ଗ୍ୟାସ୍ ହାଣ୍ଡି ଫାଟି ଘର ଭୁଶୁଡିଲା, ୨ ଗୁରୁତରଙ୍କୁ ସହାୟତା କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଗୋପାଳପୁର: ଗୋପାଳପୁର ଥାନା ତଥା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଉକ୍ତ ଗାଁର ଦେବରାଜ ନାୟକଙ୍କ ଘରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଗ୍ୟାସ୍ ହାଣ୍ଡି ଫାଟି ଉକ୍ତ ଘରର ଛାତ ଓ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଉକ୍ତ ଘରେ ଥିବା ୨ ଜଣ ଗୁରୁତର ହୋଇଛନ୍ତି। ଏପରିକି ଘରେ ନିଆଁ ଲାଗି ଯାଇଥିଲା। ବ୍ରହ୍ମପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସେଠାରୁ ଗୁରୁତର ଦ୍ବୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ଏହି ଦୁଃଖଦ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ ଅବଗତ ହେବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ। ସେ ତୁରନ୍ତ ଗୋପାଳପୁର ବିଜେଡି କର୍ମକର୍ତ୍ତାମାନଙ୍କୁ ଡାକ୍ତରଖାନାକୁ ପଠାଇ ଆହତ ଦ୍ବୟଙ୍କ ସ୍ବାସ୍ଥ୍ୟବସ୍ଥା ଓ ସେମାନଙ୍କ ଚିକିତ୍ସା ବାବଦରେ ବୁଝିଥିଲେ। ଏପରିକି ଆହତ ଦ୍ବୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ମଧ୍ୟ ବ୍ୟବସ୍ଥା କରିଥିଲେ। ଯେହେତୁ ଡଃ. ଦାଶ ଗୋପାଳପୁର ନିର୍ବାଚନମଣ୍ଡଳୀ ଦାୟିତ୍ଵ ସମ୍ଭାଳୁଛନ୍ତି ତେଣୁ ଅଞ୍ଚଳବାସୀଙ୍କ ଭଲମନ୍ଦରେ ସେମାନଙ୍କ ସାଥିରେ ଠିଆ ହେଉଛନ୍ତି ବା ଯଥାସମ୍ଭବ ସହାୟତା କରି ଆସୁଛନ୍ତି। ଏଥର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଡ. ଦାଶ ସହାୟତା ପାଇଁ ଆଗେଇ ଆସିଥିଲେ। ତାଙ୍କ ସହଯୋଗ ହେତୁ ଗୁରୁତର ଦ୍ବୟଙ୍କ ଉନ୍ନତ ଚିକିତ୍ସା ସମ୍ଭବପର ହୋଇପାରିଛି।

Comments are closed.