ଲୋକପ୍ରିୟ ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

କୋଲକାତା – ପ୍ରସିଦ୍ଧ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ନିର୍ମଳା ମିଶ୍ରଙ୍କ କୋଲକାତାରେ ଦେହାନ୍ତ ହୋଇଯାଇଛି । ଅନେକ ଓଡ଼ିଆ ଓ ବଙ୍ଗଳା ଫିଲ୍ମ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ନିର୍ମଳା ମିଶ୍ର । ୧୯୬୦ ଓ ୧୯୭୦ ଦଶକରେ ନିର୍ମଳା ଅନେକ ଚଳଚ୍ଚିତ୍ର ଓ ଆଧୁନିକ ଗୀତ ଗାଇଥିଲେ । ଓଡ଼ିଆ ଫିଲ୍ମରେ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ । ୧୯୬୦ର ଓଡ଼ିଆ ଫିଲ୍ମ ଶ୍ରୀଲୋକନାଥରେ ତାଙ୍କୁ ପାର୍ଶ୍ଵ ଗାୟିକା ଭାବେ ସୁଯୋଗ ଦେଇଥିଲେ ବାଳକୃଷ୍ଣ ଦାଶ । ଫିଲ୍ମ ସ୍ତ୍ରୀ, କା’, ଅଦିନ ମେଘ, ମଲାଜହ୍ନ, ଅନୁତାପ, ଅଭିନେତ୍ରୀ, କିଏ କାହାର, ସୂର୍ଯ୍ୟମୁଖୀ, ଅମଡାବାଟ, ଚିଲିକା ତୀରେ, ଘରବାହୁଡା ଭଳି ଅନେକ ଓଡ଼ିଆ ଫିଲ୍ମରେ ଗୀତ ଗାଇଥିଲେ ନିର୍ମଳା । ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ରଙ୍କ ଭଳି ସଂଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଗୀତରେ କଣ୍ଠଦାନ କରିଥିଲେ। ଏହା ସହ ସେ ଅନେକ ବଙ୍ଗଳା ଫିଲ୍ମ ଓ ଆଧୁନିକ ଗୀତ ଗାଇ ଲୋକପ୍ରିୟ ହୋଇପାରିଥିଲେ। ନିର୍ମଳା ମିଶ୍ରଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ସମ୍ମାନ ଦିଆଯାଇଥିଲା ।

Comments are closed.