ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ

ରାଉରକେଲା – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍‍. ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ମଧ୍ୟ ସାମିଲ ହୋଇଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ପରେ ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ‘୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ହେଉଥିବା ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହାର ଉଦଘାଟନ କରିବେ। ଅଗଷ୍ଟ ଶେଷ ସୁଦ୍ଧା ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀ ଓ ସଚିବସ୍ତରୀୟ ଟିମ୍ ମୁଖ୍ୟ ଷ୍ଟାଡିୟମ ସହିତ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ, ଅତ୍ୟାଧୁନିକ ଜିମ୍‌, ଶୌଚାଳୟ ଆଦି ବୁଲି ଦେଖିଥିଲେ।

Comments are closed.