ଅନାଥଙ୍କୁ କୋଳେଇ ନେଉଛି, ଭବିଷ୍ୟତ ଗଢୁଛି ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବେଦନଶୀଳ ପ୍ରଶାସନର ମନ୍ତ୍ର ସାଙ୍ଗକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ତଥା ଓଡ଼ିଶାବାସୀ ଯେପରି ସରକାରଙ୍କ ଲୋକକଲ୍ୟାଣମୁଖୀ ଶାସନ ପ୍ରଶାସନର ସୁଫଳ ପାଇବେ ସେ ନେଇ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି ରାଜ୍ୟର ପ୍ରଶାସକଗଣ। ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଅନାଥ, ଅସହାୟ ଛୁଆମାନଙ୍କ ଉନ୍ନତ ଲାଳନପାଳନ ସାଙ୍ଗକୁ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ଉତ୍ତମ ଯୋଜନା ଏ ଦିଗରେ ଉଦାହରଣ ପାଲଟିଛି।

ତିତଲି ମହାବାତ୍ୟା, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ବାପା ମାଆ ଛେଉଣ୍ଡ ଓ ଅନାଥ ପାଲଟିଥିବା ଅନେକ ଛୁଆଙ୍କୁ ସରକାର ଏବଂ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅନାଥାଶ୍ରମ, ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଛି। ସେମାନଙ୍କ ଉତ୍ତମ ଶିକ୍ଷା, ଉନ୍ନତ ଜୀବନଯାପନର ବ୍ୟବସ୍ଥା କରାଯାଇଛି। ଆଉ ଏହାର ସୁଫଳ ଏବେ ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଭଳି ୫ ଜଣ ପିଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଶାସନ ପାଇଁ ବେଶ୍ ଶାନ୍ତ୍ବନା ଓ ଆନନ୍ଦର କଥା ଥିଲା। ତେଣୁ ପିଲାମାନଙ୍କ ଏହି ସଫଳତାକୁ କିଛିଟା ନିଆରା ଭାବେ ପାଳିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା I ପିଲାମାନଙ୍କୁ ବିଭିନ୍ନ ସ୍ଥାନରୁ ଡକାଇ ପାରଳାଖେମୁଣ୍ଡି ଠାରେ ସେମାନଙ୍କୁ ଉପହାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଖାଲି ସେତିକି ନୁହେଁ ପ୍ରଶାସନ ସର୍ବଦା ଏଇ ଅସହାୟମାନଙ୍କ ସାଥିରେ ରହିଛି, ସେହି ଭାବନା ଉଦ୍‌ଜୀବିତ କରିବା ପାଇଁ ସେମାନଙ୍କ ସହ ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିଥିଲେ ଜିଲ୍ଲାପାଳ। ତାଙ୍କ ସହ ଏହି ଅବସରରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟ ବହୁ ସଂଖ୍ୟକ ଜିଲ୍ଲାସ୍ତରୀୟ ଅଧିକାରୀ ଏକତ୍ରିତ ହୋଇଥିଲେ। ବିଭିନ୍ନ କାରଣରୁ ଅସହାୟ ଓ ଅନାଥ ହୋଇ ଯାଉଥିବା ଏଭଳି ପିଲାଙ୍କୁ କୋଳେଇ ନେଉଛି ପ୍ରଶାସନ। ଅତଏବ ସେମାନଙ୍କର ସଫଳତା ହିଁ ଜିଲ୍ଲା ପ୍ରଶାସନର ସଫଳତା ପାଲଟିଥିଲା। ଏମାନଙ୍କ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଯିବା ସାଙ୍ଗକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ତେବେ କେବଳ ଖୁସିର ମୁହୂର୍ତ୍ତରେ ନୁହେଁ, ଦୁଃଖ ଓ ସଙ୍କଟରେ ମଧ୍ୟ ଅସହାୟ ପିଲାଙ୍କ ନିକଟରେ ପହଞ୍ଚିଛନ୍ତି ପ୍ରଶାସନିକ ଅଧିକାରୀ। ନିକଟରେ ମୋହନା ବ୍ଲକ୍‌ରେ ମାଆଙ୍କ ହତ୍ୟା ପରେ ବାପା ଗିରଫ ହେବାରୁ ଅସହାୟ ହୋଇଯାଇଥିବା ୪ ଛୋଟ ଛୋଟ ଛୁଆଙ୍କୁ ଥଇଥାନ କରିଥିଲା ଜିଲ୍ଲା ପ୍ରଶାସନ। ପୁଣି ଏବେ ରାୟଗଡ଼ ବ୍ଲକ୍ ନୂଆ ସାହିର ୨ଟି ପରିବାରର ୭ ଅନାଥ ଭାଇ ଭଉଣୀଙ୍କ ମଧ୍ୟରୁ ଜଣେ ସାବାଳାକ ବ୍ୟତୀତ ଅନ୍ୟ ୬ ଜଣଙ୍କ ଭରଣପୋଷଣ ଦାୟିତ୍ବ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଗୋଟିଏ ପରିବାରର ଏବେକାର ସମୟରେ ବଡ଼ ସଦସ୍ୟ କହିଲେ ବଡ଼ ଭଉଣୀ କଳ୍ପନା ଶବରକୁ ବୁଝାଉଥିଲା ଯାହାଙ୍କ ବୟସ ବିଶେଷ ଅଧିକ ନୁହେଁ। ସେହିପରି ଅନ୍ୟ ପରିବାରର ଏବେକାର ମୁଖିଆ କହିଲେ କିଶୋର ସୁଶାନ୍ତ ଶବରକୁ ବୁଝାଏ। ବାପା, ମାଆ ଆରପାରିକୁ ଚାଲିଯିବା ପରେ କଳ୍ପନା ତିନି ଭଉଣୀ ଏବଂ ସୁଶାନ୍ତ ଦୁଇ ସାନ ଭାଇ ଭଉଣୀଙ୍କ ପାଇଁ ପାଠ ଛାଡ଼ି ଦିନ ମଜୁରିଆ ପାଲଟି ଯାଇଥିଲେ। ହେଲେ ପ୍ରଶାସନ ଏ ବାବଦରେ ଅବଗତ ହେବା ପରେ ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚିଥିଲା। ସରକାରୀ ନିୟମ ଅନୁସାରେ ସେମାନଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି ଆଶ୍ଵାସନା ମଧ୍ୟ ଦେଇଥିଲା।

ସାତ ଭାଇ ଭଉଣୀଙ୍କ ପେଟକୁ ଦାନା ଯୋଗାଡ଼ କରିବା ଓ ସେମାନଙ୍କୁ ଶିକ୍ଷିତ କରିବା ଥିଲା ଏକ ଆହ୍ବାନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ଉଭୟ ପରିବାରର ଘର ପଟ୍ଟା ସେମାନଙ୍କ ବାପାଙ୍କ ନାମରେ ଥିବାରୁ ତାହା ପିଲାମାନଙ୍କ ନାମରେ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର । ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରାଥମିକତା ଭିତ୍ତିରେ ଏମାନଙ୍କୁ ଯୋଗାଇ ଦିଆଯିବ। ରାସନ୍ କାର୍ଡ ବଦଳରେ ଅନ୍ତୋଃଦୟ କାର୍ଡ ପ୍ରଦାନ କରାଯିବ। ଫଳରେ ଅଧିକ ଖାଦ୍ୟଶସ୍ୟ ସେମାନେ ସରକାରଙ୍କ ଠାରୁ ପାଇପାରିବେ। ଏଥିସହ ସରକାରୀ ନିୟମ ମୁତାବକ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ବିଡିଓ ଆଶ୍ୱାସନା ଦେଇଛନ୍ତି। ସୁଶାନ୍ତଙ୍କ ମାନସିକ ଅନଗ୍ରସର ଭାଇଙ୍କୁ ରାୟଗଡ଼ ଡାକ୍ତରଖାନାରେ ପରୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ପେନ୍‌ସନ୍‌ ବ୍ୟବସ୍ଥା ପାଇଁ ତାଙ୍କର ଅନ୍‌ଲାଇନ୍ ଆବେଦନ କରାଯିବ। ସୁଶାନ୍ତଙ୍କ ଅନ୍ୟ ଦୁଇ ଭଉଣୀଙ୍କ ପାଠ ପଢ଼ା ଦାୟିତ୍ଵ ମଧ୍ୟ ବହନ କରିବ ଜିଲ୍ଲା ପ୍ରଶାସନ। ଉଭୟ ପରିବାରର ଦୁଇ ଜଣ ନିକଟରେ ମାଟ୍ରିକ୍ ପାସ୍ କରିଥିବାରୁ ବୈଷୟିକ ଶିକ୍ଷାରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ଏମାନଙ୍କୁ ପ୍ରଶାସନ ନିଜ ଖର୍ଚ୍ଚରେ ଆଇଟିଆଇ କିମ୍ବା ପଲିଟେକ୍ନିକ୍‌ରେ ଆଡ୍‌ମିଶନ୍ କରାଇବ। ପୁରା ପ୍ରଶାସନ ସେମାନଙ୍କ ସହ ରହିଛି ଓ ରହିବ। ସେମାନେ ନିଜ ଦୁଃଖଦ ଅତୀତ ଅପେକ୍ଷା ଆଗାମୀ ଉନ୍ନତ ଭବିଷ୍ୟତକୁ ଆଖି ଆଗରେ ରଖି ଆଗେଇ ଯିବାକୁ ପରାମର୍ଶ ଦେଇଛି ପ୍ରଶାସନ।

Comments are closed.