ଦେବଗଡ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦେବଗଡ଼ : ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ ଅଧ୍ୟକ୍ଷତା କରିଥିଲେ। ଏଥିରେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ, ପିଡି ଡିଆରଡିଏ ଲୁକାସ୍ ପ୍ରଧାନ ଓ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବୈଠକରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତ। ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ମନୋରଞ୍ଜନ ସୁତାର ଉପସ୍ଥିତ ସଦସ୍ୟଙ୍କୁ ସ୍ବାଗତ ଜଣାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ସର୍ମ୍ପକରେ ସୂଚନା ଦେଇଥିଲେ । ବିଗତ ବର୍ଷର ବିବରଣୀରେ ରହିଥିବା ବିଭିନ୍ନ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହ ଚଳିତବର୍ଷ କେତେକ ନୂତନ ବ୍ୟକ୍ତିଙ୍କୁ ବିଚାରକ ଭାବରେ ମନୋନୀତ କରାଯାଇଥିଲା। ଗତ ଗତ 2019 ମସିହାରୁ ବନ୍ଦ ହୋଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଓ ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସହ ମହିଳା ମାନଙ୍କ ମଧ୍ୟରେ ଚିତା (ଝୋଟି) ପ୍ରତିଯୋଗିତା କରିବାକୁ ସ୍ଥିରିକୃତ ହୋଇଛି। ଚଳିତବର୍ଷ ଆଜାଦୀ କି ଅମୃତ ମହୋତ୍ସବ ପାଇଁ ବିଭିନ୍ନ ବର୍ଗର ଛାତ୍ରାଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ ଓ କୌତୁକ ପୋଷାକ ଆଦି ପ୍ରତିଯୋଗିତା ହେବାକୁ ସ୍ଥିର ହୋଇଛି।
ସେହିପରି ଈନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ୟାରେଡ୍ ଅଭ୍ୟାସ କରାଯିବ ବୋଲି ସୂଚନା ମିଳିଛି। ସେହିପରି ସ୍ବାଧୀନତା ଦିବସର ସକାଳ 9 ଟାରେ 15 ମିନିଟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ପୂର୍ବାହ୍ନରେ ଜେଲ ଅନ୍ତେବାସୀ ଓ ଡାକ୍ତରଖାନା ରୋଗୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଫଳ ବଣ୍ଟନ ହେବାକୁ ପ୍ରସ୍ତାବ ରହିଛି। ଏଥିସହ ଚଳିତବର୍ଷ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ସ୍ଥିର ହୋଇଛି। ସେହିପରି ଅପରାହ୍ନରେ କବିତା ପାଠୋତ୍ସବ ତଥା ଫେନ୍ସି ଫୁଟବଲ ମ୍ୟାଚ ଆୟୋଜନ କରାଯିବାକୁ ଧାର୍ଯ୍ୟ ହୋଇଥିବା ବେଳେ ଦିବସର ଅନ୍ତିମ ପର୍ଯ୍ୟାୟରେ ଭଏସ ଜିନିୟସ କାର୍ଯ୍ୟକ୍ରମର ଫାଇନାଲ ଅନୁଷ୍ଠିତ ହେବାକୁ ନିଷ୍ପତି ହୋଇଛି।

Comments are closed.