ଗଜପତି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ପ୍ରୋତ୍ସାହନ ପାଇଁ ନୂଆ ପ୍ରୟାସ

ପାରଳାଖେମୁଣ୍ଡି: ଗତ କିଛି ବର୍ଷ ମଧ୍ୟରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ କିଛିଟା ସୁଧାର ପରିଲକ୍ଷିତ ହୋଇଛି। ଧିରେ ଧିରେ ସୁଧୁରୁଥିବା ଉଚ୍ଚବିଦ୍ୟାଳୟ ଶିକ୍ଷାଦାନ ପ୍ରଣାଳୀର ଫଳସ୍ବରୂପ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷା ଫଳରେ ପୂର୍ବାପେକ୍ଷା ଏଥର ଅଧିକ ସଫଳତା ମିଳିପାରିଛି। ଏହାକୁ ଦୃଷ୍ଟିରେ ରଖି ଶିକ୍ଷାଦାନ କ୍ଷେତ୍ରରେ ନିୟୋଜିତ ପ୍ରଧାନଶିକ୍ଷକ, ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମନୋବଳ ବୃଦ୍ଧି ତଥା ସେମାନଙ୍କ ପ୍ରୋତ୍ସାହନ ପାଇଁ ଜିଲ୍ଲା ପ୍ରଶାସନ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଆରମ୍ଭ କରିଛି ‘ଗଜପତି ଶିକ୍ଷା ଆରୋହଣ’ ଅଭିଯାନ। ଏଥିଅନ୍ତର୍ଗତ ପ୍ରଧାନଶିକ୍ଷକ, ସିଆରସିସିଙ୍କ ଭଳି ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମଗ୍ର ଶିକ୍ଷା ସଂଯୋଜକମାନଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯାଇଛି। ଶିକ୍ଷା କ୍ଷେତ୍ରରେ ଏହି ନୂତନ ପଦକ୍ଷେପ ଆଦିବାସୀ ଅଧୁଷିତ ଏହି ଜିଲ୍ଲାରେ ବିଭାଗରେ ଅଧିକ ସୁଫଳ ଆଣିପାରିବ ବୋଲି ସମସ୍ତେ ଆଶାବାଦୀ।

ଚଳିତ ମାଟ୍ରିକ୍ ପରୀକ୍ଷା ଫଳ ଅନୁସାରେ ଗଜପତି ଜିଲ୍ଲାରେ ୯୦.୩୨ ପ୍ରତିଶତ ଛାତ୍ରଛତ୍ରୀ ପାସ୍ କରିଛନ୍ତି, ଯାହା ଗତ ୩ ବର୍ଷର ସର୍ବାଧିକ ସଫଳତା। ଜିଲ୍ଲାର ମୋଟ ୧୫୭ଟି ଉଚ୍ଚ ବିଦ୍ୟାଳୟରୁ ୭୦୪୮ ଜଣ ପରୀକ୍ଷା ଦେଇ ୭୦୦୧ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏ-୧ ଗ୍ରେଡ୍‌ରେ ୭ ଜଣଙ୍କ ସମେତ ୪୨୩ ଜଣ ଏ-୨, ୨୫୭୭ ଜଣ ବି-୧, ୨୬୩୫ ଜଣ ବି-୨, ୧୦୩୩ ଜଣ ସି, ୨୬୯ ଜଣ ଡି, ୫୭ ଜଣ ଇ, ୪୭ ଜଣ ଏଫ୍ ଗ୍ରେଡ୍‌ ପାଇଛନ୍ତି। ମୋଟାମୋଟି ଭାବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ଅପେକ୍ଷାକୃତ ଭଲ ରହିଛି। ୨୦୨୦ ମସିହାରେ ୮୭ ପ୍ରତିଶତ ପିଲା ପାସ୍‌ କରିଥିଲେ। ମାତ୍ର ୫ ଜଣ ପିଲା ଏ-୧ ଗ୍ରେଡ୍ ଲାଭ କରିଥିଲେ। ୨୦୨୧ ମସିହାରେ ଜଣେ ହେଲେ ଏ-୧ ପାଇନଥିଲେ। ଚଳିତ ବର୍ଷ ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ ନାୟକ।

ସେପଟେ ଏଭଳି ଫଳ ଆଣିଦେଇଥିବା ଶିକ୍ଷା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଉତ୍ସାହିତ କରିବାକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ‘ଗଜପତି ଶିକ୍ଷା ଆରୋହଣ’ କାର୍ଯ୍ୟକ୍ରମ। ମାଟ୍ରିକ୍ ପରୀକ୍ଷାରେ ଯେଉଁ ସରକାରୀ ବିଦ୍ୟାଳୟରୁ ବିଦ୍ୟାର୍ଥୀ ଏ-୧ ଗ୍ରେଡ୍ କିମ୍ବା ଯେଉଁ ସ୍କୁଲର ୧୦ ପ୍ରତିଶତ ବା ତା ଠାରୁ ଅଧିକ ପିଲା ଏ-୨ ଗ୍ରେଡ୍ ପାଇଛନ୍ତି ସେଠିକାର ପ୍ରଧାନଶିକ୍ଷକ, ସିଆର୍‌ସିସିଙ୍କ ସମେତ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମଗ୍ର ଶିକ୍ଷା ସଂଯୋଜକଙ୍କୁ ମିଶାଇ ମୋଟ ୪୫ ଜଣଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଯାଇଛି। ଏମାନେ ରାଜସ୍ଥାନ ରାଜ୍ୟ ଝୁଣୁଝୁଣୁ ଜିଲ୍ଲା ଅନ୍ତର୍ଗତ ପିରାମଲ ସ୍କୁଲ ଅଫ ଲିଡର୍‌ସିପ୍ ଓ ଦିଲ୍ଲୀର ବିଭିନ୍ନ ନାମୀଦାମୀ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯିବ। ସେମାନେ ଆଗାମୀ ଦିନରେ ଜିଲ୍ଲାରେ ଶିକ୍ଷାର ବିକାଶ ଦିଗରେ ଅଧିକ ମାତ୍ରାରେ ସାମିଲ ହେବେ। ଏହି ପରିଦର୍ଶନରୁ ନୂତନ ଶିକ୍ଷାଶୈଳୀ ବାବଦ ଜ୍ଞାନ ଆହରଣ କରି ଭବିଷ୍ୟତରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାରେ ସହାୟକ ହେବେ। ଗଜପତି ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ପ୍ରଶଂସନୀୟ ହୋଇପାରିଛି।

Comments are closed.