ଓଡ଼ିଶା ସ୍କିଲ୍ସ ୨୦୨୩ ପୋର୍ଟାଲ ଶୁଭାରମ୍ଭ

ଭୁବନେଶ୍ୱର: ଆଜି ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଓଡିଶା ସ୍କିଲ୍ସ – ୨୦୨୩ ପୋର୍ଟାଲକୁ ଶୁଭାରମ୍ଭ କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ( ଓଏସଡିଏ ) ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଏବଂ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓଡିଶା ସ୍କିଲ୍ସ – ୨୦୨୩ ପୋର୍ଟାଲକୁ ପଞ୍ଜୀକରଣ ନିମନ୍ତେ ଲୋକାର୍ପଣ କରିଛନ୍ତି ।

ଆଧୁନିକ ଦକ୍ଷତା ବିକାଶରେ ଓଡିଶାକୁ ଏକ ମହାନ ରାଜ୍ୟ ଭାବରେ ଅଭିହିତ କରି ଓଏସଡିଏର ଅଧ୍ୟକ୍ଷ ଶ୍ରୀ ବାଗଚି କହିଛନ୍ତି ଯେ ପିରାମିଡର ତଳ ଭାଗକୁ ସ୍ପର୍ଶ କରୁଥିବା ସ୍କୁଲ ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ଆମେ ସେମାନଙ୍କ ଉପରେ ଧ୍ୟାନ ଦେବା ଉଚିତ । ଓଡିଶା ସ୍କିଲ୍ସ – ୨୦୨୩ରେ ପ୍ରାୟ ୧୦ , ୦୦୦ ଯୁବକଯୁବତୀ ଭାଗ ନେବା ଆମର ସାମୂହିକ ଲକ୍ଷ୍ୟ ହେବା ଉଚିତ୍ ଏବଂ ସେମାନେ ଅଣଇଞ୍ଜିନିୟରିଂ ଟ୍ରେଡ୍ରେ ଯେପରି ଭାଗ ନେବେ ସେ ନେଇ ପ୍ରୋତ୍ସାହନ ଦେବା ଆବଶ୍ୟକ ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଓଡ଼ିଶାର ଯୁବକଯୁବତୀମାନଙ୍କ ପାଇଁ ସମଗ୍ର ଦେଶରେ ନିଜର ଆଭ୍ୟନ୍ତରୀଣ ସାମର୍ଥ୍ୟ ପ୍ରଦର୍ଶନ କରିବା ନିମନ୍ତେ ଓଡିଶା ସ୍କିଲ୍ସ -୨୦୨୩ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ ଜ୍ଞାନକୁ ଧନରେ ପରିଣତ କରିବା ହେଉଛି ସମୟର ଆହ୍ଵାନ । ସଠିକ୍ ଦକ୍ଷତା ତାଲିମ ସହିତ ରାଜ୍ୟର ଯୁବକଯୁବତୀମାନେ ଓଡିଶାରେ ରୂପାନ୍ତରଣର ବାର୍ତ୍ତା ପ୍ରଦାନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଡବ୍ଲ୍ୟୁଏସସିର ସିଇଓ ରେଘୁ ଜି . କହିଛନ୍ତି ଯେ ଏଥର ଓଡିଶା ସ୍କିଲ୍ସ – ୨୦୨୩ରେ ଇଞ୍ଜିନିୟରିଂ ଭିତ୍ତିକ ଟ୍ରେଡ୍ ଛଡା ଶିକ୍ଷା ମାଧ୍ୟମରେ ସ୍ଵାସ୍ଥ୍ୟ , ଜୁଏଲରୀ ଡିଜାଇନ୍ , କ୍ୟାବିନେଟ୍ ମେକିଙ୍ଗ୍ ପରି ଅଣ ଇଞ୍ଜିନିୟରିଂ ଟ୍ରେଡ୍‌ରେ ଓଡ଼ିଶାର ଯୁବପିଢିଙ୍କୁ ସାମିଲ ହେବାପାଇଁ ପ୍ରୋତ୍ସାହନ ଦିଆଯିବ ।

ଓଡିଶା ସ୍କିଲ୍ସ -୨୦୨୩ ପାଇଁ ଅନଲାଇନ୍‌ ପଞ୍ଜୀକରଣ ଆଜି ଆରମ୍ଭ ହୋଇଛି ଏବଂ ପଞ୍ଜୀକରଣର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ ୨୦୨୨ । ୫୨ ଟି ସ୍କିଲ କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ହେବାର ଯୋଜନା ରହିଛି । ଚଳିତ ଥର ରାଜ୍ୟର ଚାରିଟି ଜୋନ୍‌ରେ ଏହାକୁ ଆୟୋଜନ କରାଯିବ । ଏହି ପ୍ରତିଯୋଗିତାର ବିଜେତାମାନେ ଆଞ୍ଚଳିକ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରିବେ , ଯେଉଁଠାରେ ସେମାନେ ଅନ୍ୟ ରାଜ୍ୟର ବିଜେତାମାନଙ୍କ ସହିତ ପ୍ରତିଦ୍ଵନ୍ଦିତା କରିବେ ଏବଂ ଆଞ୍ଚଳିକ ସ୍ତରର ବିଜେତାମାନେ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସଚିବ , ରେଣୁପ୍ରଭା ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଡେପୁଟି ପ୍ରିନ୍ସିପାଲ ଏସ୍ କେ ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ , ପ୍ରିନ୍ସିପାଲ ସଙ୍ଗରନ ଗୋପାଲ ଏବଂ ବିଭିନ୍ନ ଅନୁଷ୍ଠାନର ୭୪ ଜଣ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.