ବାଜି ଖେଳିଛି। ରାଜସ୍ଥାନ ବ୍ୟତୀତ ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀରେ ଜାଟ ସମ୍ପ୍ରଦାୟର ସଂଖ୍ୟା ବହୁତ ଅଧିକ। ଏହା ବ୍ୟତୀତ ପଶ୍ଚିମବଙ୍ଗରେ ଧନଖରଙ୍କ ପ୍ରତି ବଡ଼ ସମର୍ଥନ ରହିଥିବା କୁହାଯାଉଛି।

Comments are closed.