ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତାବହ ବାଲିକୁଦାର ପତିତପାବନ ମନ୍ଦିର

ଅବିଭକ୍ତ କଟକ ବା ଏବର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିସାହି ହାଟ ନିକଟରେ ରହିଛି ସୁନ୍ଦର ପତିତପାବନ ମନ୍ଦିର।ଏହି ମନ୍ଦିର ଟି ଅତି ପ୍ରାଚୀନ ମନ୍ଦିର ନ ହେଲେ ମଧ୍ୟ ସମ୍ପୁର୍ଣ ପଥରରେ ନିର୍ମିତ ଏହି ମନ୍ଦିର। ଯାହାକି ପ୍ରଚାର ଓ ପ୍ରସାର ଯୁଗରେ ସାଧାରଣ ଜନମାନସର ଆଢୁଆଳରେ ବିଦ୍ୟମାନ। ଅଳକା ନଦୀର ଅନତି ଦୂରରେ ଦଣ୍ଡାୟମାନ ପତିତପାବନ ମନ୍ଦିରଟି ଆମ ଜଗନ୍ନାଥ ସଂସ୍କୃତି ର ବାର୍ତା ବହନ କରୁଛି l

ମନ୍ଦିରର ନିର୍ମାଣ ଓ ଇତିହାସ ବହୁ ପୁରାତନ ନ ହେଲେ ବି ଅନାଲୋଚିତ lଜମିଦାର ପରୀକ୍ଷିତ ଦାସ ଯେକି ପୁରୀ ଗଜପତିଙ୍କର ଜଣେ ବିଶ୍ୱସ୍ତ ପରାମର୍ଶଦାତା ଓ ପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ l ଗଜପତିଙ୍କ ପରାମର୍ଶ କ୍ରମେ ଜମିଦାରୀ କାମରେ, ଅଠରଶହ ଖ୍ରୀଷ୍ଟାବ୍ଦରେ ସପରିବାର ପୁରୀରୁ ଆସି ଏହି ବାଲିକୁଦା ଅଞ୍ଚଳରେ ସ୍ଥାୟୀ ବାସିନ୍ଦା ରୂପେ ଅବସ୍ଥାନ କରି ରାଜକାର୍ଯ୍ୟରେ ନିୟୋଜିତ ରହିଲେ l

ସେ ସମୟରେ ପୁରୀ ଜଗନ୍ନାଥ ମନ୍ଦିରରେ ପତିତ ବା ଅସବର୍ଣ୍ଣ ଲୋକଙ୍କ ପ୍ରବେଶ ନିଷେଧ ଥିଲା l ଏହି ଅପସଂସ୍କୃତିକୁ ରାତାରାତି ଲୋପ କରା ଯାଇ ପାରିବନାହିଁ ବୋଲି ରାଜା ହୃଦୟଙ୍ଗମ କରିଥିଲେ। ଏଣୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇ ସେଠାରେ ସର୍ବ ସାଧାରଣଙ୍କ ପ୍ରବେଶ ଓ ଦର୍ଶନ କରାଇବା ଉଦେଶ୍ୟରେ ଜମିଦାର ମାନଙ୍କ ସହଯୋଗରେ ଜଗନ୍ନାଥ ମନ୍ଦିରମାନ ନିର୍ମାଣ କରାଉଥିଲେ l

ପୁରୀରୁ ଆସି ବାଲିକୁଦାରେ ସ୍ଥାୟୀ ରହଣି କାଳରେ ଜମିଦାର ପରୀକ୍ଷିତ ଦାସ ଅଳକା ନଦୀ କୂଳରେ ଏହି ପତିତପାବନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ l କୁହାଯାଏ ମହାନଦୀ ଓ ଏହାର ଶାଖା ନଦୀ ଅଳକାର ଜଳ ପଥରେ ମନ୍ଦିର ନିର୍ମାଣର ସମସ୍ତ ପଥର ଅଣାଯାଇଥିଲା l
ଯେଉଁ ପତିତ ବା ଦଳିତମାନଙ୍କ ପାଇଁ ମନ୍ଦିର ପ୍ରବେଶ ମନା ଥିଲା ସେହି କଳଙ୍କିତ ପ୍ରଥାକୁ ଦୂର କରି ପତିତଜନଙ୍କ ଉଦ୍ଧାର ପାଇଁ ପତିତପାବନ ମନ୍ଦିର ନିର୍ମାଣ କରାଯାଇଥିଲା l ମନ୍ଦିରର ମୁଖଶାଳା, ଜଗମୋହନ ଓ ବିମାନ ଏହି ତିନୋଟି ଯାକ ବିଭାଗ ପୀଢ଼ ଶୈଳୀରେ ସମ୍ପୂର୍ଣ୍ଣ ପଥରରେ ନିର୍ମିତ l

ଏହି ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ନିର୍ମିତ ହୋଇ ଥିଲେ ବି ବିଶେଷ କାରୁକାର୍ଯ୍ୟ ଦେଖିବାକୁ ମିଳେ ନାହିଁ l ମୁଖଶାଳା ଟି ନିର୍ମାଣ ସମୟରେ ଅସମ୍ପୂର୍ଣ୍ଣ ଥିଲା ଯାହାକୁ ପରବର୍ତ୍ତୀ ସମୟରେ କିଛିଟା ଇଟା ଯୋଡ଼େଇ କରାଯାଇ ଛାତ ପକାଯାଇଛି l ମନ୍ଦିରର ନାମ ପତିତପାବନ ହୋଇଥିଲେ ମଧ୍ୟ ମନ୍ଦିର ଗର୍ଭଗୃହରେ ପତିତପାବନ ବା ଜଗନ୍ନାଥଙ୍କ ଏକକ ମୂର୍ତ୍ତି ବଦଳରେ ଚତୁର୍ଦ୍ଧା ମୂରତିଙ୍କ ବିଗ୍ରହ ରତ୍ନସିଂହାସନରେ ବିରାଜିତ ଏବଂ ଠାକୁରଙ୍କ ବିଗ୍ରହ ଗୁଡ଼ିକ ଖୁବ୍ ସୁନ୍ଦର l

ଏହି ମନ୍ଦିରରେ ଉଚ୍ଚ ନୀଚ ର କୌଣସି ଭେଦ ଭାବ ନାହିଁ l ପତିତ ଜନଙ୍କୁ ପ୍ରବେଶାଧିକାର ଦେଇ ଜମିଦାର ପରୀକ୍ଷିତ ଦାସ ସମଗ୍ର ଅଞ୍ଚଳରେ ଏକ ଉଦାହରଣ ପାଲଟିଥିଲେ l ଏହି ମନ୍ଦିରରେ ଜଣେ ସବର୍ଣ୍ଣ ବା ପତିତ, ଅସବର୍ଣ୍ଣ ଯେ କେହି ନିଜ ଇଷ୍ଟଙ୍କୁ ପୂଜା ଆରାଧନା କରିବାର ସୁଯୋଗ ପ୍ରାପ୍ତ କରିଥିଲେ l ଏହି ମନ୍ଦିର ପରିସରରେ ଏକ ଶିବ ମନ୍ଦିର ବି ରହିଛି l କୁହାଯାଏ ଏହି ଶିବ ଲିଙ୍ଗଟି ବାରଣାସୀ ବା କାଶୀରୁ ଅଣା ଯାଇଥିବାରୁ ଏହାଙ୍କ ନାମ କାଶୀ ବିଶ୍ୱନାଥ ରଖାଯାଇଛି l ସେହିପରି ମନ୍ଦିର ପରିସରରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ବି ରହିଛି, ଯେଉଁଠି ମାଆଙ୍କର ଏକ ସୁନ୍ଦର ମାର୍ବଲ ବିଗ୍ରହ ପୂଜା ପାଉଛନ୍ତି Iସଙ୍କଟମୋଚନ ଶ୍ରୀ ହନୁମାନଙ୍କ ଏକମନ୍ଦିର ମଧ୍ୟ ରହିଛି l  ଜଗତସିଂହପୁରରୁ ବାଲିକୁଦା ଯିବା ଆସିବା ବେଳେ ହାଟ ପରିସରରେ ଥିବା ଏହି ସୁନ୍ଦର ମନ୍ଦିରଟି ଜଗନ୍ନାଥଭକ୍ତ ଙ୍କ ପାଇଁ ଏକ ପୁଣ୍ୟକ୍ଷେତ୍ର ଭାବରେ ଗୃହୀତ।

(ସଂଗୃହିତ )

Comments are closed.