ପଞ୍ଚଭୂତରେ ଲୀନ ହେଲେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାର

ସମ୍ବଲପୁର : ଓଡିଆ ଏବଂ ସମ୍ବଲପୁରୀ ସଂଗୀତ ଜଗତର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ଗତକାଲି ଭୋର୍ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ବୟସ ହେଉଥିଲା। ସେ ପ୍ରାୟ ବର୍ଷେ ହେବ ରୋଗାଗ୍ରସ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସମଗ୍ର ଓଡିଶାର ସଂଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ଆଜି ତାଙ୍କ ଶେଷ ଯାତ୍ରା ପାଇଁ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଶତାଧିକ କଳାକାର ସାମିଲ ହୋଇ ଅଶ୍ରୁଳ ବିଦାୟ ଦେଇଛନ୍ତି।

ସମ୍ବଲପୁର ସହରର କୁମ୍ଭାରପଡା ନିବାସୀ ଶ୍ରୀରାମ ପିଲାଟି ଦିନରୁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ନବେ ଦଶକରେ ସେ ସମ୍ବଲପୁରୀ ଏବଂ ଓଡିଆ ଆଲବମ ଜଗତରେ ଏକପ୍ରକାର ତାଙ୍କ ରାଜ୍ ଚାଲିଥିଲା। ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଶତାଧିକ କ୍ୟାସେଟ୍ ସେହି ସମୟରେ ବଜାରକୁ ହଲଚଲ କରିଥିଲା। ଏପରିକି ତାଙ୍କ ସଂଗୀତ ସଂଯୋଜନା ଏବଂ ନିର୍ଦ୍ଦଶେନାରେ ପ୍ରଖ୍ୟାତ ବଲିଉଡ କଣ୍ଠଶିଳ୍ପୀ ସୁରେଶ ବାଡେକର ଏବଂ ସୋନୁ ନିଗମ ତାରିଣୀ ଏବଂ ଜଗନ୍ନାଥ ଭଜନ ଗାଇଥିଲେ। ଆମର୍ ପରା କେ ନେ ଆଏବୁ ବୁଲି…, ହାଏରେ ଦିଲ୍ ବେହେଲି ଗଲାନ…ରୁ ଆରମ୍ଭ କରି ଶ୍ରୀକୃଷ୍ଣ ଗୋବିନ୍ଦ, ପଖାନ ଉପରେ ଝରନ ପାନି ଭଳି ବହୁ ସୁପରହିଟ୍ ଗୀତ ଆଜି ବି ତାଙ୍କୁ ଶ୍ରୋତାଙ୍କ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଦେଇଛି। ଶନିବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ଏସ୍ସବିକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

Comments are closed.