କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ ଜଳେଶ୍ୱର ମନ୍ଦିର

ସୋମବଂଶୀ ଶାସନ ସମୟରେ ନିର୍ମିତ ଏହି ଜଳେଶ୍ୱର ମନ୍ଦିରଟି ବହୁ ପ୍ରାଚୀନ, ପ୍ରାୟ ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଐତିହାସିକ ତଥ୍ୟାବଳୀରୁ ଜଣାଯାଏ l ଚୁଡ଼ଙ୍ଗଗଡ଼ର ସୋମବଂଶୀ ଶାସକ ପ୍ରତ୍ୟେକ ଦିନ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ପାଣି ଗ୍ରହଣ କରିଥାନ୍ତି।ଥରେ ବର୍ଷା ଋତୁରେ ଲିଙ୍ଗରାଜଙ୍କୁ ଯାଇ ଦର୍ଶନ କରିବାରେ ତାଙ୍କ ବାଧା ଉପୁଜି ଥିଲା। ସେଦିନ ରାଜା ମହାଦେବଙ୍କ ଶରଣରେ ଯାଇ ଅଧିଆ ପଡିଲେ। ପ୍ରଭୁ ଲିଙ୍ଗରାଜ ସ୍ୱପ୍ନରେ ନିକଟରେ ଥିବା ଏକ ପଦ୍ମ ପୁଷ୍କରିଣୀରେ ବିରାଜମାନ କରିଥିବା ଜଣେଇଲେ। ତାଙ୍କୁ ଉଦ୍ଧାର କରି ନିତ୍ୟ ଦର୍ଶନ କଲେ ଲିଙ୍ଗରାଜ ଦର୍ଶନର ଫଳ ଲାଭ ହେବ ବୋଲି ନିର୍ଦେଶ ଦେଲେ। ମହାଦେବଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପଦ୍ମ ପୁଷ୍କରିଣୀରେ ଜଳଶାୟୀ ଥିବା ଶିବଲିଙ୍ଗକୁ ଉଦ୍ଧାର କରି ନବ ନିର୍ମିତ ଏହି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିଥିଲେ l ପ୍ରଭୁ ଜଳରେ ଅବସ୍ଥାନ କରିଥିବାରୁ ଏହାଙ୍କ ନାମ ଜଳେଶ୍ବର ମହାଦେବ ନାମରେ ନାମିତ କରିଥିଲେ। ଏଠାରେ ମହାଦେବଙ୍କୁ ଦର୍ଶନ କଲେ, ଲିଙ୍ଗରାଜଙ୍କ ଦର୍ଶନର ଫଳ ପ୍ରାପ୍ତି ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି l

ସ୍ୱଳ୍ପଉଚ୍ଚର ଏହିମନ୍ଦିର ଗର୍ଭଗୃହରେ ପଶ୍ଚିମାଭିମୁଖ ଶିବଲିଙ୍ଗ ବିରାଜମାନ କରୁଥିବାବେଳେ, ଗର୍ଭଗୃହ ର ପଶ୍ଚାତଭାଗ ବିମାନ ଗାତ୍ରରେ କାର୍ତ୍ତିକେୟ, ଦକ୍ଷିଣ ପାର୍ଶ୍ୱ ବିମାନ ଗାତ୍ରରେ ଦେବୀ ପାର୍ବତୀ ଓ ବାମ ପାର୍ଶ୍ଵ ବିମାନ ଗାତ୍ରରେ ଶ୍ରୀଗଣେଶ ପାର୍ଶ୍ଵ ଦେବଦେବୀ ରୂପେ ବିରାଜମାନ କରିଛନ୍ତି l ମନ୍ଦିରକୁ ପ୍ରବେଶ ଗୁମୁଟର ବାମ ପାର୍ଶ୍ୱରେ ଏକ ସ୍ୱତନ୍ତ୍ର ମାଙ୍କଡ଼ା ପଥର ନିର୍ମିତ ମନ୍ଦିରରେ ବିରାଟ ଏକ ଭୈରବୀଙ୍କ ପ୍ରତିମା ପୂଜା ପାଉଛନ୍ତି l ମନ୍ଦିର ର ଚତୁଃପାର୍ଶ୍ଵ,ମାଙ୍କଡ଼ା ପଥର ନିର୍ମିତ ସୁଉଚ୍ଚ ପ୍ରାଚେରୀ ଦ୍ୱାରା ଆବଦ୍ଧ l

ମନ୍ଦିର ଗୁମୁଟ ଦେଇ ପ୍ରବେଶ କଲେ ପ୍ରଥମେ ଭଗ୍ନ ନାଟମଣ୍ଡପ ଦୃଷ୍ଟିଗୋଚର ହୁଏ l ବର୍ଗlକାର ଏହି ନାଟମଣ୍ଡପର ଚତୁଃପାର୍ଶ୍ୱରେ ବିଭିନ୍ନ ନୃତ୍ୟଭଙ୍ଗୀର ପ୍ରତିମା ଦେଖିବାକୁ ମିଳେ l ନାଟମଣ୍ଡପର ଉପରି ଭାଗରେ କେତେକ ପ୍ରାଚୀନଖୁମ୍ବ ଯାହା ଦଣ୍ଡାୟ ମାନ ହୋଇ ରହିଛି lମନ୍ଦିର ପ୍ରବେଶପଥର ଉଭୟ ପାର୍ଶ୍ୱରେ ସ୍ତମ୍ଭlକୃତିର ବିରାଟକାୟ ଦୁଇଟି ନାଗ ନାଗୁଣୀ ପ୍ରତିମା ରହିଛି l ଉପରିଭାଗରେପଦ୍ମାସନ ମୁଦ୍ରାରେ ଉପବିଷ୍ଟ ନବଗ୍ରହଙ୍କ ପ୍ରତିମା ରହିଛି l ନବଗ୍ରହଙ୍କ ନିମ୍ନ ଭାଗ ଲଲାଟବିମ୍ବରେ ବୀଣା ବାଦନ ରତ ସରସ୍ବତୀ ଓ ଉପବିଷ୍ଟ ମୁଦ୍ରାରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ l ଏହି ମନ୍ଦିରର ଜଗମୋହନ ଓ ବିମାନରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଦୃଷ୍ଟିଗୋଚର ହୁଏ l ରେଖ ଶୈଳୀରେ ନିର୍ମିତ ବିମାନର ବାଡ଼ ଓ ଗଣ୍ଡି ଅଞ୍ଚଳରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ବିମାନର ଉପରିଭାଗରେ ପ୍ରାୟତଃ କାରୁକାର୍ଯ୍ୟ ନାହିଁ l ପୀଢ଼ ଶୈଳୀରେ ନିର୍ମିତ ଜଗମୋହନର ଉଭୟ ପାର୍ଶ୍ୱରେ ଦୁଇଟି ଗବାକ୍ଷ ରହିଛି l ବିମାନ ଓ ଜଗମୋହନର ଚତୁଃପାର୍ଶ୍ୱରେ ଅନେକ ଗୁଡ଼ିଏ ନାଗ ଓନାଗକନ୍ୟା ପ୍ରତିମା ସହିତ ଦିଗପାଳ, ନୃତ୍ୟନାୟିକା, ଅଳସି କନ୍ୟା, ମୈଥୁନ ମୂର୍ତ୍ତି ଓ ସପ୍ତ ମାତୃକାଙ୍କ ମୂର୍ତ୍ତି ଆଦି ଦେଖିବାକୁ ମିଳେ l ଉଭୟ ବିମାନ ଓ ଜଗମୋହନରେ ଥିବା କଳସ ଦୁଇଟି କଳା ମୁଗୁନି ପଥରରେ ନିର୍ମିତ ହୋଇଥିବାବେଳେ, ସମ୍ପୂର୍ଣ୍ଣ ମନ୍ଦିରଟି ବଉଳମାଳିଆ ପଥରରେ ନିର୍ମିତ ହୋଇଛି l

ସୁକ୍ଷ୍ମ କାରୁକାର୍ଯ୍ୟରେ ବିମଣ୍ଡିତ ଏହି ଜଳେଶ୍ୱର ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଶ୍ରେଷ୍ଠ ନିଦର୍ଶନ କହିଲେ କିଛି ଅତ୍ୟୁକ୍ତି ହେବନାହିଁ l ବହୁ ପ୍ରାଚୀନ ଏହି ମନ୍ଦିରଟି ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ ହୋଇଛି l ( ସଂଗୃହିତ )

Comments are closed.