ଗଞ୍ଜାମରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଛତ୍ରପୁର: ଚଳିତ ମାସ ୮ ତାରିଖ ଓ ପୁଣି ୨୦ ତାରିଖ। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ଘୁମୁସର ଉତ୍ତର ବନଖଣ୍ଡ ସତେଯେମିତି ହାତୀମାନଙ୍କ କବରସ୍ଥଳ ପାଲଟି ଯାଉଛି। ଗତ ୮ ତାରିଖରେ ମୁଜାଗଡ଼ ବନାଞ୍ଚଳ ଅନ୍ତର୍ଗତ ନିଧିଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀକୁ ମାରି ତାର ଦାନ୍ତ କାଟି ନେଇଥିଲେ ଶିକାରୀ। ଆଉ ଏବେ ଜଗନ୍ନାଥପ୍ରସାଦ ବନାଞ୍ଚଳର କେ.ନୂଆପଲ୍ଲୀ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। କେ.ନୂଆପଲ୍ଲୀ ସଂରକ୍ଷିତ ଜଙ୍ଗଲ ଦେଇ ହାଇଭୋଲ୍‌ଟେଜ୍ ବିଦ୍ୟୁତ୍ ତାର ଟଣାଯାଇଥିବା ବେଳେ କୌଣସିମତେ ହାତୀଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା କହିଛି ବନବିଭାଗ। ଡିଏଫ୍ଓ ସୁଦର୍ଶନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଗତ ୮ ତାରିଖରେ ଦନ୍ତାହାତୀ ଶୀକାର ହୋଇଥିବା ବେଳେ ଏଥର ବିଦ୍ୟୁତ୍ ତାର ଗଜରାଜଙ୍କ ଜୀବନ ନେଇଛି। ପ୍ରଥମ ଘଟଣାରେ ବନ ବିଭାଗ ୩ ଶିକାରୀଙ୍କୁ ଗିରଫ କରିବା ସହ ଉଦ୍ଧାର କରିଥିଲା ଦୁଇଟି ହାତୀ ଦାନ୍ତ। ତେଣେ ବର୍ତ୍ତମାନ କେ.ନୂଆପଲ୍ଲୀ ଗାଁ ଲୋକ ହାତୀର ମୃତଦେହ ଦେଖି ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ- ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ୱୟର ଅଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏହି ବନଖଣ୍ଡରେ ହାତୀ ମୃତ୍ୟୁର ଏହା ପ୍ରଥମ ଘଟଣା ନୁହେଁ। ଗତବର୍ଷ ଜୁନ୍‌ ମାସରେ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ଲାଠିଗୁଡ଼ା ଗ୍ରାମରେ ଏକ ଦନ୍ତା ବିଦ୍ୟୁତ୍ ସଂସ୍ପର୍ଶରେ ପ୍ରାଣ ହରାଇଥିଲା। ତେବେ ତା ପୂର୍ବରୁ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ଗତବର୍ଷ ନଭେମ୍ବର ୨୧ରେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଦିଗପହଣ୍ଡି ରେଞ୍ଜ୍ ପନ୍ନାଡ଼ ଗ୍ରାମରେ ଏକ ୪ ବର୍ଷର ହାତୀର ମୃତ୍ୟୁ ଘଟିଥିଲା।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ଚିକିଟି, ଦିଗପହଣ୍ଡି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ରହୁଛି। ସେପଟେ ଉତ୍ତର ଘୁମୁସର ବନଖଣ୍ଡରେ ସର୍ବାଧିକ ହାତୀ ଦେଖିବାକୁ ମିଳନ୍ତି। ସାଧାରଣତଃ ଡିସେମ୍ବର– ଜାନୁଆରୀ ମାସରେ ଫସଲ ଅମଳ ସମୟରେ ହାତୀମାନେ ଖାଦ୍ୟ ଓ ପାଣି ସନ୍ଧାନରେ ଜନବସତି ନିକଟକୁ ଆସି ଯାଇଥାନ୍ତି। ନଚେତ୍ ବର୍ଷର ଅନ୍ୟ ସମୟରେ ସେମାନେ ଜଙ୍ଗଲର ଗହନ ଇଲାକାରେ ରହିଥାନ୍ତି। ତେବେ ଘଞ୍ଚ ଜଙ୍ଗଲରେ ଶୀକାର ହେଉ ବା ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଗଜରାଜଙ୍କ ବଂଶ କ୍ଷୟର କାରଣ ସାଜୁଛି। ଅନେକ ବର୍ଷ ତଳେ ମଧ୍ୟ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଦିଗପହଣ୍ଡି ଅଞ୍ଚଳରେ ମଣିଷ- ହାତୀ ସଂଘର୍ଷ ବା ଅନ୍ୟାନ୍ୟ କାରଣରୁ ହାତୀଙ୍କ ମୃତ୍ୟୁ ଘଟିଥିବାର ନଜିର ରହିଛି। ଏପରିକି ଖଲ୍ଲିକୋଟ ଅଞ୍ଚଳରେ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍‌ ଧକ୍କାରେ ଏକକାଳୀନ ୬ଟି ହାତୀଙ୍କ ମୃତ୍ୟୁ ଜିଲ୍ଲାରେ ଏହି ବିଶାଳକାୟ ଜନ୍ତୁର ଜୀବନଧାରଣ ଇତିହାସରେ ଏକ କଳାଦାଗ ହୋଇ ରହିଛି।

Comments are closed.